ପିଲାଙ୍କୁ ଅଧିକ ସ୍ନେହର କୁପ୍ରଭାବ ଓ ଛୋଟବେଳୁ ଅନୁଶାସନର ମହତ୍ତ୍ବ: ମତ ରଖିଲେ ଭାରତର କୋଟିପତି ଉଦ୍ୟୋଗୀ ଡାକ୍ତର ଏ.ଭେଲୁମଣି

Published By : Prameya-News7 Bureau | May 20, 2025 IST

ନୂଆଦିଲ୍ଲୀ୨୦/୫: ପିଲାଙ୍କୁ ଦରକାରଠାରୁ ଅଧିକ ଭଲ ପାଇ ବିଗାଡନ୍ତୁନି । ସେମାନଙ୍କୁ ଅଧିକ ଗେଲବସର କରିବା ଅପେକ୍ଷା ଆତ୍ମନିର୍ଭର ଓ ଆତ୍ମବିଶ୍ବାସୀ ହେବା ଶିଖାନ୍ତୁ । ଏକଥା ଆମେ କହୁନୁ । ସୋସିଆଲ ମିଡିଆରେ ପୋଷ୍ଟ କରି ପିଲାଙ୍କୁ ଅତ୍ୟଧିକ ଗେହ୍ଲା କରିବାର କୁପ୍ରଭାବ ଓ ଛୋଟବେଳୁ ଅନୁଶାସନ ଶିଖାଇବାର ମହତ୍ତ୍ବ ସଂପର୍କରେ ନିଜର ମତ ରଖିଛନ୍ତି ଭାରତର ଜଣେ କୋଟିପତି ଉଦ୍ୟୋଗୀ ତଥା ଥାୟରକେୟାର ପ୍ରତିଷ୍ଠାତା ଡାକ୍ତର ଆର. କିୟାସ୍ବାମୀ ଭେଲୁମଣି ।

ଡାକ୍ତର ଏ.ଭେଲୁମଣି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ଯୁବାବସ୍ଥାର ମାନେ ୧୯୮୦ ମସିହା କଥା ମନେ ପକାଇଛନ୍ତି । ସେହି ସମୟରେ  ଏକ ବ୍ୟକ୍ତିଗତ ଅନୁଭବକୁ ବିଚାର କରି କହିଛନ୍ତି କେମିତି ଦରକାର ଠାରୁ ଅଧିକ ଭଲପାଇଲେ କେବଳ ପିଲା ନୁହେଁ ପୁରା ପରିବାର ଉପରେ ଏହାର ପ୍ରଭାବ ପଡିଥାଏ । ଡାକ୍ତର ଭେଲୁମଣି କହିଛନ୍ତି ମୁଁ ସେତେବେଳେ (BARC)ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ରରେ ଏକ ସମ୍ମାନଜନକ ପଦରେ କାମ କରୁଥିଲି ।ହେଲେ ସେଠାରେ ମୋତେ ଏତେ ପରିମାଣରେ ଦରମା ମିଳୁନଥିଲା । କମ୍ ପଇସାରେ ଏତେ ବଡ ପରିବାରକୁ ଚଳାଇବା କଷ୍ଟକର ଥିଲା । ସେଥିପାଇଁ ମୁଁ ଆଉ କେଉଁଠି ଏକ୍ସଟ୍ରା  ଇନକମ କରିବାକୁ ଚାହୁଁଥିଲି । 

ଦିନେ ଏକ ଧନୀ ମାରୱାଡି ପରିବାରର ମହିଳାଙ୍କ ସହ ମୋର ଭେଟ ହୋଇଥିଲା । ସେ ତାଙ୍କ ଚତୁର୍ଥ ଶ୍ରେଣୀରେ ପଢୁଥିବା ପୁଅକୁ ପଢାଇବା ପାଇଁ ମୋତେ କହିଥିଲେ । ମୋର ଦରକାର ଥିବାରୁ ମୁଁ ରାଜି ହୋଇଯାଇଥିଲି । ମହିଳା ଜଣକ କ୍ଲିୟର କରିଦେଇଥିଲେ କି ପଇସା ପାଇଁ ଚିନ୍ତା କରିବନି । ମୋ ପୁଅ ଗୋଟିଏ ବର୍ଷ ମଧ୍ୟରେ ୩ଟି ଟ୍ୟୁସନ ସାର ପରିବର୍ତ୍ତନ କରିସାରିଲାଣି । ସେଥିପାଇଁ ମୋ ପୁଅର ଖୁସି ଉପରେ ଅଧିକ ଧ୍ୟାନ ଦେବ । ମୁଁ ତାଙ୍କ କଥା ହିସାବରେ ଅନେକ ଚେଷ୍ଟା କଲେ ମଧ୍ୟ ପିଲାଟି ଭଲ ପାଠ ପଢୁନଥିଲା । ହେଲେ ପୁଅ ଖୁସି ରହୁଥିବାରୁ ମହିଳା ଜଣକ ମୋ ଦରମା ଡବଲ କରିଦେଇଥିଲେ । ଏମିତି କରିବାକୁ ଇଚ୍ଛା ନଥିଲେ ମଧ୍ୟ ମୋ ଆର୍ଥିକ ସମସ୍ୟା ମୋତେ କରିବାକୁ ବାଧ୍ୟ କରିଥିଲା । ମୋର ଫୁଲ ଟାଇମ ଚାକିରିରୁ ମୋତେ ଯେତିକି ଦରମା ମିଳୁନଥିଲା ଏହି ଟ୍ୟୁସନରୁ ମୋତେ ଯଥେଷ୍ଟ ଅଧିକ ପଇସା ମିଳୁଥିଲା । ଏତେ ପରେ ବି ପିଲାଟି ପରୀକ୍ଷାରେ ପାସ୍‌ କରିପାରିନଥିଲା ।

