ମୁମ୍ବାଇ ୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା, ମୁମ୍ବାଇ ଓ ଧାନବାଦରେ ବିସ୍ଫୋରଣ କରିବା ଲାଗି ଧମକପୂର୍ଣ୍ଣ ମ୍ୟାସେଜ ଉପରୁ ପର୍ଦ୍ଦା ହଟିଛି। ଫ୍ୟାକ୍ଟ୍ରି ମ୍ୟାନେଜର ବେତନ ନଦେବାରୁ ଅଭିଯୁକ୍ତ ଯୁବକର ଝଗଡ଼ା ହୋଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଯୁବକ ମୁମ୍ବାଇ ଟ୍ରାଫିକ ପୋଲିସ ହ୍ୱାଟସଆପ୍ ନମ୍ବରରେ ଧମକପୂର୍ଣ୍ଣ ମ୍ୟାସେଜ ପଠାଇଥିଲା। ମ୍ୟାସେଜର ଅଭିଯୁକ୍ତ କମ୍ପାନୀର ମାଲିକ ଇରଫାନ ରଜଡିଆ ସମ୍ପର୍କରେ ଉଲ୍ଲେଖ କରିଥିଲା।
ଆଜମେରରୁ ଗିରଫ ଯୁବକ ମୁମ୍ବାଇ ପୋଲିସକୁ ପଠାଇଥିବା ମ୍ୟାସେଜରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇରଫାନ ରାଜୋଡିଆ ମାରିବ ବୋଲି ଉଲ୍ଲେଖ କରିଥିଲା। ଏହା ଛଡା ସେ ମୁମ୍ବାଇ ଓ ଧାନବାଦରେ ବିସ୍ପୋରଣ କରିପାରେ ବୋଲି ମ୍ୟାସେଜରେ ଉଲ୍ଲେଖ କରିଥିଲା। ମୁମ୍ବାଇ ପୋଲିସ ଏଫଆଇଆର ଅନୁସାରେ ଯୁବକ ୭ ଡିସେମ୍ବର ୨୦୨୪ ରାତି ୧.୫୮ରୁ ୨.୨୬ମଧ୍ୟରେ ୧୫ ଟି ମ୍ୟାସେଜ ପଠାଇଥିଲା। ଏହି ମ୍ୟାସେଜ ଗୁଡିକୁ ପଢିବା ପରେ ମୁମ୍ବାଇ ୱର୍ଲି ପୋଲିସ ସମେତ ଦେଶର ସବୁ ସୁରକ୍ଷା ଏଜେନ୍ସୀ ଆଲର୍ଟ ମୋଡକୁ ଆସିଯାଇଥିଲେ।
ତେବେ ଯାଞ୍ଚରୁ ଏପରି ଧମକପୂର୍ଣ୍ଣ ମ୍ୟାସେଜ କରିଥିବା ଯୁବକ ରାଜସ୍ଥାନ ଆଜମେରର ବୋଲି ଜଣାପଡିଥିଲା। ଏହା ପରେ ଆଜମେର ଏଟିଏସ୍ ସିଆଇଡି, ଆଇବି ଓ କ୍ଲକ୍ ଟାୱାର ଥାନା ପୋଲିସ ଅଭିଯୁକ୍ତ ମିର୍ଜା ମହମ୍ମଦ ନଦୀମ ବେଗକୁ ଆଜମେର ରେଳଷ୍ଟେସନରୁ ଗିରଫ କରିଛନ୍ତି। ଏପରି ଧମକପୂର୍ଣ୍ଣ ମ୍ୟାସେଜ କରିଥିବା ମହମ୍ମଦ ନଦୀମ ବେଗ ଝାଡଖଣ୍ଡ, ଧାନବାଦ ନ୍ୟୁ କଲୋନୀ ମଠକୁରିଆର ବାସିନ୍ଦା। ପୋଲିସ ପଚରା ଉଚରାରୁ ବେତନକୁ ନେଇ ଫ୍ୟାକ୍ଟ୍ରି ମ୍ୟାନେଜର ସହିତ ତାର ଝଗଡ଼ା ହୋଇଥିଲା ବୋଲି କହିଛି। ଏହାର ପ୍ରତିଶୋଧ ନେବା ପାଇଁ ସେ ମୁମ୍ବାଇ ପୋଲିସକୁ ଏପରି ମ୍ୟାସେଜ କରିଥିଲା ବୋଲି କହିଛି।
ସେ ମ୍ୟାସେଜରେ ନିଜେ କିଡନାପ ହୋଇଥିବା, କମ୍ପାନୀରେ ଇଣ୍ଡିଆନ ଆର୍ମିକୁ ବର୍ବାଦ କରିବା ପାଇଁ ଅବୈଧ ଅସ୍ତ୍ରଶସ୍ତ୍ର ତିଆରି ହେଉଥିବା, ପ୍ରିନ୍ସ ଖାନ ଦ୍ୱାରା ଧାନବାଦରେ ବିସ୍ପାରଣ ଲାଗି ପ୍ରସ୍ତୁତି ଓ ଇରଫାନ ରାଜୋଡିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଓ ମୁମ୍ବାଇରେ ବିସ୍ଫୋରଣ ଯୋଜନା କରୁଥିବା ଉଲ୍ଲେଖ କରିଥିଲା। ଏହା ଛଡା ନଦୀମ ମୁମ୍ବାଇ ପୋଲିସକୁ ପଠେଇଥିବା ମ୍ୟାସେଜରେ ଇରଫାନ ଯୁବତୀ ଚାଲାଣ ରାକେଟ ଚଳାଉଥିବାର ମଧ୍ୟ ଉଲ୍ଲେଖ କରିଥିଲା।