ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ତାଙ୍କର ତ୍ରି ଦେଶୀୟ ବିଦେଶୀ ଯାତ୍ରାରେ ରବିବାର ପ୍ରଥମେ ସାଇପ୍ରସ୍ରେ ପହଞ୍ଚିଛନ୍ତି। ସାଇପ୍ରସ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ପ୍ରୋଟୋକଲ ଭାଙ୍ଗି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ସାଇପ୍ରସର ରାଷ୍ଟ୍ରପତିଙ୍କୁ ତାଙ୍କର ଭବ୍ୟ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ମୋଦୀ ସାଇପ୍ରସରେ ତାଙ୍କ ସ୍ୱାଗତର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ସାଇପ୍ରସ୍ରେ ମୋଦୀଙ୍କ ଏଭଳି ଭବ୍ୟ ସ୍ୱାଗତର ଚିତ୍ର ପଡ଼ୋଶୀ ତୁର୍କୀଏକୁ ବିଚଳିତ କରିପାରେ। କାରଣ ତୁର୍କିଏ ସାଇପ୍ରସ୍ ମଧ୍ୟରେ ଅହନିକୁଳର ସମ୍ପର୍କ ରହିଛି। ତୁର୍କିଏ ସବୁବେଳେ ସାଇପ୍ରସ୍କୁ ଅକ୍ତିଆର କରିବାକୁ ଚେଷ୍ଟା କରୁଥିବା ବେଳେ ମୋଦୀଙ୍କ ଗସ୍ତ ଏର୍ଦୋଗାନଙ୍କୁ ଚିଡ଼ାଇ ଦେଇଥିବ। ପ୍ରକୃତରେ, ତୁର୍କୀଏ ଭାରତର ପରମ ଶତ୍ରୁ ପାକିସ୍ତାନର ବନ୍ଧୁ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ତୁର୍କୀଏ ବିରୋଧ କରିଥିଲା। ଏବଂ ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷରେ ତୁର୍କିଏ ପାକିସ୍ତାନକୁ ଡ୍ରୋନ୍ ସହ ଅନ୍ୟାନ୍ୟ ସାମରିକ ସହଯୋଗ ମଧ୍ୟ କରିଥିଲା।
ଭାରତ-ସାଇପ୍ରସ୍ ସମ୍ପର୍କ
ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ସାଇପ୍ରସକୁ ପ୍ରଥମ ଗସ୍ତ କରିଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ସଫଳ ସାମରିକ କାର୍ଯ୍ୟାନୁଷ୍ଠାନ 'ଅପରେସନ୍ ସିନ୍ଦୂର' ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ। ସାଇପ୍ରସ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲା ଏବଂ ଇୟୁରୋପିୟ ୟୁନିୟନ ସ୍ତରୀୟ ଆଲୋଚନାରେ ପାକିସ୍ତାନରୁ ଆସୁଥିବା ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଠାଇବ ବୋଲି କହିଥିଲା। ତେବେ ମୋଦୀଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ୟୁରୋପୀୟ ସଂଘ ସହିତ ଭାରତର ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଦୁଇ ଦେଶର ସହଭାଗୀ ପ୍ରତିବଦ୍ଧତାକୁ ବଳ ଦେବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।
