କାଠିଆପଡ଼ା ଛାତ୍ରୀ ପୋଡ଼ି ଘଟଣାରେ ପୋଲିସକୁ ମିଳିଛି ନୂଆ ଆଙ୍ଗେଲ, ପଡ଼ୋଶୀଙ୍କ ସିସିଟିଭି ଖୋଲିବ କି ଗୁମର ?

Published By : Prameya-News7 Bureau | August 09, 2025 IST

ପଟ୍ଟାମୁଣ୍ଡାଇ ୯।୮: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡା ଛାତ୍ରୀ ପୋଡି ଘଟଣାରେ ବଢୁଛି ସସ୍‌ପେନ୍ସ । ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସକୁ ମିଳିଛି ନୂଆ ଆଙ୍ଗେଲ । ଘଟଣାର ୪ ଦନି ପରେ ବି ହାତ ଖାଲିକରି ବସିଥିବା କେନ୍ଦ୍ରାପଡା ପୋଲିସକୁ ମିଳିଛି ଏକ ନୂଆ ସୁରାକ । ଶନିବାର କେନ୍ଦ୍ରାପଡା ଏସ୍‌ପି ତଥା ଘଟଣାର ତଦନ୍ତକାରୀ ଅଧିକାରୀ ସିଦ୍ଧାର୍ଥ କଟ୍ଟାରିଆ ପୁର୍ନବାର କାଠିଆପଡାରେ ପହଞ୍ଚି ତଦନ୍ତ କଲାବେଳେ ନିଜ ପ୍ରତିକ୍ରିୟାରେ ଏକଥା କହିଛନ୍ତି । ତେବେ ମୃତା ଛାତ୍ରୀଙ୍କ ପଡୋଶୀଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ନେଇ ସୃଷ୍ଟି ହୋଇଛି ସସ୍‌ପେନ୍ସ । ପୋଲିସ ବାରମ୍ବାର ସେହି ସିସି କ୍ୟାମେରା ପାଖକୁ ଫେରୁଛି । 

ଶନିବାର ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ନିଜେ ସିସି କ୍ୟାମେରା ତନତନ କରି ଦେଖିଛନ୍ତି । ମୃତା ଛାତ୍ରୀଙ୍କ ବାପା- ମା’ ଘଟଣା ଦିନ କେତେବେଳେ ଘରୁ ବାହାରି ପଟ୍ଟାମୁଣ୍ଡାଇ ଯାଇଥିଲେ ଏବଂ କେତେବେଳେ ଫେରି ଆସିଥିଲେ ସେନେଇ ପୋଲିସର ଦ୍ବନ୍ଦ୍ବ ରହିଛି । ଏହି ସିସି କ୍ୟାମେରା ହିଁ ସେହି ଦ୍ବନ୍ଦ୍ବ ଉପରୁ ପରଦା ଉଠାଇବାରେ ସକ୍ଷମ ହେବ । ଏବେ ସିସି କ୍ୟାମେରା ସାମ୍ନାକୁ ଆସିବା ପରେ ସାଧାରଣରେ ନାନା ପ୍ରଶ୍ନ ମୁଣ୍ଡ ଟେକିଛି । ବାପା, ମା’ ନିଜ ବୟାନରେ କହିଥିବା ସମୟ ଓ ସିସି କ୍ୟାମେରାରେ ରେକର୍ଡ ହୋଇଥିବା ସମୟରେ କିଛି ରହିଛି ଅସାମ୍ୟସ ? ବାପା, ମା’ ଗୋଟେ କଥା କହିଥିବା ବେଳେ ସିସି କ୍ୟାମେରାରେ କିଛି ଭିନ୍ନ ଘଟଣା ରେକର୍ଡ ହୋଇଛି କି ? ନା ପୋଲିସ ସିସି କ୍ୟାମେରାରେ ପାଇଛି ଛାତ୍ରୀ ଆତ୍ମହତ୍ୟା ନେଇ କିଛି ଚମକାଇ ଦେବା ଭଳି ପ୍ରମାଣ । ଏସବୁ ଉପରେ ଚାଲିଛି ପୋଲିସର କସରତ ।

ମୃତା ଛାତ୍ରୀଙ୍କ ତଥାକଥିତ ପୁରୁଷ ବନ୍ଧୁଙ୍କ ପରିବାର ଗଣମାଧ୍ୟମରେ ଦେଇଥିବା ବୟାନ ଏବେ ପୋଲିସ ପାଇଁ ତଦନ୍ତର ଆଉ ଏକ ଦିଗ ଖୋଲି ଦେଇଛି । ପୁରୁଷ ବନ୍ଧୁଙ୍କ ପରିବାର ମୃତା ଛାତ୍ରୀଙ୍କ ପରିବାର ଉପରେ ପାଲଟା ଅଭିଯୋଗ କରିଛନ୍ତି । ତାହା ପୁଣି ଖୁବ ସଙ୍ଗୀନ ଅଭିଯୋଗ । ଛାତ୍ରୀକୁ ପରିବାର ଲୋକେ ମାନସିକ ତଥା ଶାରୀରିକ ନିର୍ଯାତନା ଦିଅନ୍ତି ବୋଲି କହିଛନ୍ତି ପୁରୁଷ ବନ୍ଧୁଙ୍କ ପରିବାର ଲୋକେ । ଖାଲି କ’ଣ ସେତିକି, ନିଜ ପରିବାର ଲୋକଙ୍କ ଠାରୁ ମାଡ ଗାଳି ଖାଇବା ପରେ ଛାତ୍ରୀ ଜଣକ ଏ କଥା ପୁରୁଷ ବନ୍ଧୁଙ୍କ ପରିବାରକୁ ଫୋନ୍‌ ଯୋଗେ କହିଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏବେ ପୋଲିସ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୁରୁଷ ବନ୍ଧୁଙ୍କ ପରିବାରକୁ ତଦନ୍ତ ପରିସରକୁ ଆଣିବା ପାଇଁ ଯୋଜନା କରୁଛି । ତେବେ ପୁରଷ ବନ୍ଧୁଙ୍କ ପରିବାର ଲୋକଙ୍କ ମୋବାଇଲ ଫୋନ୍‌ ଜବତ ହେବା ପରେ ଛାତ୍ରୀଙ୍କ ପରିବାର ଲୋକେ ଦେଇଥିବା ନିର୍ଯାତନା ଉପରୁ ପରଦା ଉଠିବ ବୋଲି ଆଶା କରୁଛି ପୋଲିସ । 

ସେହିପରି ଅଟକ ଥିବା ପୁରୁଷ ବନ୍ଧୁଙ୍କ ମୋବାଇଲ ଫୋନ୍‌ ମଧ୍ୟ ତଦନ୍ତ ପ୍ରକ୍ରିୟାର ଏକ ବଳିଷ୍ଠ ଦିଗ । ଛାତ୍ରୀଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ସମ୍ପୃକ୍ତ ଯୁବକ ଭାଇରାଲ କରିଛନ୍ତି କି ନାହିଁ ସେ ନେଇ ଖୋଳତାଡ କରୁଛି ପୋଲିସ । କିନ୍ତୁ ଏବେ ପୁରୁଷ ବନ୍ଧୁଙ୍କୁ ନେଇ ସାଧାରଣରେ ନାନା ପ୍ରଶ୍ନ । ଯଦି ପୋଲିସ ପୁରୁଷ ବନ୍ଧୁଙ୍କୁ ଦୋଷୀ ବୋଲି ପ୍ରମାଣ ପାଇଛି ତେବେ ଗିରଫ କରୁନି କାହିଁକି ? ଆଉ ଯଦି ପୁରୁଷ ବନ୍ଧୁ ନିର୍ଦ୍ଦୋଷ ତେବେ ପୋଲିସ ତାଙ୍କୁ ବିନା କାରଣରେ ଅଟକ ରଖିଛି କାହିଁକି ? ୪ ଦିନର ତଦନ୍ତ ଭିତରେ ପୋଲିସ ଅଧିକରୁ ଅଧିକ ତଥ୍ୟ ଓ ପ୍ରମାଣ ଯୋଗାଡ କରିବାରେ ଲାଗିଛି । ଅନ୍ୟପକ୍ଷରେ ପୋଷ୍ଟମଟର୍ମ ରିପୋର୍ଟ ଆସିଲେ ଛାତ୍ରୀ ମୃତ୍ୟୁ ଉପରୁ ପରଦା ହଟିବ ବୋଲି କୁହାଯାଉଛି । 

You Can Read:

ରାଜକୋଷରୁ ଟଙ୍କା ଖର୍ଚ୍ଚ ହେବ, ହେଲେ ତାର ରିଟର୍ଣ୍ଣି ନ ଆସିଲେ ଲାଭ କ’ଣ ?

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.