ସାମ୍ବା ୨୨।୫: ଜମ୍ମୁ-କାଶ୍ମୀର ସାମ୍ବା ଜିଲ୍ଲାରେ ପାକିସ୍ତାନୀ ରେଞ୍ଜର୍ସ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ସିଜଫାୟାର ଉଲ୍ଲଂଘନ କରିଥିଲେ। ଏଥିରେ ପାକିସ୍ତାନ ପଟରୁ କାଶ୍ମୀରକୁ ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା। ତେବେ ସୀମା ସୁରକ୍ଷା ବଳ (ବିଏସଏଫ) ପାକିସ୍ତାନୀ ରେଞ୍ଜରଙ୍କ ଉଦ୍ୟମ ପଣ୍ଡ କରିଦେଇଥିବା ବେଳେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀଙ୍କୁ ଘଉଡାଇ ଦେଇଛନ୍ତି। ଏହି ସୂଚନା ବିଏସଏଫର ଜନୈକ ବରିଷ୍ଠ ଅଧିକାରୀ ଦେଇଛନ୍ତି।
ବିଏସଏଫ ଡିଆଇଜି ଏସ୍.ଏସ୍.ମଣ୍ଡଙ୍କ ଅନୁସାରେ ପାକିସ୍ତାନ ସିଜଫାୟାର ଉଲ୍ଲଂଘନ କରି ଆତଙ୍କବାଦୀଙ୍କୁ ଅନ୍ତର୍ଜାତୀୟ ସୀମା ପାର କରାଇବା ପାଇଁ ଭୀଷଣ ଗୁଳି ଓ ଗୋଳା ବିନିମୟ କରିଥିଲା। ଏହାର ଜବାବରେ ବିଏସଏଫ ଜବାନମାନେ କଡ଼ା କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ସୀମାରୁ ଆତଙ୍କବାଦୀଙ୍କ ସହ ପାକିସ୍ତାନୀ ରେଞ୍ଜର୍ସ ମଧ୍ୟ ସେମାନଙ୍କ ଚୌକି ଛାଡି ପଳାୟନ କରିଥିଲେ। ଡିଆଇଜି ମଣ୍ଡ କହିଛନ୍ତି ଯେ ଆତଙ୍କବାଦୀଙ୍କ ଏକ ବଡ଼ ଗୋଷ୍ଠୀ ଅନୁପ୍ରବେଶ କରିବେ ବୋଲି ଆମକୁ ପୂର୍ବରୁ ଗୁଇନ୍ଦା ସୂଚନା ଥିଲା। ସେହି ଅନୁସାରେ ଆମେ ପ୍ରସ୍ତୁତ ଥିବା ବେଳେ ଖୁବ୍ ଶୀଘ୍ର ସେମାନଙ୍କୁ ଖୋଜି ନେଇଥିଲୁ।
ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଡିଆଇଜି ମଣ୍ଡ କହିଛନ୍ତି ଯେ ଯେପରି ସୂଚନା ଥିଲା ସେହି ଅନୁସାରେ ସୀମା ସେପାଖରୁ ଭୀଷଣ ଗୁଳି ଓ ଗୋଳା ବର୍ଷା ହୋଇଥିଲା। ଏହାର ଜବାବରେ ଆମ ପକ୍ଷରୁ ସଠିକ ଓ ଭୀଷଣ ଆକ୍ରମଣ କରିଥିଲୁ। ଏଥିରେ ସେମାନଙ୍କୁ ଚୌକି ଛାଡି ପଳାୟନ କରୁଥିବାର ଦେଖାଯାଇଥିଲା। ପରିସ୍ଥିତି ଘଣ୍ଟେ ଦେଢଘଣ୍ଟା ମଧ୍ୟରେ ଆୟତ୍ତକୁ ଆସିଥିଲା। ବିଏସଏଫ ଅଧିକାରୀମାନେ ଅଗ୍ରୀମ ମୋର୍ଚ୍ଚାରେ ଥିଲେ। ଏଣୁ ଜବାନଙ୍କ ମନବଳଢେର ଅଧିକ ଥିଲା।
ଏଥି ମଧ୍ୟରେ ବିଏସଏଫ ପଞ୍ଜାବ ସୀମାରେ ଥିବା ଅଟାରୀ-ବାଘା, ହୁସେନୀୱାଲା ଓ ସାଦକୀରେ ବିଟିଂ ରିଟ୍ରିଟ ଉତ୍ସବ ପୁଣି ଆରମ୍ଭ କରିଦେଇଛି। ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡ ଓ ଅପରେସନ ସିନ୍ଦୁର ଆରମ୍ଭ କାଳରେ ମେ ୯ ତାରିଖ ଦିନ ପତାକା ଆବତରଣର ଦୈନିକ ରିତିନୀତିକୁ ସ୍ଥଗିତ କରିଦିଆଯାଇଥିଲା। ଏବେ ଏହା ପୁଣି ଥରେ ସାଧାରଣ ଜନତାଙ୍କ ନିମନ୍ତେ ଆରମ୍ଭ ହୋଇଛି।