ତୁର୍କୀଏ-ସାଇପ୍ରସ ବିବାଦ
ସାଇପ୍ରସ୍ ଏବଂ ତୁର୍କୀଏ ପରସ୍ପର ପଡ଼ୋଶୀ । ଦୁଇ ଦେଶର ସୀମା ପରସ୍ପରକୁ ଲାଗିଛି।କିନ୍ତୁ ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ସୀମା ଏବଂ ଜାତିଗତ ବିବାଦ ଲାଗି ରହିଛି। ସାଇପ୍ରସର ଉତ୍ତର ଅଞ୍ଚଳରେ ତୁର୍କୀଏ ଏବଂ ଗ୍ରୀକ୍ ବଂଶୋଦ୍ଭବ ଲୋକଙ୍କ ସଂଖ୍ୟା ଅଧିକ। ୧୯୭୪ ମସିହାରେ ଗ୍ରୀକ୍ ସରକାରଙ୍କ ସମର୍ଥନରେ ଏକ ସାମରିକ ବିଦ୍ରୋହ ସହିତ ସାଇପ୍ରସ୍ ବିବାଦ ଆରମ୍ଭ ହୋଇଥିଲା। ଏହାପରେ, ତୁର୍କୀଏ ସାଇପ୍ରସର ଉତ୍ତର ଭାଗ ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ତୁର୍କୀଏ ସାଇପ୍ରସର ପ୍ରସିଦ୍ଧ ପର୍ଯ୍ୟଟନ ସହର ଭାରୋଶାକୁ କବ୍ଜା କରି ନେଇଥିଲା। ଦିନେ ପର୍ଯ୍ୟଟକଙ୍କ ଦ୍ୱାରା ପରିପୂର୍ଣ୍ଣ ଥିବା ବହୁତଳ କୋଠା ବିଶିଷ୍ଟ ଏହି ସହର ଗତ ୪୭ ବର୍ଷ ଧରି ନିର୍ଜନ ପଡ଼ି ରହିଛି।
ବିବିସି ରିପୋର୍ଟ ଅନୁଯାୟୀ, ତୁର୍କୀଏ ଏହି ଅଞ୍ଚଳରେ ୩୫ ହଜାର ସୈନିକଙ୍କୁ ମୁତୟନ କରିଛି। ଏହି ଘଟଣା ପରଠାରୁ, ଯୁଦ୍ଧ ପର ଠାରୁ ଏହି ଦ୍ୱୀପ ଦୁଇଟି ଭାଗରେ ବିଭକ୍ତ ହୋଇଛି। ତୁର୍କ ସାଇପ୍ରସବାସୀ ସେମାନଙ୍କ ଅଞ୍ଚଳକୁ ଏକ ଆତ୍ମଘୋଷିତ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି ଯାହାକୁ କେବଳ ତୁର୍କୀଏ ସ୍ୱୀକାର କରିଛି। ସେହିପରି ଗ୍ରୀକ ସାଇପ୍ରସ୍ ସରକାରକୁ, ୟୁକେ, ଆମେରିକା ସମେତ ବିଶ୍ୱର କିଛି ରାଷ୍ଟ୍ର ମାନ୍ୟତା ଦେଉଛନ୍ତି। ତେବେ ଜାତିସଂଘ ଦୀର୍ଘ ସମୟ ଧରି ଏହି ଦ୍ୱୀପକୁ ଏକାଠି କରିବାକୁ ଚେଷ୍ଟା କରିଆସୁଛି। କିନ୍ତୁ, ଏପର୍ଯ୍ୟନ୍ତ ଏହା କୌଣସି ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳି ନାହିଁ।
ପାକିସ୍ତାନ ଓ ତୁର୍କିଏ ମଧ୍ୟରେ ଏକାଧିକ ସମାନତା ରହିଛି। ଯେପରି ପାକିସ୍ତାନ କାଶ୍ମୀରର କିଛି ଅଂଶ ଉପରେ ବେଆଇନ ଦଖଲ କରିଛି ଠିକ୍ ସେହିପରି ତୁର୍କୀଏ ମଧ୍ୟ ସାଇପ୍ରସର ଉତ୍ତର ଭାଗକୁ ଦଖଲ କରିଛି। ଉଭୟ ଦେଶରେ ଅଗଣତାନ୍ତ୍ରିକ ଏବଂ ଅବୈଧ ସରକାର ରହିଛି। ଏମାନେ ଇସଲାମ ନାଁରେ ଲୋକଙ୍କୁ ଭ୍ରମିତ କରି ଏବଂ ବଳ ପ୍ରୟୋଗ କରି ବିରୋଧୀଙ୍କୁ ଦମନ କରୁଛନ୍ତି।