ନୂଆଦିଲ୍ଲୀ : ୨୯ ବର୍ଷିୟ ଜଣେ ବିଦେଶୀ ନାଗରିକଙ୍କୁ ଇସ୍ରାଏଲ ପୁଲିସ ଗିରଫ କରିଛି। ତାଙ୍କୁ ଯୌନ ଉତ୍ପୀଡ଼ନର ସନ୍ଦେହରେ ଗିରଫ କରାଯାଇଛି। ସେ ତେଲ୍ ଅଭିଭ ସ୍ଥିତ ଏକ ବିଚ୍ରେ ମହିଳାଙ୍କ ଚେଞ୍ଜିଙ୍ଗ୍ ରୁମ୍ରେ ନାବାଳିକାଙ୍କର ମୋବାଇଲରେ ଭିଡ଼ିଓ ସୁଟ୍ କରୁଥିଲେ। ଇସ୍ରାଏଲୀୟ ମିଡ଼ିଆ ରିପୋର୍ଟସରେ ଦାବି କରାଯାଇଛି ଯେ, ଅଭିଯୁକ୍ତ ଜଣକ ତୁର୍କୀ ଦୂତାବାସର କର୍ମଚାରୀ ଅଟନ୍ତି। ରବିବାର ଜାରି ପୁଲିସ ବୟାନ ଅନୁସାରେ, ୧୦୦ ଏମର୍ଜେନ୍ସି ହେଲ୍ପଲାଇନରେ ଏକ କଲ୍ ଆସିଥିଲା, ଯେଉଁଥିରେ କୁହାଯାଇ ଥିଲା ଯେ, ଜଣେ ବ୍ୟକ୍ତି ମହିଳାଙ୍କ ଚେଞ୍ଜିଙ୍ଗ୍ ପରିସରରେ ପଶି ସେଠାରେ ଥିବା ଝିଅଙ୍କର ଭିଡ଼ିଓ କରୁଛନ୍ତି। ତେଲ୍ ଅଭିଭ୍ ସେଣ୍ଟ୍ରାଲ ଷ୍ଟେସନ ଓ ସ୍ପେଶାଲ ପେଟ୍ରୋଲ ୟୁନିଟ୍ର ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତକୁ ବିଚ୍ ନିକଟରୁ ଧରି ଥିଲେ।
ଇସ୍ରାଏଲୀୟ ମିଡ଼ିଆ ରିପୋର୍ଟ ଅନୁସାରେ, ଅଭିଯୁକ୍ତ ବ୍ୟକ୍ତି ତୁର୍କୀ ଦୂତାବାସରେ କାର୍ଯ୍ୟରତ ଥିବା କୁହାଯାଉଛି। ହେଲେ ଏହି ବିଷୟରେ ଏବେସୁଦ୍ଧା ଅଫିସିଆଲି ଭାବେ ସ୍ପଷ୍ଟ ହୋଇ ନାହିଁ। ପୁଲିସ ଅଭିଯୁକ୍ତକୁ ପଚରାପଚରି କରିଛି ଏବଂ ତାକୁ ହେପାଜତକୁ ନିଆଯାଇଛି। ଶନିବାର ରାତିରେ ତାଙ୍କୁ ତେଲ୍ ଅଭିଭ୍ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯାଇଛି, ଯେଉଁଠି ତାଙ୍କର ହେପାଜତକୁ ୨୮ ଜୁଲାଇ ଯାଏ ବୃଦ୍ଧି କରାଯାଇଛି।
ବର୍ତ୍ତମାନ ମାମଲାର ଯାଞ୍ଚ କରାଯାଉଛି ଏବଂ ଇସ୍ରାଏଲୀୟ ପୁଲିସ ଏହି ଗମ୍ଭୀର ଘଟଣାକୁ ନେଇ ସତର୍କ ଅଛି , ବିଶେଷକରି ଏଥିରେ ଏକ ବିଦେଶୀ ମିଶନ ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କ ନାଁ ଆସିଛି।