ନୂଆଦିଲ୍ଲୀ: କେବଳ ଆଧାର କାର୍ଡକୁ ନାଗରିକତାର ନିର୍ଣ୍ଣାୟକ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଭାରତୀୟ ଇଲେକ୍ସନ କମିଶନଙ୍କର ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସାରାଂଶ ସଂଶୋଧନ (SIR)କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣି ବେଳେ କୋର୍ଟ ମଙ୍ଗଳାବର ଇସିଙ୍କ ନିଷ୍ପତ୍ତିକୁ ଉଚିତ୍ ବୋଲି କହିଛନ୍ତି।
ଆବେଦନର ଶୁଣାଣି ସମୟରେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଅନୁଧ୍ୟାନ କରିଥିଲେ। ଏଥିରେ କୋର୍ଟ ପ୍ରମାଣପତ୍ରକୁ ସ୍ୱାଧୀନ ଭାବେ ଯାଞ୍ଚ କରିବାକୁ ଗୁରୁତ୍ୱ ଦେଇଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି “ନିର୍ବାଚନ କମିଶନଙ୍କ କହିବା ଠିକ୍ ଯେ ଆଧାରକୁ ନାଗରିକତାର ଚୂଡ଼ାନ୍ତ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ। ଏହାକୁ ଯାଞ୍ଚ କରିବାକୁ ପଡିବ।” ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା କପିଲ ଶିବଲଙ୍କୁ ଏପରି କହିଥିଲେ ସର୍ବୋଚ୍ଚ ଅଦାଲତ।
ଜଷ୍ଟିସ ସୂର୍ଯ୍ୟକାନ୍ତ ଆହୁରି କହିଥିଲେ ଯେ ପ୍ରଥମ ପ୍ରଶ୍ନ ହେଉଛି ଇସିଆଇ ପାଖରେ ଯାଞ୍ଚ ପ୍ରକ୍ରିୟା କରିବାର କ୍ଷମତା ଅଛି କି ନାହିଁ? "ଯଦି ସେମାନଙ୍କ ପାଖରେ କ୍ଷମତା ନାହିଁ, ତେବେ ସବୁ ଶେଷ। କିନ୍ତୁ ଯଦି ସେମାନଙ୍କ ପାଖରେ କ୍ଷମତା ଅଛି, ତେବେ କୌଣସି ସମସ୍ୟା ହେବା କଥା ନୁହେଁ।"
ହେଲେ ଶିବଲ ତର୍କ ରଖିଥିଲ ଯେ ଇସିଆଇଙ୍କ ନୂଆ ସଂଶୋଧନରେ ବହୁ ସଂଖ୍ୟାରେ ଲୋକ ଭୋଟର ଲିଷ୍ଟରୁ ବାଦ ପଡ଼ିଯିବେ। ବିଶେଷକରି ଯେଉଁମାନେ ଆବଶ୍ୟକୀୟ ଫର୍ମ ପୈଠ କରିପାରୁ ନାହାନ୍ତି ସେମାନେ। ୨୦୦୩ର ଭୋଟରମାନଙ୍କୁ ବି ନୂଆ ଫର୍ମ ପୂରଣ କରିବାକୁ କୁହାଯାଉଛି। ସେମାନେ ଏପରି କରିବାରେ ବିଫଳ ହେଲେ ଭୋଟର ଲିଷ୍ଟରୁ ହଟାଇ ଦିଆଯିବ। ହେଲେ ତାଙ୍କ ଠିକଣାର କୌଣସି ପରିବର୍ତ୍ତନ ହେଉ ନାହିଁ।
