ବିମାନ ଦୁର୍ଘଟଣାସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ହସ୍ପିଟାଲରେ ଗୁରୁତରଙ୍କୁ ଭେଟିବେ

Published By : Prameya-News7 Bureau | June 13, 2025 IST

ଗୁଜରାଟ ୧୩/୦୭: ଗୁଜରାଟ ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଯିବେ । ସକାଳ ୮ଟା ୩୦ ମିନିଟରେ ଅହମ୍ମଦାବାଦ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଅହମ୍ମଦାବାଦର ଯେଉଁ ସ୍ଥାନରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା, ସେହି ସ୍ଥାନରେ ପହଞ୍ଚିବେ ମୋଦୀ । 

ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲ ଯିବେ । ବିମାନ ଦୁର୍ଘଟଣାକୁ ନେଇ ସମୀକ୍ଷା ବୈଠକ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ । ଏୟାର ଇଣ୍ଡିଆର ଏହି ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଛି । ସେ ଲଣ୍ଡନରେ ରହୁଥିବା ତାଙ୍କ ଝିଅଙ୍କୁ ଭେଟିବାକୁ ଯାଉଥିଲେ । ବିଜୟ ରୂପାନିଙ୍କ ପତ୍ନୀ ଏବେ ଲଣ୍ଡନରେ ଅଛନ୍ତି । 

ବିଜୟ ରୂପାନୀ ଲଣ୍ଡନରେ ପହଞ୍ଚିବା ପରେ ପତ୍ନୀଙ୍କ ସହ ଝିଅ ଘରକୁ ଯାଇଥାନ୍ତେ । ବିଜୟ ରୂପାନୀ ଦୁଇଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ରାଜକୋଟ ପଶ୍ଚିମରୁ ସେ ବର୍ତ୍ତମାନ ବିଧାୟକ ଥିଲେ । ସମସ୍ତ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଁଏ ଦେବାକୁ ଘୋଷଣା କରିଛି ଟାଟା ଗ୍ରୁପ ।

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଚମତ୍କାର । ଧ୍ବଂସ ବିମାନ ଭିତରୁ ଫେରିଲା ଜୀବନ । ସୁରକ୍ଷିତ ଭାବେ ବିମାନରୁ ବାହାରକୁ ଆସିଲେ ଜଣେ ଯାତ୍ରୀ । ବର୍ତ୍ତି ଯାଇଥିବା ଯାତ୍ରୀ ଜଣକ ହେଲେ ୪୦ ବର୍ଷିୟ ରମେଶ ବିଶ୍ବାସ କୁମାର । ବିମାନ ଭିତରୁ ବାହାରକୁ ବାହାରିବା ପରେ କହିଛନ୍ତି ୩୦ ସେକେଣ୍ଡର ଛାତି ଥରା କାହାଣୀ । ବିମାନ ଉଡ଼ାଣ ଭରିବାର ୩୦ ସେକେଣ୍ଡ ପରେ ତଳକୁ ଖସିବାକୁ ଲାଗିଥିଲା । ଏହାପରେ ଏକ ଆବାସିକ କୋଠାରେ ପିଟି ହୋଇ ଧ୍ବଂସ ହୋଇଯାଇଥିଲା । 

ବିଶ୍ବାସ କୁମାର ମଧ୍ୟ ସେହି ବିମାନ ଭିତରେ ଥିଲେ । ଦୁର୍ଘଟଣା ପରେ ସେ ସଂଜ୍ଞାହିନ ହୋଇପଡ଼ିଥିଲେ । କିନ୍ତୁ ଯେତେବେଳେ ଆଖି ଖୋଲିଲା ତାଙ୍କ ଚାରିପଟେ ଖାଲି ଶବ ଥିଲା । ଶବ ଦେଖି ସେ ଭୟଭୀତ ହୋଇପଡ଼ିଥିଲେ ଏବଂ ବିମାନରୁ ବାହାରି ଦୌଡ଼ିବାକୁ ଲାଗିଥିଲେ । ବିଶ୍ବାସଙ୍କ ଛାତି, ଆଖି, ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ବେଳେ ସେ ଡାକ୍ତରଖାନାରେ ଜିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ସ୍ବାସ୍ଥାବସ୍ଥା ଭଲ ଥିବା ଜଣାପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.