ବିବାଦରେ ପୂର୍ଣ୍ଣଚ୍ଛେଦ; ନ୍ୟୁଜ ସେଭେନ୍ ଷ୍ଟୁଡିଓରେ ସାମ୍ନାସାମ୍ନି ହେଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ ଓ ପ୍ରଯୋଜକ ସଞ୍ଜୀବ ପାଢ଼ୀ

Published By : Prameya-News7 Bureau | March 09, 2025 IST

ଭୁବନେଶ୍ୱର 09/02 :   କିଛି ଦିନ  ଧରି ଚାଲିଥିବା ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ନ୍ୟୁଜ ସେଭେନ୍  ଷ୍ଟୁଡିଓରେ ସାମ୍ନାସାମ୍ନି ହେଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ ଓ ପ୍ରଯୋଜକ ସଞ୍ଜୀବ ପାଢ଼ୀ। ଅନେକ ଗୁମର ଖୋଲିଲେ।  ଭିତିରି କଥା ଆସିଲା ସାମ୍ନାକୁ। କଥା କଟାକଟି ସହ ଯୁକ୍ତିତର୍କ ହେଲା। ତଥ୍ୟ ସମୟ ଅତୀତ କଥା ସବୁ କିଛି ଦୁହେଁ କହିବାବେଳେ ପରସ୍ପରକୁ ବାଟ ଛାଡିଲେନି। ବାଟ ବି ଛାଡିଲେ। ଶେଷରେ ହେଲା ଫୈସଲା। ଟିଭି ଷ୍ଟୁଡିଓରେ ତର୍କ ଆଲୋଚନାରେ ଏକ ଚର୍ଚ୍ଚିତ ବିବାଦର ଉପସଂହାର ଆହୁରି ରୋଚକ ହେଲା। ବୋଧ ହୁଏ ଏପରି ସମାପ୍ତି ଆଗରୁ ହୋଇତିବା ଭଳି ନଜିର ନଥାଇ ପାରେ।   ତେବେ କଣ ବିବାଦ, କେଉଁଠୁ ଆରମ୍ଭ, କେଉଁ ଫୋରମ ଯାଏଁ କଥା ଗଲା। କିଏ କାହାକୁ ସତ କି ମିଛ କହିଲା । କାହିଁକି ଏତେ ହଇଚଇ ହେଲା। ମେନଷ୍ଟ୍ରିମ ମିଡିଆରୁ ବେଶି ହଇଚଇ ସୋସିଆଲ୍ ମିଡିଆରେ ହେଲା। କାହିଁକି ଏପରି ହେଲା। ପୂରା ଘଟଣା ଯେତିକି ଛନ୍ଦାଛନ୍ଦି ସେତିକି ରୋଚକ କୁହାଯାଇ ପାରେ। କିନ୍ତୁ ଏହି ବିବାଦରେ ନାୟକ ହେଉଛନ୍ତି ଯାତ୍ରା ପେଣ୍ଡାଲର ଖଳନାୟକ। ଆଉ ତାଙ୍କ ବିବାଦ ଯାତ୍ରା ମାଲିକଙ୍କ ସହ । ଦେଣନେଣକୁ ନେଇ, ଚୁକ୍ତି ଆଉ ସର୍ତ୍ତ ପ୍ରତିଜ୍ଞାକୁ ନେଇ ଯାତ୍ରାର କାହାଣୀ ଭଳି ଯାତ୍ରାର ଏସବୁ ପକ୍ଷଙ୍କ ବିବାଦ କିନ୍ତୁ ମିଡିଆ ପାଇଁ ହେଲା ବେସ୍ ଖୋରାକ।  


