ନୂଆଦିଲ୍ଲୀ ୦୩।୦୫ : ସୁଧୁରୁନି ପାକିସ୍ତାନ । ବାରମ୍ବାର କରିଚାଲିଛି ଅସ୍ତ୍ରବିରତି ଉଲଂଘନ । ଗତ କିଛି ଦିନ ଧରି କରିଚାଲିଛି ଅସ୍ତ୍ରବିରତି ଉଲଂଘନ । ଯାହାକୁ ମିଶାଇ ସର୍ବମୋଟ ୯ ଥର ଅସ୍ତ୍ରବିରତି ଉଲଂଘନ କରିସାରିଛି ପାକିସ୍ତାନୀ ସେନା । ଭାରତୀୟ ସେନା ପକ୍ଷରୁ ମଧ୍ୟ ମୁହଁତୋଡ଼ ଜବାବ ଦିଆଯାଇଛି ।
ଶୁକ୍ରବାର ରାତିରୁ ପାକିସ୍ତାନୀ ସେନାଙ୍କ ପକ୍ଷରୁ ଜୋରଦାର ବିସ୍ଫୋରଣ ଚାଲିଛି । ଖାସ୍ କରି ଭାରତର କୁପଓ୍ୱାରା, ଉରି, ଅଖନୁର ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଗୁଳିବର୍ଷା କରାଯାଉଛି । ଯାହାଫଳରେ କି ସୀମାରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ପାକିସ୍ତାନୀ ସେନାର ଗୁଳିମାଡ଼ର ଦୃଢ ଜବାବ ଦେଇଛି ଇଣ୍ଡିଆନ୍ ଆର୍ମି । ଯେଉଁ ସବୁ ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ ହେଉଛି, ସେହିସବୁ ଅଞ୍ଚଳରେ ଭାରତୀୟ ସେନା ମଧ୍ୟ ଗୁଳିମାଡ଼ କରିଛି ।
ସୂଚନାଯୋଗ୍ୟ ଯେ, ଅପ୍ରେଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀର ପହଲଗାମ୍ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଯେଉଁଥିରେ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ମଧ୍ୟ ଥିଲେ । ତେବେ ଏହି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଦେଖାଦେଇଥିଲା । ଖାସ୍ କରି ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଥିଲା । ପ୍ରଥମେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ ହୋଇଥିଲା । ଭାରତ ପକ୍ଷରୁ ପାକିସ୍ତାନକୁ କୌଣସି ନଦୀର ପାଣି ଛଡ଼ାଯିବନି ବୋଲି ଭାରତ ସରକାର ନିଷ୍ପତ୍ତି ନେଇଥିଲା । ଏହାପରେ ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଥିଲା ।
ଅନ୍ୟପଟେ ଅପ୍ରେଲ ୨୪ ତାରିଖରୁ ଭାରତ-ପାକିସ୍ତାନ ମଧ୍ୟରେ ସୀମାରେ ଉତ୍ତେଜନା ଦେଖାଦେଇଥିଲା । ପାକିସ୍ତାନ ପକ୍ଷରୁ ଲଗାତର ଭାବରେ ସୀମାରେ ଗୁଳବର୍ଷଣ କରାଯାଉଛି । ଖାସ୍ କରି କୁପଓ୍ୱାରା, ଉରି, ଅଖନୁର ଆଦି ସେକ୍ଟରରେ ଗୁଳିମାଡ଼ କରୁଛି । ଯାହାର ଦୃଢ ଜବାବ ଦେଇଛି ଭାରତୀୟ ସେନା । ଏପିରିକି ଗତ କିଛି ଦିନ ମଧ୍ୟରେ ପାକିସ୍ତାନ ୯ମ ଥର ଲାଗି ଅସ୍ତ୍ରବିରତି ଉଲଂଘନ କରିସାରିଲାଣି ।