ଅଣ୍ଡା ଖାଇବା ଦ୍ୱାରା କର୍କଟ ହେବାର ଆଶଙ୍କା ରହିଛି କି ? ସ୍ପଷ୍ଟ ଜବାବ ଦେଲା FSSAI

NEWS7
pm-modi-congratulates-to-the-people-of-odisha-for-ayushman-bharat

ନୂଆଦିଲ୍ଲୀ: ଆଧୁନିକ ସଭ୍ୟତାରେ ଖାଦ୍ୟପେୟକୁ ନେଇ ଅନେକ ଦ୍ବନ୍ଦ୍ବ । କ’ଣ ଖାଇବେ, କ’ଣ ଖାଇବେନେି, ତାକୁ ନେଇ କେତେ ତଥ୍ୟ । କିନ୍ତୁ ସତ କେଉଁଟା, ସେନେଇ ହୁଏତ ସମସ୍ତଙ୍କ ପାଖରେ ପ୍ରାମାଣିକ ସିଦ୍ଧାନ୍ତ ନାହିଁ । ଏସବୁ ଭିତରେ ସୋସିଆଲ ମିଡିଆରେ ଅନେକ ଜ୍ଞାନ ଦେଉଛନ୍ତି । ଏହାକୁ ଅନେକ ମଧ୍ୟ ଫଲୋ ବି କରୁଛନ୍ତି । ସେହିଭଳି ଅଣ୍ଡା ସହିତ କ୍ୟାନ୍ସର କନେକ୍ସନ ଥିବା ନେଇ ବହୁ ଦାବି ହୋଇଛି । ଏହାରି ମଧ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଅଣ୍ଡାକୁ କର୍କଟ ରୋଗ ସହିତ ଯୋଡ଼ୁଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛି ।

ଏହାକୁ ଭ୍ରାମକ, ଭିତ୍ତିହୀନ ଏବଂ ଚିନ୍ତାଜନକ ବୋଲି କହିଛି ଏଫଏସଏସଏଆଇ । ଶନିବାର ଜାରି ଏକ ବିବୃତ୍ତିରେ ଖାଦ୍ୟ ସୁରକ୍ଷା ନିୟାମକ ସ୍ପଷ୍ଟ କରିଛି ଯେ, ଦେଶରେ ଉପଲବ୍ଧ ଅଣ୍ଡା ମଣିଷ ଖାଇବା ପାଇଁ ନିରାପଦ ଏବଂ ଅଣ୍ଡାରେ କର୍କଟ ରୋଗ ସୃଷ୍ଟିକାରୀ ପଦାର୍ଥର ଉପସ୍ଥିତିର କୌଣସି ବୈଜ୍ଞାନିକ ଆଧାର ନାହିଁ। ସୋସିଆଲ ମିଡିଆରେ ଦାବି ହୋଇଥିଲା ଯେ, ଭାରତରେ ବିକ୍ରି ହେଉଥିବା ଅଣ୍ଡାରେ ନାଇଟ୍ରୋଫ୍ୟୁରାନ ମେଟାବୋଲାଇଟ୍ସ (AOZs) ରହିଛି । ଯାହା କଥିତ ଭାବରେ କର୍କଟ ରୋଗ ସହିତ ଜଡିତ ଏକ ପଦାର୍ଥ। FSSAI ଅଧିକାରୀମାନେ ଜୋର ଦେଇ କହିଛନ୍ତି ଯେ., ଖାଦ୍ୟ ସୁରକ୍ଷା ଏବଂ ମାନକ (ଦୂଷକ, ବିଷାକ୍ତ ପଦାର୍ଥ ଏବଂ ଅବଶିଷ୍ଟାଂଶ) ନିୟମାବଳୀ, 2011 ଅନୁଯାୟୀ କୁକୁଡ଼ା ଚାଷ ଏବଂ ଅଣ୍ଡା ଉତ୍ପାଦନର ସମସ୍ତ ପର୍ଯ୍ୟାୟରେ ନାଇଟ୍ରୋଫ୍ୟୁରାନର ବ୍ୟବହାର କଡ଼ାକଡ଼ି ଭାବରେ ନିଷିଦ୍ଧ।

ଜଣେ ଅଧିକାରୀ କହିଛନ୍ତି ଯେ, ସର୍ବାଧିକ ଅବଶିଷ୍ଟ ସୀମା (EMRL) ତଳେ ଟ୍ରେସ୍ ଅବଶିଷ୍ଟ୍ୟ ଖାଦ୍ୟ ସୁରକ୍ଷା ଉଲ୍ଲଂଘନ ନୁହେଁ କିମ୍ବା ଏହା କୌଣସି ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରେ ନାହିଁ। ଜନସ୍ୱାସ୍ଥ୍ୟ ଚିନ୍ତା ଉପରେ, FSSAI ବୈଜ୍ଞାନିକ ପ୍ରମାଣକୁ ଉଦ୍ଧୃତ କରି କହିଛି ଯେ, ଖାଦ୍ୟପେୟରେ ନାଇଟ୍ରୋଫ୍ୟୁରାନ ମେଟାବୋଲାଇଟର ସୁକ୍ଷ୍ମ ସ୍ତର ଏବଂ ମାନବ ଶରୀରରେ କର୍କଟ କିମ୍ବା ଅନ୍ୟାନ୍ୟ ପ୍ରତିକୂଳ ସ୍ୱାସ୍ଥ୍ୟ ଫଳାଫଳ ସହିତ କୌଣସି ପ୍ରମାଣସିଦ୍ଧ ସମ୍ପର୍କ ନାହିଁ ।

ବିବୃତ୍ତିରେ କୁହାଯାଇଛି ଯେ, ପୃଥକ ପରୀକ୍ଷାଗାର ତଥ୍ୟ ଆଧାରରେ ଅଣ୍ଡାକୁ ଅସୁରକ୍ଷିତ ବୋଲି ଲେବଲ୍ କରିବା ବୈଜ୍ଞାନିକଙ୍କ ମତରେ ଭୁଲ । FSSAI ଗ୍ରାହକମାନଙ୍କୁ ପ୍ରମାଣ ଏବଂ ସରକାରୀ ପରାମର୍ଶ ଉପରେ ନିର୍ଭର କରିବାକୁ ଅନୁରୋଧ କରିଛି । ଖାଦ୍ୟ ସୁରକ୍ଷା ନିୟମାବଳୀ ପାଳନ କରି ଉତ୍ପାଦନ କଲେ ଅଣ୍ଡା ଏକ ନିରାପଦ, ପୁଷ୍ଟିକର ଏବଂ ମୂଲ୍ୟବାନ ଉପାଦାନ ।