LIVE TV

ସରିଲା ବିଦ୍ୟାଧରପୁରର ପ୍ରସିଦ୍ଧ କାଳୀ ଭସାଣି, ଦେଖିବାକୁ ନାହିଁ ନଥିବା ଭିଡ଼

NEWS7
paschimbang-mla-campaigning-at-nabarangpur-district-for-panchayat-election

ଭୁବନେଶ୍ବର: ସରିଲା କଟକ ବିଦ୍ୟାଧରପୁରର ପ୍ରସିଦ୍ଧ କାଳୀ ଭସାଣି। ଦୁଇ ଦିନ ଧରି ଚାଲିଥିବା ଯାତ୍ରାରେ ଶୁକ୍ରବାର ଥିଲା ମେଲଣ ଓ ଶନିବାର ସରିଲା ଭସାଣି। ବିଦ୍ୟାଧରପୁରର ସାନ କାଳୀ, ବଡ଼ କାଳୀ, ଦକ୍ଷିଣ କାଳୀଙ୍କୁ ମିଶାଇ ମୋଟ ୩୧ଟି ମେଢ଼ ଭସାଣି ଯାତ୍ରାରେ ବାହାରିଥିଲେ।

ହରପାର୍ବତୀ, ଚୈତନ୍ୟ ଓ ଜଳୀୟ ଦଳନ ମେଢ଼ ଏହି ଶୋଭାଯାତ୍ରାରେ ସାମିଲ ଥିଲେ। କାଳୀ ମେଢ଼ ଗୁଡ଼ିକ ବିଦ୍ୟାଧରପୁର ଘାଟରେ ବିସର୍ଜନ କରାଯାଇଥିବାବେଳେ ଅନ୍ୟ ମେଢ଼ଗୁଡ଼ିକ ସିଆର୍‌ଆର୍‌ଆଇ ନିକଟରେ ନିର୍ମିତ କୃତ୍ରିମ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା।

ପ୍ରତ୍ୟେକ ସାହିର ମେଢ଼ ଗୁଡ଼ିକ ବିଶାଳ ଶୋଭାଯାତ୍ରାରେ ଆସିଥିଲେ । ବିଭିନ୍ନ ସାହିର ଯୁବକମାନେ ନାଚ ଗୀତ ମଧ୍ୟରେ ମେଢ଼ ଗୁଡ଼ିକୁ ବିସର୍ଜନ ପାଇଁ ନେଇଥିଲେ । କଟକ ଭାଇଚାରାର ପରମ୍ପରା ମଧ୍ୟ ଦେଖିବାକୁ ମିଳିଥିଲା ଏହି ଭସାଣି ଯାତ୍ରାରେ । ବିଭିନ୍ନ ସାହିର ମୂରବୀମାନେ ଆସୁଥିବା ମେଢ଼ର ପୂଜା କମିଟିକୁ ସମ୍ବର୍ଦ୍ଧିତ କରିଥିଲେ।

୫୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାଳୀ ପୂଜା ପରମ୍ପରା ବହନ କରୁଥିବା ବିଦ୍ୟାଧରପୁର କାଳୀ ପୂଜାର ଭସାଣି ଶୋଭାଯାତ୍ରା ବେଶ୍ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରାଯାଇଥିଲା ବୋଲି କହିଥିଲେ ମୂରବୀମାନେ। ସେହିଭଳି ଯୁବକ ସଂଘ ପକ୍ଷରୁ ନିଶା ମୁକ୍ତ ଭସାଣି ପାଇଁ ମଧ୍ୟ ବେଶ୍ ଗୁରୁତ୍ଵ ଦିଆଯାଇଥିଲା । ଭସାଣି ଯାତ୍ରା ଦେଖିବା ପାଇଁ ବିଦ୍ୟାଧରପୁରର ବିଭିନ୍ନ ସାହି ଗଳିରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଅନ୍ୟପଟେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।