ରାଜ୍ୟସଭାର ୪ର୍ଥ ସିଟ୍ ପାଇଁ ଛକାପଞ୍ଛା, କିଏ ଯିବେ ୪ର୍ଥ ସିଟରୁ ସଂସଦର ଉଚ୍ଚସଦନ

NEWS7
pm-modi-dedicated-to-country-indian-navy-three-battleships

ଭୁବନେଶ୍ଵର: କିଏ ଯିବେ ୪ର୍ଥ ସିଟରୁ ରାଜ୍ୟସଭା । ଓଡିଶାରେ ଖାଲି ପଡୁଥିବା ୪ ଟି ରାଜ୍ୟ ସଭା ସିଟ୍ ରୁ ୨ଟିରେ ବିଜେପି ଓ ଗୋଟିଏରେ ବିଜେଡି ଜିତିବା ପକ୍କା ଥିବା ବେଲେ ୪ର୍ଥ ସିଟ ପାଇଂ ବାସ୍ତବରେ ଅସଲ ଖେଳ ହେବ ବୋଲି ଆଲୋଚନା ହେଉଛି । ଏହା ଭିତରେ ଶିଲ୍ପପତି ତଥା ରାଜନେତା ଦିଲିପ ରାୟ ୪ର୍ଥ ସିଟ ହାତେଇବାକୁ ପ୍ରୟାସ କରୁଥିବା ନେଇ ଆରମ୍ଭ ହୋଇଛି ଚର୍ଚା । ତେବେ ଏହି ସିଟ ଜିତିବାକୁ ଉଭୟ ବିଜେପି ଓ ବିଜେଡିର ସମର୍ଥନ ଦରକାର ପଡୁଥିବାରୁ ବାସ୍ତବରେ କିଏ ଏହି ସିଟ୍ ଜିତି ବାଜିମାତ କରିବେ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କ କଷା ।

ରାଜ୍ୟସଭାର ୪ର୍ଥ ସିଟ୍ ପାଇଁ ଛକାପଞ୍ଛା । ଯେହେତୁ ସଂଖ୍ୟା ଗଣିତରେ ବିଜେପି ଦୁଇଟି ଏବଂ ବିଜେଡିର ଗୋଟିଏ ସିଟ୍ ଜିତିବା ପକ୍କା ସେଥିପାଇଁ ୪ର୍ଥ ସିଟ୍ ଉପରେ ବଡ ମୁଣ୍ଡଙ୍କ ନଜର । ଏହାଭିତରେ ୪ର୍ଥ ସିଟ୍ ହାତେଇବାକୁ ଶିଳ୍ପପତି ଦିଲ୍ଲିପ ରାୟ ପ୍ରୟାସ ଆରମ୍ଭ କରିଥିବା ନେଇ ଚର୍ଚ୍ଚା । ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହ ଦିଲ୍ଲିପ ରାୟଙ୍କ ନିଭୃତ ଆଲୋଚନା ଏହି ସଂଙ୍କେତ ଦେଇଛି । ଯେଭଳି ବିଜେପି ପ୍ରାର୍ଥି ହୋଇ ଅଶ୍ବିନୀ ବୈଷ୍ଣବ ବିଜେଡି ସମର୍ଥନରେ ରାଜ୍ୟସଭା ଯାଇଥିଲେ ସେହି ଫର୍ମୁଲାରେ ଦିଲ୍ଲିପ ରାୟ ରାଜ୍ୟସଭା ଯିବାକୁ ମନବଳାଇଛନ୍ତି ।

ଏଥିପାଇଁ କୁଆଡେ ଦିଲ୍ଲୀପ ରାୟଙ୍କୁ ବିଜେପି ଗ୍ରିନ ସିଗନାଲ ଦେଇଥିବା ନେଇ ଚର୍ଚା ହେଉଛି । ସେଥିପାଇଁ କିଛିଦିନ ତଳେ ନବୀନ ନିବାସ ଯାଇ ଦିଲ୍ଲିପ ରାୟ ନବୀନ ପଟନାୟକଙ୍କୁ ବି ଭେଟି ସାରିଛନ୍ତି । କିନ୍ତୁ ଏଥିପାଇଁ ବିଜେଡି ସିଧାସଳଖ ଦିଲିପ ରାୟଙ୍କୁ ସମର୍ଥନ ଘୋଷଣା କରିବ ନା ୪ର୍ଥ ପ୍ରାର୍ଥି ପାଇଁ ଭୋଟ ଦାନରୁ ବିରତ ରହିବ ସେ କାର୍ଡ କିନ୍ତୁ ଖୋଲିନି ବିଜେଡି ।

