ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ନିମନ୍ତ୍ରଣ କଲେ କାନାଡ଼ା ପ୍ରତିପକ୍ଷ

Published By : Prameya-News7 Bureau | June 06, 2025 IST

INDIATODAY

ନୂଆଦିଲ୍ଲୀଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସମ୍ମିଳନୀରେ ଯୋଗ ଦେବାକୁ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ନିମନ୍ତ୍ରଣ କରିଛନ୍ତି। ଏହାପରେ ମୋଦୀଙ୍କ କାନାଡ଼ା ଗସ୍ତ ସ୍ପଷ୍ଟ ହୋଇଛି। 

ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି “କାନାଡାର ପ୍ରଧାନମନ୍ତ୍ରୀ ମାର୍କ ଜେ କାର୍ନିଙ୍କ ଠାରୁ ଫୋନ୍ ପାଇ ଖୁସି ହେଲି। ତାଙ୍କ ସମ୍ପ୍ରତି ନିର୍ବାଚନ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲି ଏବଂ ଏହି ମାସ ଶେଷରେ କାନାନାସ୍କିସ୍‌ରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ନିମନ୍ତ୍ରଣ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଲି। ଗଭୀର ଜନ ସମ୍ପର୍କ ଦ୍ୱାରା ବାନ୍ଧି ହୋଇଥିବା ଏକ ଗଣତନ୍ତ୍ର ଭାବରେ, ଭାରତ ଏବଂ କାନାଡା ପାରସ୍ପରିକ ସମ୍ମାନ ଏବଂ ସମାନ ସ୍ୱାର୍ଥ ଦ୍ୱାରା ପରିଚାଳିତ ନୂଆ ଶକ୍ତି ସହିତ ଏକାଠି କାମ କରିବେ। ଶିଖର ସମ୍ମିଳନୀରେ ଆମର ସାକ୍ଷାତ ପାଇଁ ଅପେକ୍ଷା କରନ୍ତୁ।”

କାନାଡାର ସଂଘୀୟ ନିର୍ବାଚନରେ ବିଜୟୀ ହୋଇ କାର୍ନି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏହା ତାଙ୍କର ପ୍ରଥମ ଆନୁଷ୍ଠାନିକ ସାକ୍ଷାତ୍‌କାର ହେବ। ଜଷ୍ଟିନ ଟ୍ରୁଡୋଙ୍କ ସମୟରେ ଦୁଇ ଦେଶ ମଧ୍ୟରେ ବିଗିଡ଼ି ଯାଇଥିବା ସମ୍ପର୍କ ପୁଣିଥରେ ସୁଧାର ଆସିପାରେ ବୋଲି କୁହାଯାଉଛି।

ପଢନ୍ତୁ- ମାନବିକତା ଉପରେ ଆକ୍ରମଣ ଥିଲା ପହଲଗାମ ଆଟାକ୍, ଦଙ୍ଗା ସୃଷ୍ଟି କରିବା ଥିଲା ଉଦ୍ଦେଶ୍ୟ: ପିଏମ୍ ମୋଦୀ

ତେବେ ଭାରତ ଓ କାନାଡ଼ା ମଧ୍ୟରେ ସମ୍ପର୍କ ଖରାପ ହେବା ଯୋଗୁ ପ୍ରଧାନମନ୍ତ୍ରୀ ମୋଦୀ ଜି-୭ ବୈଠକରେ ଯୋଗ ଦେଇ ନପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ମୋଦୀଙ୍କ କାନାଡ଼ା ଗସ୍ତ ନେଇ କୌଣସି ସୂଚନା ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଥିଲା। ଏବେ ନିମନ୍ତ୍ରଣ ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପକ୍କା ହୋଇଛି।  

ଜି-୭ ହେଉଛି ବିଶ୍ୱର ସର୍ବାଧିକ ଶିଳ୍ପୋନ୍ନତ ଅର୍ଥନୀତି - ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ୟୁକେ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର ଏକ ଅନୌପଚାରିକ ଗୋଷ୍ଠୀ। ଏଥିରେ ୟୁରୋପୀୟ ସଂଘ (EU), IMF, ବିଶ୍ୱ ବ୍ୟାଙ୍କ ଏବଂ ଜାତିସଂଘ ମଧ୍ୟ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି।

ସୂଚନା ଥାଉକି, କାନାଡାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପରେ ଭାରତ ଓ କାନାଡ଼ା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା। କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏହି ଘଟଣାରେ ନରେନ୍ଦ୍ର ମୋଦି ସରକାରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରିବା ପରେ ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଭାରତ ଟ୍ରୁଡୋଙ୍କ ଅଭିଯୋଗକୁ "ଭିତ୍ତିହୀନ" ବୋଲି କହି କଠୋର ଭାବରେ ଖାରଜ କରିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ମଧ୍ୟ ଖରାପ ହୋଇଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.