ଜର୍ମାନୀରେ ବିବାହ ଆଉ ଦିଲ୍ଲୀରେ ପିନାକୀ-ମହୁଆଙ୍କ ରିସେପ୍ସନ ପାର୍ଟି, ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ରାଜନେତା ସାମିଲ

Published By : Prameya-News7 Bureau | August 06, 2025 IST

ଭୁବନେଶ୍ବର ୬।୮: ବହୁ ଚର୍ଚ୍ଚିତ ଯୋଡ଼ି ପିନାକୀ ମିଶ୍ର ଓ ମହୁଆ ମୋଇତ୍ର ନିଜ ବିବାହକୁ ନେଇ ଚର୍ଚ୍ଚାରେ ଥିବାବେଳେ ଏବେ ରିସେପ୍ସନ ପାର୍ଟି ଦେଇଛନ୍ତି । ଦିଲ୍ଲୀରେ ଉଭୟଙ୍କ ରିସେପ୍ସନ ପାର୍ଟି ଅନୁଷ୍ଠିତ ହୋଇଛି । ମଙ୍ଗଳବାର ଦିଲ୍ଲୀର ଏକ ତାରକା ହୋଟେଲରେ ଉଭୟ ଦେଇଛନ୍ତି ରିସେପ୍ସନ ପାର୍ଟି । ମେ’ ମାସରେ ଉଭୟ ବିବାହ କରିଥିବା ବେଳେ ଅଗଷ୍ଟ ମାସରେ ରିସେପ୍ସନ ଦେଇଛନ୍ତି । ପରିବାର ଲୋକ, ସମ୍ପର୍କୀୟ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ ବହୁ ରାଜନେତା ଓ ନେତ୍ରୀ ମାନଙ୍କ ଗହଣରେ ଉଭୟ ତାଙ୍କ ରିସେପ୍ସନ ପାର୍ଟି ମନାଇଛନ୍ତି । 

ଏହି ପାର୍ଟିରେ ଅନେକ ରାଜନେତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରମୁଖ ଏହି ପାର୍ଟିରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । 

ସେହିଭଳି ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ, ବିଜେଡିର ସୁଲତା ଦେଓ, ସୁପ୍ରିୟା ସୁଲେ, କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ପ୍ରମୁଖ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ମେ’ ମାସ ୩୦ ତାରିଖରେ ପିନାକୀ ମିଶ୍ର ଏବଂ ମହୁଆ ମୋଇତ୍ର ଜର୍ମାନୀର୍ ବିବାହ କରିଥିଲେ । ପିନାକୀ ମିଶ୍ରଙ୍କ ଏହା ଦ୍ବିତୀୟ ବିବାହ ଥିଲା । ପିନାକୀ ତାଙ୍କ ପ୍ରଥମ ପତ୍ନୀ ସଙ୍ଗୀତା ମିଶ୍ରଙ୍କୁ ଛାଡ଼ପତ୍ର ଦେଇଥିଲେ । 

ପିନାକୀଙ୍କର ରାଜନୈତିକ ଯାତ୍ରା କଂଗ୍ରେସରୁ ଆରମ୍ଭ ହୋଇଥିଲା । ୧୯୯୬ରେ ସେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟ୍‌ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇ ତିନି ଥର ପୁରୀରୁ ଲୋକସଭାକୁ ଯାଇଥିଲେ । ୨୦୨୪ ନିର୍ବାଚନରେ ସେ ନିର୍ବାଚନ ଲଢ଼ି ନଥିଲେ । 

ସେପଟେ ୧୯୭୪ ମସିହାରେ ଆସାମରେ ଜନ୍ମ ଗ୍ରହଣ କରିଥିବା ମହୁଆ ତାଙ୍କ କ୍ୟାରିଅର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ରୂପେ ଆରମ୍ଭ କରିଥିଲେ । ବିଦେଶରୁ ଚାକିରି ଛାଡ଼ି ସେ ଭାରତ ଫେରିବା ପରେ ରାଜନୀତିରେ ପାଦ ଦେଇ କଂଗ୍ରେସରୁ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । 

୨୦୧୦ରେ ମହୁଆ ତୃଣମୂଳ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ । ୨୦୧୬ରେ କରିମପୁର ବିଧାନସଭା କ୍ଷେତ୍ରରୁ ଏବଂ ୨୦୧୯‌ରେ ସେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ରେ ସେ ପୁନଃ ନିର୍ବାଚିତ ହୋଇଥିଲେ । ପ୍ରଥମ ସ୍ବାମୀ ଲାର୍ସ ବ୍ରରସନଙ୍କୁ ଛାଡ଼ପତ୍ର ଦେଇଥିଲେ ମହୁଆ । 

You Can Read:

ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା, ବଦଳିବ ଆଇନ ; କଠୋର ଦଣ୍ଡବିଧାନ ପାଇଁ ସରକାରଙ୍କୁ ପ୍ରସ୍ତାବ

  • new delhi
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.