ପିଏମ୍ ମୋଦୀଙ୍କୁ ମିଳିଲା ନାମିବ୍ୟାର ସର୍ବୋଚ୍ଚ ସମ୍ମାନ, କହିଲେ- ଆମର ଅତୁଟ ବନ୍ଧୁତାକୁ ଉତ୍ସର୍ଗ କରୁଛି

Published By : Prameya-News7 Bureau | July 09, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନାମିବ୍ୟାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ବୁଧବାର ନାମିବ୍ୟାର ସର୍ବୋଚ୍ଚ ନାଗିରକ ସମ୍ମାନ 'ଅର୍ଡର ଅଫ୍ ଦି ମୋଷ୍ଟ ଆନସିଏଣ୍ଟ ୱେଲୱିଟସଚିଆ ମିରାବିଲିସ୍' ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ରେ ଦାୟିତ୍ୱ ଗ୍ରହଣ କରିବାଠୁ ଏହା ତାଙ୍କୁ ବିଦେଶୀ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୨୭ତମ ଅନ୍ତର୍ଜାତୀୟ ସମ୍ମାନ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ନନ୍ଦି-ନଦୈତୱା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏଥିରେ ଦୁଇ ଦେଶ ଶକ୍ତି ଏବଂ ସ୍ୱାସ୍ଥ୍ୟସେବା ସମେତ ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଚାରୋଟି ଚୁକ୍ତି ସ୍ୱାକ୍ଷର କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦrଙ୍କୁ ବୁଧବାର ନାମବ୍ୟାର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ୍ ଦି ମୋଷ୍ଟ ଆନସିଏଣ୍ଟ ୱେଲୱିଟସଚିଆ ମିରାବିଲିସ୍' ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପାଞ୍ଚ-ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ନାମିବ୍ୟାରେ ଅଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନାମିବ୍ୟା ଏବଂ ଭାରତର ତୃତୀୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ।

ନାମିବ୍ୟାର ରାଷ୍ଟ୍ରପତି ନେତୁମ୍ବୋ ନନ୍ଦୀ-ନଦୈତୱାହ କହିଛନ୍ତି, 'ନାମିବ୍ୟା ସମ୍ବିଧାନ ଦ୍ୱାରା ମୋତେ ଦିଆଯାଇଥିବା କ୍ଷମତା ଅନୁଯାୟୀ, ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋତ୍ତମ ପ୍ରାଚୀନ ୱେଲୱିଟସଚିଆ ମିରାବିଲିସ୍ ଅର୍ଡର ପ୍ରଦାନ କରି ସମ୍ମାନିତ । ପ୍ରଧାନମନ୍ତ୍ରୀ ମୋଦୀ ନାମିବ୍ୟା ଏବଂ ବିଶ୍ୱ ସ୍ତରରେ ସାମାଜିକ-ଆର୍ଥିକ ବିକାଶ ଏବଂ ଶାନ୍ତି ଏବଂ ନ୍ୟାୟର ପ୍ରୋତ୍ସାହନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ।'

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, 'ଏହି ପୁରସ୍କାରରେ ସମ୍ମାନିତ ହେବା ମୋ ପାଇଁ ଅତ୍ୟନ୍ତ ଗର୍ବ ଏବଂ ସମ୍ମାନର ବିଷୟ । ମୁଁ ରାଷ୍ଟ୍ରପତି, ନାମିବ୍ୟା ସରକାର ଏବଂ ଏଠାକାର ଲୋକଙ୍କ ପ୍ରତି ମୋର ହୃଦୟର କୃତଜ୍ଞତା ଜ୍ଞାପନ କରୁଛି । ମୁଁ ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଏହି ସମ୍ମାନକୁ ବିନମ୍ରତାର ସହ ଗ୍ରହଣ କରୁଛି।' 

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'ଏହା ଭାରତ ଏବଂ ନାମିବ୍ୟା ମଧ୍ୟରେ ବନ୍ଧୁତାର ପ୍ରମାଣ । ମୁଁ ଏହି ସମ୍ମାନ ନାମିବ୍ୟା ଏବଂ ଭାରତର ଲୋକଙ୍କୁ, ସେମାନଙ୍କର ନିରନ୍ତର ପ୍ରଗତି ଏବଂ ବିକାଶ ଏବଂ ଆମର ଅତୁଟ ବନ୍ଧୁତାକୁ ଉତ୍ସର୍ଗ କରୁଛି । ଜଣେ ପ୍ରକୃତ ବନ୍ଧୁ କେବଳ କଷ୍ଟକର ସମୟରେ ଜଣାପଡ଼େ । ଭାରତ ଏବଂ ନାମିବ୍ୟା ସେମାନଙ୍କର ସ୍ୱାଧୀନତା ସଂଗ୍ରାମ ସମୟରୁ ପରସ୍ପର ସହିତ ଠିଆ ହୋଇଛନ୍ତି । ଆମର ବନ୍ଧୁତା ରାଜନୀତିରୁ ନୁହେଁ, ବରଂ ସଂଘର୍ଷ, ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସରୁ ସୃଷ୍ଟି । ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦ୍ୱାରା ପରିପୂର୍ଣ୍ଣ ହୋଇଛି । ଭବିଷ୍ୟତରେ ବି ଆମେ ବିକାଶ ପଥରେ ପରସ୍ପରର ହାତ ଧରି ଆଗକୁ ବଢ଼ିବା ଜାରି ରଖିବୁ।'

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ରାଜିଲର ସର୍ବୋଚ୍ଚ ନାଗରିକ ସମ୍ମାନ 'ଗ୍ରାଣ୍ଡ କଲାର ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସାଉଦର୍ଣ୍ଣ କ୍ରସ୍' ପ୍ରଦାନ କରାଯାଇଥିଲା । ପାଞ୍ଚ ରାଷ୍ଟ୍ର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତ୍ରିନିଦାଦ ଏବଂ ଟବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ୍ ଦି ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଏବଂ ଟୋବାଗୋ' ପ୍ରଦାନ କରାଯାଇଥିଲା । ଘାନା ବି ତାଙ୍କୁ 'ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା' ସମ୍ମାନରେ ସମ୍ମାନିତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.