Live Live
LIVE

ଭୁଲ୍ ପଦକ୍ଷେପ...ଇସ୍ରାଏଲ-ଆମେରିକା ମଧ୍ୟରେ ମତଭେଦ; ଭିନ୍ନ ମୋଡ ନେଉଛି ଇରାନ ଯୁଦ୍ଧ

NEWS7
pm-modis-mann-ki-baat-program-received-more-dislikes-than-likes

ନୂଆଦିଲ୍ଲୀ: ଇରାନ୍ ଯୁଦ୍ଧ ଚାଲିଥିବା ବେଳେ ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ମତଭେଦ ହୋଇଛି । ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ଏବେ ଦୁଇ ସହଯୋଗୀଙ୍କ ମଧ୍ୟରେ ମତଭେଦ ତୀବ୍ର ହୋଇଛି । ଇସ୍ରାଏଲ ଶନିବାର ଏକାଥରେ ଇରାନ୍ର ୩୦ଟି ତୈଳ ଡିପୋରେ ମିସାଇଲ୍ ମାଡ଼ କରିଥିଲା । ଏହାକୁ ନେଇ ଟ୍ରମ୍ପ ପ୍ରଶାସନ ଅସନ୍ତୋଷ ପ୍ରକାଶ କରିଛି । ଏପରିକି ଇସ୍ରାଏଲକୁ ଆମେରିକୀୟ ଅଧିକାରୀ ଖରାପ ଭାଷାରେ ଗାଳିଗୁଲଜ କରିଥିବା ଜଣାପଡ଼ିଛି । ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଆକ୍ରମଣ ଏତେ ବ୍ୟାପକ ହେବ ବୋଲି ସେମାନେ ଜାଣିନଥିଲେ। ଆମେରିକା ଏହାକୁ ‘ଏକ ଭୁଲ ପଦକ୍ଷେପ’ ବୋଲି କହିଛି।

ଆକ୍ସିଓସର ଏକ ରିପୋର୍ଟ ଅନୁଯାୟୀ, ତୈଳ ଡିପୋ ଉପରେ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ଆମେରିକାକୁ ସୂଚନା ଦେଇଥିଲା । କିନ୍ତୁ ଆକ୍ରମଣର ପରିସର ଆଶାଠାରୁ ବହୁତ ବଡ଼ ଥିଲା। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ସେମାନେ ଆକ୍ରମଣର ପରିମାଣ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଏହି ନିଷ୍ପତ୍ତିକୁ ‘ଏକ ଖରାପ ଚିନ୍ତାଧାରା’ ବୋଲି କହିଛନ୍ତି। ଜଣେ ଇସ୍ରାଏଲ ଅଧିକାରୀଙ୍କ ଅନୁଯାୟୀ, ୱାଶିଂଟନର ବାର୍ତ୍ତା କଠୋର ଥିଲା, ଏହାକୁ ‘WTF’ ଭାବରେ ବର୍ଣ୍ଣନା କରାଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ପରାମର୍ଶଦାତା କହିଛନ୍ତି, ‘ରାଷ୍ଟ୍ରପତିଙ୍କୁ ଏହି ଆକ୍ରମଣ ପସନ୍ଦ ଆସିନାହିଁ। ସେ ତେଲ ଜାଳିବାକୁ ନୁହେଁ, ସଞ୍ଚୟ କରିବାକୁ ଚାହୁଁଛନ୍ତି।’ ଇସ୍ରାଏଲ ସେନା (IDF) କହିଛି ଯେ, ଡିପୋଗୁଡ଼ିକ ଇରାନ ସାମରିକ ୟୁନିଟଗୁଡ଼ିକୁ ଇନ୍ଧନ ଯୋଗାଣ ପାଇଁ ବ୍ୟବହାର କରାଯାଉଥିଲା। ତୈଳ ଡିପୋ ଉପରେ ଆକ୍ରମଣ କରି ଇରାନ୍କୁ ଇସ୍ରାଏଲ ଚେତାବନୀ ଦେଇଛି । ତେହେରାନ ଇସ୍ରାଏଲର ଆବାସିକ ଅଞ୍ଚଳ ଉପରେ ଆକ୍ରମଣ କରିବା ପୂର୍ବରୁ ଚିନ୍ତା କରିବ । ଇସ୍ରାଏଲର ଆକ୍ରମଣ ପରେ ତେହେରାନ ଏକ ଭୟଙ୍କର ଦୃଶ୍ୟ ଦେଖିଲା।

ଇସ୍ରାଏଲ ଏକାଥରେ ୩୦ଟି ତୈଳ ଡିପୋ ଉପରେ ଆକ୍ରମଣ କରିଥିଲା । ତୈଳ ଡିପୋଗୁଡ଼ିକ ଜଳିବା ଦ୍ବାରା ଏଥିରୁ ନିର୍ଗତ ଧୂଆଁ ଇରାନ ଆକାଶକୁ ଆଚ୍ଛାଦିକ କରିଦେଇଥିଲା । ବର୍ଷା ହେବା ପରେ କଳା ପାଣି ପ୍ରବାହିତ ହୋଇଥିଲା । ଏହା ଦେଶର ସ୍ବାସ୍ଥ୍ୟ ଏବଂ ପରିବେଶଗତ ସଙ୍କଟ ବୃଦ୍ଧି କରିବ ବୋଲି କୁହାଯାଉଛି । ସେପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଉତ୍ତେଜନାର ଅନେକ କାରଣ ଅଛି । ଆମେରିକା ଭୟ କରୁଛି ଯେ, ସାର୍ବଜନୀନ ଭିତ୍ତିଭୂମିକୁ ନଷ୍ଟ କରିବା ଦ୍ୱାରା ଇରାନର ଜନସାଧାରଣ ସରକାରଙ୍କୁ ବିରୋଧ କରିବା ପରିବର୍ତ୍ତେ ସମର୍ଥନ କରିବାକୁ ଉତ୍ସାହିତ ହେବେ। ଜଳୁଥିବା ଡିପୋଗୁଡ଼ିକର ଭିଡିଓ ବିଶ୍ୱ ବଜାରକୁ ଭୟଭୀତ କରିପାରେ। ଏପରି ଆକ୍ରମଣ ତୈଳ ବଜାରରେ ଆତଙ୍କ ସୃଷ୍ଟି କରିପାରେ। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଇରାନ ପ୍ରତିଶୋଧ ସ୍ୱରୂପ ଉପସାଗରୀୟ ତୈଳ ପ୍ରତିଷ୍ଠାନକୁ ଟାର୍ଗେଟ କରେ, ତେବେ ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୨୦୦ ଡଲାରରେ ପହଞ୍ଚିପାରେ।