ଗମ୍ଭୀର ରଣଜିରେ କୋଚିଂ ଦିଅନ୍ତୁ, ସେଠାରେ ଭଲ ପ୍ରଶିକ୍ଷଣ ଶିଖିପାରିବେ...କଟାକ୍ଷ କଲେ ପୂର୍ବତନ ଇଂଲିଶ କ୍ରିକେଟର

NEWS7
pm-modi-mahakumbh-prayagraj-visit-schedule-5-feb-

ନୂଆଦିଲ୍ଲୀ, ୨୯/୧୨: ଅନ୍ତର୍ଜାତୀୟ ଫର୍ମାଟରେ ପାରୁ ନାହାଁନ୍ତି ଗୌତମ ଗମ୍ଭୀର । ସେ ରଣଜୀ ଟିମରେ କୋଚିଂ ଦିଅନ୍ତୁ । ସେଠାରୁ କିଛି ଶିଖିବା ପରେ ଅନ୍ତର୍ଜାତୀୟ ଫର୍ମାଟକୁ ଆସନ୍ତୁ । ଟେଷ୍ଟ୍ ସିରିଜରେ ଭାରତର ଦୁର୍ବଳ ପ୍ରଦର୍ଶନକୁ ନେଇ ଏମିତି କିଛି କହିଛନ୍ତି ଇଂଲଣ୍ଡ ଟିମର ପୂର୍ବତନ ସ୍ପିନର ମଣ୍ଟି ପାନେସର । 

ପାନେସର କହିଛନ୍ତି ଯେ, ଧଳା ବଲରେ ଗମ୍ଭୀର ଭଲ କୋଚିଂ ଦେଉଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ସଫଳ ହେଉଛି । ହେଲେ ଟେଷ୍ଟ କ୍ରିକେଟରେ ସେ ପୁରା ଫେଲ୍ । ତେଣୁ ଗମ୍ଭୀର ରଣଜି ଟ୍ରଫିକୁ ନଜର ଦେବା ଦରକାର । ସେଠାରେ ସେ ଅନ୍ୟ କୋଚଙ୍କ ସହ ମିଶି କିଛି ଅଭିଜ୍ଞତା ହାସଲ କରିପାରିବେ । ଏଠାରେ ରେଡ୍ ବଲ କ୍ରିକେଟକୁ ଭଲରେ ବୁଝିହେବ । କିପରି ଅଧିକ ଦିନ ଧରି ଚାଲୁଥିବା ମ୍ୟାଚରେ ଦଳ ଚୟନ କରାଯାଏ ତାହା ଗୌତମ ରଣଜୀ ମୁକାବିଲାରୁ ଶିଖିପାରିବେ ।

ମଣ୍ଟି ପାନେସରଙ୍କ ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଗମ୍ଭୀରଙ୍କୁ ହଟାଇବା ପାଇଁ ବିସିସିଆଇ ଚିନ୍ତା କରୁଥିବା ନେଇ ଖବର ଆସିଥିଲା । ଗମ୍ଭୀରଙ୍କ ଜାଗାରେ ଭିଭିଏସ ଲକ୍ଷ୍ଣଣଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ପ୍ରଦାନ କରାଯାଇଥାନ୍ତା । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ଗମ୍ଭୀରଙ୍କୁ ସମାଲୋଚନା କରାଯାଉଛି ।

ଇଂଲଣ଼୍ଡର ପୂର୍ବତନ ବୋଲର ଆହୁରି କହିଛନ୍ତି ଯେ, ଗମ୍ଭୀର ଜଣେ ଭଲ କୋଚ୍ । ସେ ରଣଜୀରୁ କିଛି ଶିଖିବା ଦରକାର । ବର୍ତ୍ତମାନ ଟେଷ୍ଟ ଫର୍ମାଟରେ ଭାରତର ଅବସ୍ଥା ଭଲ ନାହିଁ । ଏହା ବାସ୍ତବ କଥା । ବଡ ବଡ ଖେଳାଳି ଅବସର ନେଲା ପରେ ଅନ୍ୟ ଖେଳାଳିଙ୍କୁ ପ୍ରସ୍ତୁତ କରିବା ସହଜ ନୁହେଁ । ଏହାସହ ଶୁଭମନ ଗିଲ ମଧ୍ୟ ସବୁ ଫର୍ମାଟରେ ଖେଳିବା ପାଇଁ ଏଯାଏଁ ଫିଟ୍ ହୋଇ ନାହାଁନ୍ତି । ଭଲ ଦକ୍ଷତା ଥିଲେ ମଧ୍ୟ ଗିଲ ସାମାନ୍ୟ ଅଳସୁଆ ଅଟନ୍ତି । ବିରାଟ କୋହଲିଙ୍କ ଭଳି କ୍ରିକେଟରଙ୍କ ସ୍ଥାନ କେବେ ଗିଲ୍ ନେଇପାରିବେ ନାହିଁ ।

ସୂଚନାଯୋଗ୍ୟ,ଗମ୍ଭୀରଙ୍କ ଯୁଗରେ ଟିମ୍ ଇଣ୍ଡିଆ ଟେଷ୍ଟ୍ ଫର୍ମାଟରେ ଲଗାତାର ହାରୁଛି । ପ୍ରଥମେ ଦଳ ନ୍ୟୁଜିଲାଣ୍ଡଠୁ ୩-୦ରେ ସିରିଜ୍ ହାରିଥିଲା । ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ୨-୦ରେ ସିରିଜ୍ ପରାସ୍ତ ହୋଇଥିଲା ଟିମ୍ ।