ଆଗ ଗୁଳି ତା ପରେ ପ୍ରଶ୍ନ : କାହିଁକି ଏପରି କହିଲା ଡେନମାର୍କ ? ଦେଲାକି ଟ୍ରମ୍ପଙ୍କୁ ଚେତାବନୀ ?

NEWS7
patients-recover-only-due-to-the-services-of-nurses-padma-shri-professor-ashok-mohapatra

ନ୍ୟୁୟର୍କ, ୦୮/୦୧: ଗ୍ରୀନଲ୍ୟାଣ୍ଡକୁ ଅକ୍ତିଆର ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ଏବେ ୟୁରୋପ ସଜାଗ । ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବାକୁ ପ୍ରସ୍ତୁତ ହେଲାଣି ଡେନମାର୍କ । ଯଦି ଗ୍ରୀନଲ୍ୟାଣ୍ଡରେ କିଛି ହୁଏ ତେବେ ଆମେରିକାକୁ ଛାଡିବ ନାହିଁ ବୋଲି ଡେନମାର୍କ ଧମକ ଦେଇଛି । ଏହାକୁ ନେଇ ୟୁରୋପ ଭାଗଭାଗ ହେବା ସହ ତୃତୀୟ ବିଶ୍ୱଯୁଦ୍ଧ ଆଡେ ମୁହାଁଇଲେଣି ଅନେକ ଦେଶ ।

ଆମେରିକା ଏବଂ ଡେନମାର୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । କାରଣ ଭେନେଜୁଏଲା ପରେ କଲମ୍ବିଆ ଏବଂ ଗ୍ରୀନଲ୍ୟାଣ୍ଡ ଉପରେ ଟ୍ରମ୍ପ୍ ଆଖି ପକାଇଛନ୍ତି । ଯାହାକୁ ଅନେକ ଦେଶ ବିରୋଧ କରୁଛନ୍ତି । ଟ୍ରମ୍ପଙ୍କ ସହଯୋଗୀମାନେ ମଧ୍ୟ ଏହାକୁ ଜୋରଦାର ବିରୋଧ କରୁଛନ୍ତି । ଏବେ ଡେନମାର୍କ ଆମେରିକା ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯଦି ଗ୍ରୀନଲ୍ୟାଣ୍ଡ୍ ଉପରେ ଆମେରିକା ସାମରିକ ଅଭିଯାନ କରେ ତାହାଲେ ଡେନମାର୍କ ଏହାର ଜବାବ ଦେବାକୁ ବାଧ୍ୟ ହେବ ବୋଲି କହିଛି ।

ଡାନିସ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଯଦି ୟୁଏସ ଆକ୍ରମଣ କରେ ତାହାଲେ ସେନା କେବେବି ନିର୍ଦ୍ଦେଶକୁ ଅପେକ୍ଷା କରିବ ନାହିଁ । ଯବାନମାନେ ତୁରନ୍ତ ଆମେରିକାକୁ ଜବାବ ଦେବାକୁ ପୁରା ପ୍ରସ୍ତୁତ ।

ଏହାସହ ୟୁରୋପର ଅନେକ ଦେଶ ଡେନମାର୍କ ସମର୍ଥନରେ ରହିଛନ୍ତି । ବ୍ରିଟିଶ, ଜର୍ମାନୀ, ଫ୍ରାନ୍ସ ଆଦି ଦେଶର କହିବାନୁସାରେ, ଗ୍ରୀନଲ୍ୟାଣ୍ଡ୍ ବାବଦରେ ସମସ୍ତ ନିଷ୍ପତ୍ତି ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ହିଁ ନେଇପାରିବେ । କୌଣସି ବାହ୍ୟ ଶକ୍ତିକୁ ଏଥିରେ ହସ୍ତକ୍ଷେପ କରିବାକୁ ଦିଆଯିବ ନାହିଁ । ଯଦି ଆମେରିକା କିଛି ଆକ୍ସନ ନିଏ ତାହାଲେ ଏହା ନାଟୋ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରିବ ।

ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ୍ ନୋଏଲ ବାରୋଟ୍ କହିଛନ୍ତି ଯେ, ଫ୍ରାନ୍ସ ଆକ୍ସନ ନେବାକୁ ଚାହୁଁଛି । କିନ୍ତୁ ୟୁରୋପର ଅନ୍ୟ ସହଯୋଗୀ ଦେଶ ସହ ମିଶି କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମେରିକାକୁ କେବେହେଲେ ଗ୍ରୀନଲ୍ୟାଣ୍ଡ ଦଖଲ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।