କେତେ ବର୍ଷ ପରେ ଭାଗ୍ୟ ପରିବର୍ତ୍ତନ ହେଲା । ସେହି ଧନୀ ପରିବାରରେ ଆସିଲା ଆର୍ଥିକ ସଂକଟ । ଏକ ବିଡମ୍ବନାର ମୋଡରେ ମୋ ସ୍ତ୍ରୀ ସେହି ପୁଅକୁ ଥାଇରୋକେୟାରର ହାର୍ଡୱେର ଟେକ୍ନସିଆନ ଭାବରେ ଚାକିରି ଦେଇଥିଲେ । ପିଲାକୁ ଭୁଲ ଗାଇଡ କିପରି ଦୁର୍ଭାଗ୍ୟ ଆଣିଥିଲା ତାହା ଏହାର ପ୍ରମାଣ ନିଶ୍ଚୟ ।  ମୁଁ ଏ କଥା କହିବାର ଅର୍ଥ ହେଉଛି ପିଲାଙ୍କୁ ଭଲ ପାଇବା,ସ୍ନେହ କରିବା ପାଇଁ ଅଧିକ ଅର୍ଥ ଦରକାର ନାହିଁ । ଏହାକୁ ଅନ୍ଧ ଭଲପାଇବା କହନ୍ତି । ।ୟେ କେବଳ ପିଲାଙ୍କୁ ଖୁସି କରିବାର ପ୍ରୟାସ ।  ପିଲାଙ୍କୁ ବଡ ବଡ ଖେଳନା ,ଫାଇଭ ଷ୍ଟାର ହୋଟେଲରେ ଖୁଆଇବା ବଡ କଥା ନୁହେଁ । ପିଲାଙ୍କୁ ନିଜ କାମ ନିଜେ କରିପାରିବାର ସାମର୍ଥ୍ୟ ଶିଖାଇବା ଦରକାର । 

ସେ ପୋଷ୍ଟରେ ଆହୁରି ଲେଖିଛନ୍ତି ଗତ ୫ ବର୍ଷ ମଧ୍ୟରେ ମୁଁ ଅନେକ ପ୍ୟାରେଣ୍ଟସଙ୍କୁ ଭେଟିଛି ପାଖରୁ ଦେଖିଛି ଆଉ କଥା ହୋଇଛି । ଯେଉଁ ବାପାମାଆ ମାନେ ପିଲାଙ୍କୁ ନିଜ ସମସ୍ୟାର ସମାଧାନ ପାଇଁ ଫ୍ରି ଛାଡନ୍ତି ସେହିପିଲାମାନେ ସ୍ବତନ୍ତ୍ର ଆତ୍ମବିଶ୍ବାସୀ ଓ ସାହସୀ ହୋଇଥାନ୍ତି । ଯେଉଁ ବାପାମାଆ ପ୍ରତି କ୍ଷେତ୍ରରେ ପିଲାଙ୍କୁ ନିଜ କଣ୍ଟ୍ରୋଲରେ  ରଖିଥାନ୍ତି ସେହି ପିଲାମାନେ ସବୁବେଳେ ବ୍ୟସ୍ତବିବ୍ରତ ଓ ଡରକୁଳା ସ୍ବଭାବର ହୋଇଥାନ୍ତି । ଏଥିପ୍ରତି ପ୍ରତି ବାପା-ମାଆ ସଚେତନ ହେବା ଦରକାର । 

ସଫଳତା ବ୍ୟତୀତ ସରଳ  ଜୀବନଶୈଳୀ ପାଇଁ ଅଧିକ ପରିଚିତ ଡାକ୍ତର ଭେଲୁମଣି ।ତାମିଲନାଡୁର ଏକ ଛୋଟ ଗାଁର ଗରିବ ପରିବାରରେ ତାଙ୍କର ଜନ୍ମ। ଯେଉଁଠି ପ୍ରତିଦିନ ସୂର୍ଯ୍ୟଙ୍କ ପ୍ରଥମ କିରଣ ସହ କ୍ଷେତରେ କାମ ଆରମ୍ଭ ହେଉଥିଲା । ତେବେ ଭେଲୁମଣି ବେଶ ପରିଶ୍ରମୀ  ଥିଲେ । ଚାଷକାମରେ ବାପାଙ୍କୁ ସାହାଯ୍ୟ କରିବା ସହ ରାତିରେ ପାଠ ପଢୁଥିଲେ । ଏକ ବୈଜ୍ଞାନିକ ହେବାକୁ ଦିନରାତି ସ୍ବପ୍ନ ଦେଖୁଥିଲେ ସେ । ମାତ୍ର ୫ଶହ ଟଙ୍କାରୁ ନିଜର ବିଜନେସ ଆରମ୍ଭ କରିଥିବା ଡାକ୍ତର ଭେଲୁମଣି ଏବେ ୫ହଜାର କୋଟିରୁ ଅଧିକ ଟଙ୍କାର ମାଲିକ । ଡାକ୍ତର ଭେଲୁମଣିଙ୍କ ହୃଦୟକୁ ଛୁଇଁଲା ପରି ଏ ପୋଷ୍ଟ ଅନେକଙ୍କୁ ବେଶ ପ୍ରଭାବିତ କରିଛି । ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.