ଖଣ୍ଡପୀଠଙ୍କ ସମ୍ମୁଖରେ ଶିବଲ ତର୍କ ରଖିଥିଲେ ଯେ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ୭.୨୪ କୋଟି ଲୋକ ଫର୍ମ ଦାଖଲ କରିଥିଲେ, ତଥାପି ମୃତ୍ୟୁ କିମ୍ବା ସ୍ଥାନାନ୍ତରଣର କୌଣସି ଉପଯୁକ୍ତ ତଦନ୍ତ ବିନା ପ୍ରାୟ ୬୫ ଲକ୍ଷ ନାମକୁ ବାଦ ଦିଆଯାଇଥିଲା। ଏଥିରେ କୌଣସି ସର୍ଭେ କରାଯାଇ ନାହିଁ ବୋଲି ମଧ୍ୟ ସେମାନଙ୍କ ଶପଥପତ୍ରରେ ସ୍ୱୀକାର କରିଥିବା ଶିବଲ କହିଥିଲେ।
ଏହାପରେ କୋର୍ଟ ପ୍ରଶ୍ନ କରିଥିଲେ ଯେ ୬୫ ଲକ୍ଷ ଲୋକ କେଉଁଠୁ ଆସିଲେ, "ଆମେ ବୁଝିବାକୁ ଚାହୁଁଛୁ ଯେ ଆପଣଙ୍କର ଆଶଙ୍କା କାଳ୍ପନିକ ନା ବାସ୍ତବ କଥା। ଖଣ୍ଡପୀଠ କହିଛନ୍ତି, ଯେଉଁମାନେ ଫର୍ମ ଦାଖଲ କରିଥିଲେ ସେମାନେ ପୂର୍ବରୁ ଡ୍ରାଫ୍ଟ ତାଲିକାରେ ଥିଲେ। ଏହାପରେ ଶିବଲ କହିଥିଲେ ଯେ ୨୦୨୫ ଭୋଟର ତାଲିକାରେ ୭.୯ କୋଟି ଲୋକ ଥିଲେ। ସେଥିମଧ୍ୟରୁ ୪.୯ କୋଟି ଲୋକ ୨୦୦୩ ତାଲିକାରେ ମଧ୍ୟ ରହିଥିଲେ। ୨୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା।
ଆବେଦନକାରୀଙ୍କ ପକ୍ଷରୁ ପ୍ରଶାନ୍ତ ଭୂଷଣ ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି। ଓକିଲ ପ୍ରଶାନ୍ତ ଭୂଷଣ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିଶନ କୋର୍ଟ ଫାଇଲିଂରେ କିମ୍ବା ତାଙ୍କ ୱେବସାଇଟରେ ମୃତ୍ୟୁ କିମ୍ବା ବାସସ୍ଥାନ ପରିବର୍ତ୍ତନ ଯୋଗୁ ବାଦ ଦିଆଯାଇଥିବା ଭୋଟରଙ୍କ ତାଲିକା ପ୍ରକାଶ କରିନାହାଁନ୍ତି। "ସେମାନେ କହୁଛନ୍ତି ଯେ ସେମାନେ ବୁଥ୍-ସ୍ତରୀୟ ଏଜେଣ୍ଟମାନଙ୍କୁ କିଛି ସୂଚନା ଦେଇଛନ୍ତି, କିନ୍ତୁ ସେମାନେ ଏହା ଅନ୍ୟ କାହାକୁ ତଥ୍ୟ ଦେବାକୁ ବାଧ୍ୟ ନୁହଁନ୍ତି ବୋଲି କହୁଛନ୍ତି।"
ଏହାପରେ ଖଣ୍ଡପୀଠ କହିଛନ୍ତି ଯେ ଯଦି ଜଣେ ଭୋଟର ଆଧାର ଏବଂ ରାସନ କାର୍ଡ ସହିତ ଏକ ଫର୍ମ ଦାଖଲ କରନ୍ତି, ତେବେ ନିର୍ବାଚନ କମିଶନ ତାଙ୍କର ବିବରଣୀ ଯାଞ୍ଚ କରିବାକୁ ବାଧ୍ୟ ହେବେ। ନିଖୋଜ ଡକ୍ୟୁମେଣ୍ଟ ବିଷୟରେ ସୂଚନା ପାଇବା ପାଇଁ ହକଦାର ଥିବା ଲୋକଙ୍କୁ ପ୍ରକୃତରେ ସୂଚନା ଦିଆଯାଇଛି କି ନାହିଁ ସେ ବିଷୟରେ ସ୍ପଷ୍ଟୀକରଣ ମାଗିଥିଲେ।