ଦ୍ୱିତୀୟ ଦିନରେ ପନ୍ତ-ବୁମରାଙ୍କ ଶୋ, ବାକି ଫ୍ଲପ୍‌; ଇଂଲଣ୍ଡର ସ୍କୋର ୨୦୯/୩

Published By : Prameya-News7 Bureau | June 22, 2025 IST

ଲିଡ୍ସ: ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଭାରତ ୪୭୧ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୨୦୯ ରନ କରିଛି । ଓଲି ପୋପ ଦମଦାର ଶତକ ଅର୍ଜନ କରି କ୍ରିଜରେ ଅପରାଜିତ ଅଛନ୍ତି । ତାଙ୍କ ସହ ହ୍ୟାରି ବ୍ରୁକ ବ୍ୟାଟିଂ କରୁଛନ୍ତି । ଘରୋଇ ଦଳ ଭାରତଠୁ ଏବେ ବି ୨୬୨ ରନ ପଛରେ ରହିଛି । ଦ୍ୱିତୀୟ ଦିନର ଖେଳରେ ଭାରତ ପକ୍ଷରୁ ଋଷଭ ପନ୍ତ ଓ ଯଶପ୍ରୀତ ବୁମରା ଚମକିଛନ୍ତି । ପନ୍ତ ଶତକ ହାସଲ କରିଥିବା ବେଳେ ବୁମରା ୩ଟି ୱିକେଟ୍ ନେଇଛନ୍ତି । 

ଇଂଲଣ୍ଡର ପ୍ରଥମ ଇନିଂସର ପ୍ରଥମ ଓଭରରେ ଯଶପ୍ରୀତ ବୁମରା ବଡ ଝଟକା ଦେଇଥିଲେ । ଜ୍ୟାକ କ୍ରାଉଲି ୪ ରନ କରି ବୁମରାଙ୍କ ବଲରେ ଆଉଟ୍ ହୋଇଥିଲେ । ଏହା ପରେ ବେନ ଡକେଟ୍ ଓ ଓଲି ପପ୍ ଚମତ୍କାର ବ୍ୟାଟିଂ କରି ଦିନିକିଆ ଶୈଳୀରେ ରନ ସଂଗ୍ରହ କରି ଚାଲିଥିଲେ । ଉଭୟ ଭାରତୀୟ ବୋଲରଙ୍କୁ ପ୍ରହାର କରି ଦ୍ୱିତୀୟ ୱିକେଟ୍ ପାଇଁ ୧୨୨ ରନ ଯୋଡିଥିଲେ । ଆଉ ଏହି ଯୋଡିକୁ ଭାଙ୍ଗିଥିଲେ ବୁମରା । ଡକେଟ୍ ୯୪ ବଲରୁ ୯ ଚୌକା ସହ ୬୨ ରନର ଇନିଂସ ଖେଳିଥିଲେ । ଏହା ପରେ ଓଲି ପପ୍  ଓ ଜୋ ରୁଟ୍ ଦଳର ଇନିଂସକୁ ଆଗକୁ ବଢାଇଥିଲେ । 

ଓଲି ପପ୍ ଜୋରଦାର ପ୍ରହାର କରି ଶତକ ଅର୍ଜନ କରିଥିଲେ । ଜୋ ରୁଟ୍ ୨୮ ରନ କରି ଜମି ଆସୁଥିଲେ ହେଁ ଦ୍ୱିତୀୟ ଦିନର ଖେଳ ଶେଷ ଆଡକୁ ଜୋ ରୁଟ(୨୮)ଙ୍କୁ ପାଭିଲିୟନ ପଠାଇଥିଲେ ବୁମରା । ଶେଷରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୩ ୱିକେଟ୍ ହରାଇ ୨୦୯ ରନ କରିଛି । ଓଲି ପପ୍ ୧୦୦ ରନ ଓ ବ୍ରୁକ ଖାତା ନ ଖୋଲି କ୍ରିଜରେ ଅପରାଜିତ ଅଛନ୍ତି । ଯଶପ୍ରୀତ ବୁମରାଙ୍କୁ ସମସ୍ତ ୩ଟି ୱିକେଟ ମିଳିଛି । 

