ଗହଣା ସଫା ବାହାନାରେ ମହିଳାଙ୍କ ବେକରୁ ଝାମ୍ପିନେଇଥିଲେ ଚେନ୍, ଲୁଟେରାଙ୍କୁ ଧରିଲା ପୋଲିସ

NEWS7
paris-lavish-most-expensive-wedding-500-crore-rupees

ବଲାଙ୍ଗୀର: ତମ୍ବା, ପିତ୍ତଳ ସଫା କରିବା ବାହାନାରେ ସହରରେ ବୁଲୁଥିଲେ। ଆଉ ସୁଯୋଗ ଦେଖି ଲୁଟିନେଉଥିଲେ ସୁନା ଗହଣା। ଏଭଳି କାମରେ ଲିପ୍ତ ଥିବା ଏକ ଦୁଇ ଲୁଟେରାଙ୍କୁ ଗିରଫ କରିଛି ବଲାଙ୍ଗୀର ଟାଉନ ଥାନା ପୋଲିସ।ବଲାଙ୍ଗୀର ଟେଲିଗୋଠ ପଡ଼ାର ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି ଏହି ଦୁଇ ଲୁଟେରାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ମହିଳାଙ୍କ ଘରକୁ ଦୁଇ ବିହାରୀ ଯୁବକ ତମ୍ବା ଓ ପିତ୍ତଳ ସାମଗ୍ରୀ ସଫା କରିବାକୁ ଆସିଥିଲେ। ସେମାନଙ୍କ ନାଁ ସିକନ୍ଦର ସା ଓ ରୋହିତ ସା । ପ୍ରଥମେ ମହିଳାଙ୍କ ଘରେ ସେମାନେ ଗାଡିର କିଛି ସାମଗ୍ରୀ ଓ ରୁପା ସାମଗ୍ରୀ ସଫା କରିଥିଲେ। ଏସବୁ ସଫା କରିବା ପରେ ଦୁହେଁ ମହିଳାଙ୍କୁ ତାଙ୍କର ସୁନା ଚେନ୍ ସଫା କରିବାକୁ ମାଗିଥିଲେ। ହେଲେ ମହିଳା ଜଣକ ମନାକରିବାରୁ ତାଙ୍କ ବେକରୁ ଚେନ୍ ଛିଣ୍ଡାଇ ନେଇ ଫେରାର ମାରିଥିଲେ।

ଏନେଇ ଟାଉନ ଥାନାରେ ଏତଲା ଦେଇଥିଲେ ମହିଳା। ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ୭ ଦିନ ମଧ୍ୟରେ ଲୁଟେରାଙ୍କୁ ଧରିଛି। ସେମାନଙ୍କ ଠାରୁ ଦୁଇଟି ମୋବାଇଲ, ଗହଣା ସଫାକରିବା ପାଉଡର ସହ ଉକ୍ତ ମହିଳାଙ୍କ ଚେନ୍ ମଧ୍ୟ ଜବତ କରିଛି। ତେବେ ପୋଲିସ ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଏମାନଙ୍କ ନାମରେ ଛତିଶଗଡ଼ ସହ ଓଡ଼ିଶା ବହୁ ଜିଲ୍ଲାରେ ମାମଲା ରହିଥିବା ମଧ୍ୟ ଜଣାପଡ଼ିଛି। ଏନେଇ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ।