ନୂଆଦିଲ୍ଲୀ: ୱାର୍ଲଡ ପ୍ରେସ୍ ଫଟୋ ଅଫ୍ ଦ ଇୟର ୨୦୨୫ ଟାଇଟଲ୍ ଚଳିତ ବର୍ଷ ପାଲେଷ୍ଟାଇନ୍ ପିଲାର ଫଟୋକୁ ଦିଆଯାଇଛି । ଏହା ହେଉଛି ଦୁନିଆର ସବୁଠୁ ପ୍ରତିଷ୍ଠିତ ଫଟୋ ଜର୍ଣ୍ଣାଲିଜମ୍ ଆୱାର୍ଡ । ଫଟୋଟି ୯ ବର୍ଷର ଫିଲିସ୍ତିନୀ ପିଲା ମହମୁଦ ଅଜଜୁରର । ଇସ୍ରାଏଲ୍ ଆକ୍ରମଣରେ ପିଲାଟି ନିଜ ଦୁଇଟି ହାତ ହରାଇଥିଲା । ଗାଜାର ଫଟୋ ଜର୍ଣ୍ଣାଲିଷ୍ଟ ସମର ଅବୁ ଅଲଉଫ୍ ଏହି ଫଟୋ ଉଠାଇଥିଲେ । ସମର ଏହି ଫଟୋକୁ ୨୦୨୪ ଜୁନରେ ଉଠାଇଥିଲେ ।
ମହମୁଦ ଓ ସମର ଗୋଟିଏ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ରହିଥିବା ବେଳେ ଏହି ଫଟୋ ଉଠାଇଥିଲେ । ମହମୁଦ ଚିକିତ୍ସା ପାଇଁ ନିଜ ପରିବାର ସହ ଏଠାକୁ ଆସିଥିଲେ । ଫଟୋରେ ମହମୁଦ ଶାନ୍ତ ଭାବରେ କ୍ୟାମେରାକୁ ଦେଖୁଛନ୍ତି ଓ ତାଙ୍କ କାନ୍ଧ ତଳେ ଦୁଇ ହାତ ନାହିଁ । ଏହି ଫଟୋଟି ନ୍ୟୁୟର୍କ ଟାଇମ୍ସ ପାଇଁ ଉଠାଯାଇଥିଲା ଏବଂ ଏହା ୨୦୨୪ ମାର୍ଚ୍ଚରେ ଗାଜା ସିଟି ଉପରେ ଆକ୍ରମଣ ପରେ ନିଆଯାଇଥିଲା । ଏହା କେବଳ ଏକ ଫଟୋ ନୁହେଁ, ବରଂ ଏକ ଚିତ୍କାର ଯାହା ଏହି ଯୁଦ୍ଧରେ ସର୍ବସ୍ୱ ହରାଇଥିବା ହଜାର ହଜାର ପିଲାଙ୍କ କାହାଣୀ କୁହେ ।
ସମର ଆବୁ ଆଲୁଫ୍ ଜଣେ ସ୍ୱ-ଶିକ୍ଷିତ ଫଟୋ ସାମ୍ବାଦିକ । ସେ ଫଟୋଗ୍ରାଫିରେ କୌଣସି ତାଲିମ ନେଇନାହାନ୍ତି । ୨୦୧୦ ମସିହାରୁ ସେ ଗାଜାର ପ୍ରତ୍ୟେକ ପ୍ରମୁଖ ଖବରକୁ କଭର କରିଆସୁଛନ୍ତି । ତାହା ସଂଘର୍ଷର କାହାଣୀ ହେଉ କିମ୍ବା ସାଧାରଣ ଲୋକଙ୍କ ଜୀବନର । ସେ ୨୦୨୧ ମସିହାରେ ଇସ୍ରାଏଲ-ଗାଜା ଯୁଦ୍ଧ ସମୟରେ ନ୍ୟୁୟର୍କ ଟାଇମ୍ସରେ କାମ କରିବା ଆରମ୍ଭ କରିଥିଲେ । ସେବେଠାରୁ, ସେ ଯୁଦ୍ଧ ମଧ୍ୟରେ ସେହି ଫଟୋଗୁଡ଼ିକୁ ବିଶ୍ୱକୁ ପଠାଉଛନ୍ତି ।