ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟାଳୟରେ କଂଗ୍ରେସର ଜରୁରୀ ବୈଠକ । ଶୁକ୍ରବାର ସଂଧ୍ୟାରେ ସିଡବ୍ଲୁସି ବୈଠକ ବସିଛି । ଏଥିରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଜାତି ଭିତ୍ତିକ ଜନଗଣନା ନେଇ ଚର୍ଚ୍ଚା ହୋଇଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ କହିଛନ୍ତି, ପହଲଗାମ ବର୍ବରତାରେ ସରକାରଙ୍କ ନୀତି ସ୍ପଷ୍ଟ ନୁହେଁ । ହେଲେ ଆତଙ୍କବାଦୀଙ୍କୁ ବିରୋଧ କଥା ଉଠିଲେ କଂଗ୍ରେସ ସବୁବେଳେ ସରକାରଙ୍କ ସହିତ ଛିଡ଼ା ହୋଇଛି । ଆତଙ୍କୀ ବିରୋଧୀ ଲଢ଼େଇରେ କଂଗ୍ରେସ ଦଳ ମୋଦି ସରକାରଙ୍କୁ ଯଥା ସମ୍ଭବ ସହଯୋଗ କରିବ ବୋଲି ମଲ୍ଲିକାର୍ଜୁନ୍ ଖଡଗେ କହିଛନ୍ତି ।
ଦେଶର ଏକତା ଓ ଅଖଣ୍ଡତାକୁ ବାଧା ଦେଲେ ଏହାକୁ ବରଦାସ୍ତ କରାଯିବ ନାହିଁ । ବିରୋଧୀ ଦଳ ସବୁବେଳେ ସରକାରଙ୍କ କାନ୍ଧରେ କାନ୍ଧ ମିଶାଇ ଲଢ଼େଇ କରିବ । ମାତ୍ର ପହଲଗାମ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ ସରକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି, ଏହି ମାମଲାରେ ସରକାରଙ୍କ କୌଣସି ସ୍ପଷ୍ଟ ରଣନୀତି ଏଯାଏଁ ସାମ୍ନାକୁ ଆସିଲା ନାହିଁ । କେନ୍ଦ୍ର ସରକାର ଆତଙ୍କବାଦୀଙ୍କ ବିରୋଧରେ କଠୋରରୁ ଅତି କଠୋର କାର୍ଯ୍ୟାନୁଷ୍ଠାନ ନେବା ଦରକାର । ଖଡଗେ ଆହୁରି ମଧ୍ୟ କହିଛନ୍ତି, ହମଲା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କାନପୁରର ମୃତ ଶୁଭମ ଦ୍ବିବେଦୀଙ୍କ ପରିବାରଙ୍କ ସହିତ ସାକ୍ଷାତ କରିଥିଲେ । ଏହା ସହିତ ସମସ୍ତ ମୃତକଙ୍କୁ ସହିଦ୍ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ସିଡବ୍ଲୁସି ବୈଠକରେ କିଏ କିଏ ସାମିଲ୍ ଥିଲେ ?
କଂଗ୍ରେସ କାର୍ଯ୍ୟ ସମିତି ଜରୁରୀ ବୈଠକରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି, ବରିଷ୍ଠ ନେତା ରାହୁଲ ଗାନ୍ଧି । ଅଜୟ ମାକନ, ଅଜୟ କୁମାର ଲଲୁ, ହରିଶ୍ ରାଓ୍ବାତ, ସୁଖବୀନ୍ଦର ସିଂହ ରଙ୍ଘଓ୍ବା, ଅମ୍ବିକା ସୋନି, ବିକେ ହରିପ୍ରସାଦ, ପଓ୍ବନ ଖେଡ଼ା, ପ୍ରିୟଙ୍କା ଗାନ୍ଧି ଆଦି ନେତାମାନେ ଅପସ୍ଥିତ ଥିଲେ ।