ଭାରତ ପ୍ରଥମ ଦିନର ଅସମାପ୍ତ ଖେଳ ୩୫୯/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଆଶା କରାଯାଉଥିଲା ଦଳ ଅନ୍ତତଃ ୫୦୦ ସ୍କୋର କରିବ। ଦ୍ଵିତୀୟ ଦିନର ପ୍ରଥମ ସେସନରେ ୧୨୭ ରନ କରି ଅପରାଜିତ ଥିବା ଅଧିନାୟକ ଶୁଭମନ ଗିଲ୍ ଓ ଋଷଭ ପନ୍ତ ଭଲ ବ୍ୟାଟିଂ କରିଥିଲେ। ଉଭୟ ଆଜି ଚତୁର୍ଥ ଓ୍ଵିକେଟ୍‌ରେ ୭୧ ରନ ଯୋଡ଼ିଥିଲେ। ତେବେ ୪୩୦ ରନ ସ୍କୋରରେ ଭାରତ ଚତୁର୍ଥ ଓ୍ଵିକେଟ୍ ହରାଇଥିଲା। ଗିଲ୍ ୧୪୭ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ଗିଲ୍ ଓ ପନ୍ତ ଚତୁର୍ଥ ଓ୍ଵିକେଟ୍ ଭାଗିଦାରୀରେ ୨୦୯ ରନ ଯୋଡ଼ିଥିଲେ। ଅନ୍ୟପଟେ ପନ୍ତ ଟେଷ୍ଟ କ୍ୟାରିୟରରେ ସପ୍ତମ ଶତକ ହାସଲ କରିଥିଲେ। 

ଗିଲ୍‌ଙ୍କ ପରେ ୮ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ କରିଥିବା କରୁଣ ନାୟର ଖାତା ଖୋଲି ପାରି ନଥିଲେ। ଶତକ ପରେ ଦ୍ରୁତ ବ୍ୟାଟିଂ କରୁଥିବା ପନ୍ତ ଏଲବିଡବ୍ଲ୍ୟୁ ହୋଇଥିଲେ। ସେ ୧୭୮ ବଲ୍‌ରେ ୧୨ ଚୌକା ଓ ୬ ଛକା ସହ ୧୩୪ ରନର  ଦମଦାର ଇନିଂସ ଖେଳିଥିଲେ। ଏହା ପରେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଶାର୍ଦ୍ଦୁଳ ଠାକୁର ୧ ରନ, ବୁମରା ୦, ରବିନ୍ଦ୍ର ଜାଡ଼େଜା ୧୧ ରନ ଓ ପ୍ରସିଦ୍ଧ କୃଷ୍ଣା ୧ ରନ କରି ଆଉଟ୍ ହୋଇଥିଲେ। ଏକଦା ୪୩୦ ରନରେ ୩ ଓ୍ଵିକେଟ୍ ହରାଇ ବେଶ ମଜବୁତ ସ୍ଥିତିରେ ଥିବା ଭାରତ ଶେଷ ୭ ଓ୍ଵିକେଟ୍ ମାତ୍ର ୪୧ ରନରେ  ହରାଇ ୪୭୧ ରନରେ ଅଲଆଉଟ୍ ହୋଇଛି। 


ବୋଲିଂରେ ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ ଷ୍ଟୋକ୍ସ ୪ ଓ ଜୋଶ ଟଙ୍ଗ ୪ଟି ଲେଖାଏଁ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ବ୍ରାୟଡନ କର୍ସ ଓ ଶୋଏବ ବସିର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ପ୍ରଥମ ଦିନରେ ଯଶସ୍ଵୀ ଜୟସ୍ଵାଲ ୧୦୧ ରନର ଇନିଂସ ଖେଳିଥିବା ବେଳେ କେଏଲ ରାହୁଲ ୪୨ ରନ କରିଛନ୍ତି। ଟେଷ୍ଟ ପଦାର୍ପଣ କରିଥିବା ସାଇ ସୁଦର୍ଶନ ଖାତା ଖୋଲି ପାରି ନ ଥିଲେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.