ଦୁଇଦିନ ତଳେ ଗଣମାଧ୍ୟମ ଆଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ କହିଥିଲେ, ଚତୁର୍ଥ ରାଜ୍ୟସଭା ସିଟ ବିଜେପି ହାତକୁ ଯିବ | ଜିତିବାର ରଣ କୌଶଳ ଆମକୁ ଜଣା ଅଛି । ତେଣୁ ବିଜେପି ୪ର୍ଥ ସିଟ୍ ହାତେଇବା ନେଇ କନଫିଡେଣ୍ଟ । ଏବେ କିନ୍ତୁ କଂଗ୍ରେସ ୪ର୍ଥ ସିଟ୍ ପାଇଂ ପ୍ରାର୍ଥି ଦେବ ବୋଲି ଘୋଷଣା କରିବା ପରେ ଗଣିତ ଭିନ୍ନ ହେବ ବୋଲି ଆକଳନ କରାଯାଉଛି । କଂଗ୍ରେସ ର ୧୪ ବିଧାୟକ ଥିବାରୁ ବାକି ସଂଖ୍ୟା ପାଇଁ ବିଜେଡ଼ି ଓ ବିଜେପିରୁ ସମର୍ଥନ ଯୋଗାଡ଼ କରିବ ବୋଲି କହୁଛି କଂଗ୍ରେସ ।

କିନ୍ତୁ ବିଜେଡ଼ିରେ ଏବେ ଘଡି କେ ଘୋଡା ଛୁଟୁଥିବାରୁ କ୍ରସ ଭୋଟିଙ୍ଗ ଉପରେ ଆଖି ରଖିଛି କଂଗ୍ରେସ । ସେପଟେ ବିଜେଡି ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିବା ପରେ ଦଳ ୪ର୍ଥ ସିଟ୍ ରେସ୍‌ରୁ ଏକ ପ୍ରକାର ଓହରି ଯାଇଥିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ୪ର୍ଥ ସିଟ୍ ପାଇଁ ଲଢେଇ ରୋଚକ ହେବ ବୋଲି ରାଜନୈତିକ ମହଲରେ ଚର୍ଚା ।

ବର୍ତ୍ତମାନ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା୭୯ | ୩ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ମିଶାଇଲେ ବିଜେପିର ସଂଖ୍ୟା ୮୨ | ଦୁଇ ବିଧାୟକଙ୍କ ନିଲମ୍ବନ ପରେ ବିଜେଡି ବିଧାୟକଙ୍କ ସଂଖ୍ୟା ଏବେ ୪୮, କଂଗ୍ରେସର ୧୪, ଆଉ ଜଣେ ସିପିଆଇଏମ ସଦସ୍ୟ | ହିସାବ ଅନୁସାରେ ୩୧ ଟି ଭୋଟ ପାଇଲେ ଜଣେ ରାଜ୍ୟସଭାକୁ ନିର୍ବାଚିତ ହେବେ | ତେଣୁ ବିଜେପି ଦୁଇଟି ସିଟ ନିଜ ଅକ୍ତିଆରକୁ ନେବ | ବିଜେଡ଼ି ମଧ୍ୟ ଗୋଟେ ସିଟ ନିଜ ସପକ୍ଷକୁ ଆଣିବ | ଏହାବାଦ୍ ବିଜେପି ପାଖରେ ଆହୁରି ୨୦ଜଣ ବିଧାୟକ ରହିବେ, ବିଜେଡ଼ି ପାଖରେ ୧୭ ବିଧାୟକ ଏବଂ କଂଗ୍ରେସ ପାଖରେ ୧୪ ବିଧାୟକ । ଏହି ମାନେ ହିଁ ୪ର୍ଥ ପ୍ରାର୍ଥି କିଏ ହେବେ ସେଥିରେ ନିର୍ଣ୍ଣାୟକ ଭୂମିକା ନେବେ ।