ସାଲେପୁର: ନଦୀରୁ କରୁଥିଲେ ବାଲି ଚୋରା ଚାଲାଣ। ଚଢ଼ାଉ ପାଇଁ ପହଞ୍ଚିଗଲେ ପୋଲିସ ଓ ମାଇନ୍ସ ଅଧିକାରୀଙ୍କ। ଭୟରେ ନଦୀକୁ ଡେଇଁ ନିଖୋଜ ହୋଇଗଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ସାଲେପୁର ଜଗତପୁର ଥାନା ଅଧୀନ ବରଗୋଡ଼ିଆ ମହାନଦୀ ପଠାରେ। ଉଦ୍ଧାର କାର୍ଯ୍ୟ ଜାରି ଥିଲେବି ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ।
ସୂଚନା ଅନୁଯାୟୀ, ଜଗତପୁର ଥାନା ଅଧୀନ ବାରଗଡ଼ିଆ ମହାନଦୀ ପଠାରୁ ଗତକାଲି ବିଳମ୍ବିତ ରାତିରେ ଚୋରା ବାଲି ଉଠାଉ ଥିବା ବେଳେ ଅଚାନକ ଖଣି ବିଭାଗ ଓ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଭୟରେ ଚାରି ଜଣ ଯୁବକ ନଦୀକୁ ଡେଇ ପଡ଼ିଥିଲେ। ଏମାନେ ଟ୍ରାକ୍ଟରରେ ଲେବର ଭାବେ କାର୍ଯ୍ୟ କରୁଥିଲେ।
ତେବେ ସେମାନଙ୍କ ମଧ୍ୟରୁ ୩ ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ଯୁବକ ନିଖୋଜ ଅଛନ୍ତି । କଟକ ଓଡ୍ରାଫ ଟିମ ସହ ସାଲେପୁର ଅଗ୍ନିଶମ ବିଭାଗ ଓ କଟକ ଜିଲ୍ଲା ଆଡିସନାଲ ଡିସିପି ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେବି, ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ। ଯୁବକ ଜଣକ ହେଉଛନ୍ତି ଜଗତପୁର ଛକର ୨୬ ବର୍ଷୀୟ ସେକ୍ ତଲିମ୍ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ଖଣି ବିଭାଗ ଓ ପୋଲିସକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।