କିଛି ଦିନ ହେବ ଏହି ବିବାଦ।  ଯାତ୍ରାର ବେଶ୍ ଲୋକପ୍ରିୟ କଳାକାର ପିୟୁଷ ତ୍ରିପାଠୀ ଓରଫ ହରିଶଙ୍କର ତ୍ରିପାଠୀଙ୍କୁ ନେଇ । ତାଙ୍କ ଅଭିନୟର ଦକ୍ଷତା ଓ ଡିମାଣ୍ଡକୁ ନେଇ ଏହି ବିବାଦର ଆରମ୍ଭ ବୋଲି କୁହାଯାଇପାରେ। ବର୍ତ୍ତମାନ ସୂର୍ଯ୍ୟମନ୍ଦିର ଯାତ୍ରା ପାର୍ଟିରେ ଅଭିନୟ କରୁଥିବା ପିୟୁଷଙ୍କୁ ଆଗାମୀ ବର୍ଷଠୁ ବର୍ଷଠୁ ନେବାକୁ  ଚାହିଁଥିଲେ ସିଂହବାହିନୀ ଅପେରାର ପରିଚାଳକ।  ଏଥିପାଇଁ କିଛି ପର୍ଯ୍ୟାୟରେ କଥାବାର୍ତ୍ତା ପରେ ଚୁକ୍ତି ହୋଇଥିଲା। ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀଙ୍କ କହିବା ଅନୁସାରେ  ଚୁକ୍ତି କରି ପିୟୁଷଙ୍କୁ  ୫୫ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ଏକ ଦାମୀ ଫର୍ଚ୍ୟୁନର ଗାଡି ଦେଇଥିଲେ। ପିୟୁଷ ସିଂହବାହିନୀକୁ ଆସିବାକୁ କଥା ହେବା ସହ ପୁରୀ ଜଗନ୍ନାଥ ମନ୍ଦିରରେ ଶପଥ ବି କରିଥିବା ଦାବି କରିଥିଲେ ସଞ୍ଜୀବ। କିନ୍ତୁ ପରେ ପିୟୁଷ ମନା କରିଥିଲେ ସିଂହବାହିନୀ ଯାତ୍ରା ଅନୁଷ୍ଠାନରେ କାମ କରିବେନି । ଫୋନ କଲେ ରିସିଭ୍ କରୁନଥିଲେ।  ମେସେଜର ରିପ୍ଲାଏ ଦେଉନଥିଲେ ବୋଲି ଅଭିଯୋଗ କରି ଥିଲେ ଯାତ୍ରା ସିଂହବାହିନୀ ମାଲିକ ସଞ୍ଜୀବ । ଶିବ ରାତ୍ରୀ ଦିନ ସଞ୍ଜୀବ ଯାତ୍ରା ସିଂହାବାହିନୀ ପକ୍ଷରୁ ସୋସିଆଲ ମିଡିଆରେ ପିୟୁଷ ତ୍ରିପାଠୀଙ୍କ ନାମ ଷ୍ଟାରକାଷ୍ଟରେ ପ୍ରକାଶ କରିବାରୁ ଦେଖାଦେଇଥିଲା ବିବାଦ । କିଛି ଘଣ୍ଟା ଭିତରେ ସୋସିଆଲ୍ ମିଡିଆରେ ଭିଡିଓ ଛାଡ଼ି ପିୟୁଷ କହିଥିଲେ ମୁଁ ଏବର୍ଷ ସିଂବାହିନୀ ଯିବିନିକି କେବେ ବି ଯିବିନି। ଏହାପରେ ସୋସିଆଲ୍ ମିଡିଆରୁ ଟେଲିଭିଜନ ପରଦାକୁ  ଆସିଗଲା ଖବର। ନ୍ୟୁଜ ଏବଂ ଆଲୋଚନା । ସଞ୍ଜୀବ ପାଢ଼ୀ ଟିଭିରେ ପିୟୁଷ ବିରୋଧରେ ବର୍ଷୀଲେ। ପିୟୁଷ ବି ଗଣମାଧ୍ୟମରେ ଜବାବ ଦେଲେ।  କହୁ କହୁ କହିଦେଲେ ବହୁତ ବଦନାମ ହେଲି, ଯାତ୍ରା ଛାଡ଼ିଦେବି। ବ୍ରେକିଂ ନ୍ୟୁଜ ପିୟୁଷ ଛାଡ଼ିଦେବି ଯାତ୍ରା। ତାପରେ  ସୋସିଆଲ୍ ମିଡିଆରେ ଭିଡିଓ ଅଡିଓ ଆଉ କେତେ ରିଆକ୍ସନ। 

