ରାହୁଲ ଗାନ୍ଧିଙ୍କ ଭାଷଣରେ ବାଧା ଦେଲେ ରାଜନାଥ ସିଂହ, ଲୋକସଭାରେ ହଟ୍ଟଗୋଳ

NEWS7
paris-ready-to-host-the-olympics-after-100-years

ନୂଆଦିଲ୍ଲୀ ୨।୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋମବାର ଭାରତ-ଚୀନ୍ ଗତିରୋଧ ପ୍ରସଙ୍ଗରେ ଆଲୋଚନା କରୁଥିବା ବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଅଟକାଇଛନ୍ତି। ରାହୁଲ ଗାନ୍ଧି ଭାଷଣ ପ୍ରସଙ୍ଗରେ ପୂର୍ବତନ ସ୍ଥଳସେନାଧ୍ୟକ୍ଷ ଏମ.ଏମ. ନରୱାଣେଙ୍କ ଅପ୍ରକାଶୀତ ସମସ୍ମରଣ (ମେମୋର)ର ଉଦାହରଣ ଦେଇଥିଲେ। କହିଥିଲେ ମୋ ସ୍ରୋତ ପ୍ରାମାଣିକ ଓ ଏଥିରେ ପୂର୍ବତନ ସେନାଧ୍ୟକ୍ଷଙ୍କ ଅପ୍ରକାଶିତ ସମସ୍ମରଣ ଉଦାହରଣ ରହିଛି।

ଏଥିରେ ରକ୍ଷାମନ୍ତ୍ରୀ କହିଥିଲେ ମୁଁ ଚାହୁଁଛି ଲୋକସଭାରେ ବିରୋଧୀ ଦଳ ନେତା ସଦନରେ ସେହି ପୁସ୍ତକ ଉପସ୍ଥାପନ କରନ୍ତୁ ଯାହାର ସେ ଉଦାହରଣ ଦେଉଛନ୍ତି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହି ଉଦାହରଣ ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକରେ ନାହିଁ; ତେବେ ଏକ ପତ୍ରିକା କିଛି ବି ଲେଖି ପାରେ। ହେଲେ ଆମେ ଏଠାରେ କେବଳ ସ୍ପଷ୍ଟିକରଣ ଚାହୁଁଛୁ ଯେ ପୁସ୍ତକ ପ୍ରକାଶିତ ହୋଇଛି କି ନାହିଁ।

ଏଥିରେ ରାହୁଲ କହିଥିଲେ ଯେ ‘ଏହି ପୁ୍ସ୍ତକରେ ଏପରି କ’ଣ ଅଛି ଯାହା ସେମାନଙ୍କୁ ଏତେ ଡରାଉଛି? ଯଦି ସେମାନେ ଡରୁ ନାହାନ୍ତି ମୋତେ ଏହାକୁ ପାଠ କରିବାକୁ ଦିଆଯାଉ’। ତେବେ ବାଚସ୍ପତି ଏଥି ପାଇଁ ତାଙ୍କୁ ଅନୁମତି ନ ଦେବାରୁ ସମାଜବାଦୀ ପାର୍ଟି (ସପା) ସାଂସଦ ଅଖିଳେଶ ଯାଦବ ରାହୁଲ ଗାନ୍ଧିଙ୍କ ସମର୍ଥନରେ ଛିଡା ହୋଇଥିଲେ। ଅଖିଳେଶ କହିଥିଲେ ‘ଚୀନ୍ ସମ୍ପର୍କିତ ମାମଲା ବାସ୍ତବିକ ସମ୍ବେଦନଶୀଳ। ତେବେ ଲୋକସଭାରେ ବିରୋଧୀ ଦଳ ନେତା ତଥା ଲୋକସଭାକୁ ପ୍ରସଙ୍ଗରେ କହିବାକୁ ଅନୁମତି ମିଳିବା ଦରକାର’।

ଏଥିରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜଜୁ ଉଠି କହିଥିଲେ ଯେ ‘ଲୋକସଭା ଅଧ୍ୟକ୍ଷ ଏହା କହିଛନ୍ତି ଯେ ସଂସଦରେ ପତ୍ରିକା ଅଥବା ସମ୍ବାଦପତ୍ର ର ସ୍ତମ୍ବର ଉଦାହରଣ ଦିଆଯାଇ ପାରିବନି...ସଦନରେ ବିତର୍କ ଆଇନ ଅନୁସାରେ ହେବା ଦରକାର’। ଏଥିରେ ବିରୋଧୀ ଦଳ ସାଂସଦମାନେ ସଂସଦରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ଓ ସଂସଦରେ ବିରୋଧୀ ଦଳଙ୍କ ପ୍ରତିନିଧିଙ୍କୁ କହିବାକୁ ଅନୁମତି ଦିଆଯାଉ ନଥିବାରୁ ଆପତ୍ତି କରିଥିଲେ। ଏହାକୁ ନେଇ ଲୋକସଭାରେ ହଟ୍ଟଗୋଳ ଉଗ୍ର ରୂପ ଧାରଣ କରିବାରୁ ବାଚସ୍ପତି ସଦନର କାର୍ଯ୍ୟକ୍ରମକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି।