ଯେବେ ମୁଁ ଉଠିଲି ତ ମୋ ଚାରିପାଖେ କେବଳ ... , ବିମାନ ଦୁର୍ଘଟଣାରେ ଜଣେ ଜୀବିତ ବ୍ୟକ୍ତିଙ୍କ ଲୋମଟାଙ୍କୁରା କଥା

Published By : Prameya-News7 Bureau | June 12, 2025 IST

ନୂଆଦିଲ୍ଲୀ : ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ସିଏମ୍‌ ବିଜୟ ରୂପାଣୀଙ୍କ ସମେତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇ ସାରିଛି। ହେଲେ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ବଞ୍ଚିଥିବା ଖବର ଆସିଛି। ଏହା କୌଣସି ଚମତ୍କାର ଠାରୁ କମ୍‌ ନୁହେଁ ବୋଲି କୁହାଯାଉଛି। ରମେଶ ବିଶ୍ୱାସ କୁମାର ଏୟାର ଇଣ୍ଡିଆ ବିମାନରେ ୧୧ –ଏ ସିଟ୍‌ରେ ବସି ଲଣ୍ଡନ ଯାଉଥିଲେ। ଦୁର୍ଘଟଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏୟାର ଇଣ୍ଡିଆ ବିମାନରେ ଥିଲା ଅନେକ ତ୍ରୁଟି : ସେହି ଫ୍ଲାଇଟ୍‌ରେ କିଛି ସମୟ ପୂର୍ବରୁ ଅହମ୍ମଦାବାଦରେ ପହଞ୍ଚି ଥିବା ଯୁବକଙ୍କ ପ୍ରତିକ୍ରିୟା

୪୦ ବର୍ଷିୟ  ରମେଶ ବିଶ୍ୱାସ କୁମାର ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି , ଯେବେ ମୁଁ ଉଠିଲି ତ ମୋ ଚାରିପାଖେ ଖାଲି ମୃତଦେହ ପଡ଼ିଥିଲା। ମୁଁ ଡରି ଗଲି ଏବଂ ଦୌଡିଲି। ମୋ ଚାରି ପାଖରେ ବିମାନର ଟୁକୁଡ଼ା ଟୁକୁଡା ଅଂଶ ପଡ଼ି ଥିଲା। ଉଡ଼ାଣ ଭରିବାର ୩ ସେକେଣ୍ଟ ପରେ ଖୁବ୍‌ ଜୋରରେ ଶବ୍ଦ ହେଲା ଏବଂ ଏହାପର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଗଲା। ଏସବୁ ଯେମିତି ଖୁବ୍‌ ଶୀଘ୍ର ହୋଇଗଲା।

ବିଶ୍ୱାସଙ୍କର ମୁଣ୍ଡ , ଆଖି ଓ ପାଦରେ ଆଘାତ ଲାଗିଛି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଲଣ୍ଡନର ଗ୍ୟାଟଭିକ୍‌ ଯାଉଥିବା ଏୟାର ଇଣ୍ଡିଆର ବିମାନ –ବୋଇଂ ୭୮୭-୮ ଡ୍ରିମଲାଇନର-କ୍ରିଉ ମେମ୍ୱରର ସଦସ୍ୟଙ୍କ ସହ ୨୪୨ ଲୋକଙ୍କୁ ନେଇ ଗୁରୁବାର ଦ୍ୱିପ୍ରହର ସମୟ ୧.୩୮ଟାରେ ଅହମ୍ମଦାବାଦରୁ ଉଡ଼ିଥିଲା ଏବଂ କିଛି ମିନିଟ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଗଲା ଏବଂ ଏଥିରେ ନିଆଁ ଲାଗି ଗଲା।

ଏହି ବିମାନରେ ଯାତ୍ରା କରୁଥିବା ରମେଶ ବିଶ୍ୱାସ କୁମାର ଜଣେ ବ୍ରିଟିଶ ନାଗରିକ ଏବଂ କିଛି ଦିନ ପାଇଁ ନିଜ ପରିବାରକୁ ଭେଟିବାକୁ ଭାରତ ଆସିଥିଲେ। ସେ ନିଜର ଭାଇ ଅଜୟ କୁମାର ରମେଶ (୪୫) ଙ୍କ ସହ ଲଣ୍ଡନ ଯିବାକୁ ବିମାନରେ ବସି ଥିଲେ। ବିଶ୍ୱାସଙ୍କ ପାଖରୁ ବୋର୍ଡିଂ ପାସ୍‌ ବି ମିଳିଛି। ସେ କହିଛନ୍ତି , ସେ ୨୦ ବର୍ଷ ହେବ ଲଣ୍ଡନରେ ରହୁଛନ୍ତି ଏବଂ ତାଙ୍କର ପତ୍ନୀ ଓ ପିଲା ବି ଲଣ୍ଡନରେ ରୁହନ୍ତି । ଭାଇ ଅଜୟଙ୍କ ସହ ବିମାନରେ ଅଲଗା ଲାଇନରେ ବସିଥିଲି ବୋଲି ସେ କହିଛନ୍ତି । ମୁଁ ତାଙ୍କୁ ଖୋଜୁଛି ପାଉନି । ଦୟାକରି ମୋତେ ଖୋଜିବାରେ ସାହାଯ୍ୟ କରନ୍ତୁ । 

ବିମାନ ଦୁର୍ଘଟଣାରେ ଆହତ ଲୋକଙ୍କୁ ସହରର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ପୁଲିସ ୨୦୪ ଜଣ ଲୋକଙ୍କୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଏବଂ ଏହି ସଂଖ୍ୟା ଆହୁରି ବଢି ପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.