ଆଣ୍ଟି ହିରୋ ପିୟୁଷ ସତରେ ଯାତ୍ରା ଛାଡ଼ି ଦେବେ ...ଯାତ୍ରା ଦର୍ଶକ ନିରାଶ ହେବେ... ପାର୍ଟି ଲସ୍ କରିବ...ବଡ଼ ଷ୍ଟାରକାଷ୍ଟ ଆଶାରେ ଥିବା ସିଂହବାହିନୀ କଣ କରିବ। ସୂର୍ଯ୍ୟମନ୍ଦିର  କାହାକୁ ପେଣ୍ଡାଲକୁ ଓହ୍ଲାଇବ। ବଡ଼ ବଡ଼ ଯାତ୍ରା ଷ୍ଟାର୍ ଏବେ କୁଆଡ଼େ ଯିବେ। କାହାର କ୍ଷତି ଆଉ କାହାର ଲାଭ ହେବ। ଏମିତି ଖବରରେ ସୋସିଆଲ୍ ମିଡିଆରେ ହଇଚଇ। ଏପଟେ ପିୟୁଷ ବି ଟ୍ରୋଲ୍। ….. 

ଘଟଣାରେ ଆସିଲା ଟୁଇଷ୍ଟ୍। ନ୍ୟୁଜ ସେଭେନ୍ ଷ୍ଟୁଡିଓରେ ସାମ୍ନାସମ୍ନୀ ହେଲେ ପିୟୁଷ ସଞ୍ଜୀବ। ଉଠିଲା ପୁରୁଣା କଥା କେମିତି ଆରମ୍ଭ ହେଲା କଥାବାର୍ତ୍ତା। କେତେ ଥର ମୁଲଚାଲ୍। କେତେଥର ଦେଣନେଣ ଆଉ କେତେଥର ଫେରାଫେରି । ସବୁ ପରେ ବି ରହି ଯାଏ କେଁ। ଏହି ଆଲୋଚନାରେ କେତେ କତା ବାହାରିଲା। ପରସ୍ପରର ଦୋଷ କାଢ଼ିଲା ବେଳେ ଭାବପ୍ରବଣତା ଓ ମାନବିକତାରେ କଥାରେ ଦୁହେଁ ଝୁଣ୍ଟିଲେ। କହୁ କହୁ ସବୁ କଥା କହି ଗଲେ। ମଜାଦାର ହେଲା ଦୁହେଁ ମାନିଗଲେ ଦୁହିଁଙ୍କ ଭୁଲ୍।   ପରସ୍ପର ଉପରେ ମାନ ଅଭିମାନ କରିଥିଲେ।  ଏପରିକି ଶେଷରେ ପୂର୍ବ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ପୀୟୁଷ ଜଣାଇଥିଲେ ନିଜ ନିଷ୍ପତ୍ତି। ଏଗ୍ରିମେଣ୍ଟକୁ ଭାଙ୍ଗିବେ ନାହିଁ। ସିଂହବାହିନୀରେ ଅଭିନୟ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି ପୀୟୂଷ । ଆଉ ଏହାକୁ ମଧ୍ୟ ଭାବପ୍ରବଣତାର ସହିତ ସ୍ବାଗତ କରିଥିଲେ ସଞ୍ଜୀବ ପାଢ଼ୀ।  ଯାତ୍ରାରେ ଯାତ୍ରା ଶେଷ ... ଅପେକ୍ଷା ନୂଆ ଇନିଂସ୍ କେବେ ଷ୍ଟାର୍ଟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.