INS ୱାଘଷିରରେ ଦ୍ରୌପଦୀ ମୁର୍ମୁ, ବୁଡାଜାହାଜ ଯାତ୍ରା କରିବାରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି

NEWS7
pakistan-likely-used-turkish-drones-to-target-indian-cities

କାରୱାର ୨୮।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ପଶ୍ଚିମ ଉପକୂଳରେ ଭାରତୀୟ ନୌସେନାର ଅଗ୍ରୀମ ପଙକ୍ତି ବୁଡାଜାହାଜ ଆଇଏନଏସ ୱାଘଶିରରେ ସମୁଦ୍ରର ଅତଳ ଗର୍ଭ ମାପିଛନ୍ତି । ବୁଡାଜାହାଜରେ ସମୁଦ୍ରର ଗଭୀରତା ମାପିବାରେ ଦ୍ରୌପଦୀ ମୁର୍ମୁ ଦେଶର ଦ୍ୱିତୀୟ ରାଷ୍ଟ୍ରପତି। ଏହା ପୂର୍ବରୁ ୨୦୦୬ ମସିହାରେ ରାଷ୍ଟ୍ରପତି ଏ.ପି.ଜେ.ଅବଦୁଲ କାଲାମ ଭାରତୀୟ ନୌସେନାର ବୁଡାଜାହାଜ ଆଇଏନଏସ୍ ସିନ୍ଧୁ ରକ୍ଷକରେ ସମୁଦ୍ର ଯାତ୍ରା କରିଥିଲେ।

ଅଧିକାରୀଙ୍କ ଅନୁସାରେ କର୍ଣ୍ଣାଟକର କାରୱାର ନୌସେନା ଘାଟିରେ କଲଭେରୀ ଶ୍ରେଣୀର ବୁଡ଼ାଜାହାଜରେ ଯାତ୍ରା କାଳରେ ରାଷ୍ଟ୍ରପତିଙ୍କ ସହ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ମୁର୍ମୁ ନୌସେନା ପୋଷାକରେ ବୁଡ଼ାଜାହାଜରେ ପ୍ରବେଶ କରିବା ପୂର୍ବରୁ ନୌସେନା ଜବାନଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଆଇଏନଏସ ୱାଘଷିରର ଚାଳକଦଳ ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିବା ସାଙ୍ଗକୁ ସେମାନଙ୍କ ସମର୍ପଣ ଭାବନାର ଉଚ୍ଚ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତିଙ୍କ ବୁଡ଼ାଜାହାଜ ଯାତ୍ରା ନେଇ ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଏକ୍ସ ରେ ଏକ ପୋଷ୍ଟ କରାଯାଇଛି। ଏଥିରେ ରାଷ୍ଟ୍ରପତିଙ୍କୁ ଭାରତର ସମୁ୍ଦ୍ର ରଣନୀତିରେ ବୁଡ଼ାଜାହାଜ ଶାଖାର ଭୂମିକା, ପରିଚାଳନା କ୍ଷମତା ଓ ଜାତୀୟ ସାମୁଦ୍ରିକ ହୀତ ରକ୍ଷାରେ ଯୋଗଦାନ ସମ୍ପର୍କରେ ସୂଚନା ଦିଆଯାଇଛି। ସଚିବାଳୟ ସୋସିଆଲ ମିଡିଆ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ସ୍ୱଦେଶୀ ବୁଡ଼ା ଜାହାଜ ଭାରତୀୟ ନୌସେନାର ବ୍ୟବସାୟିକ ଉତ୍କୃଷ୍ଟତା, ଯୁଦ୍ଧ ପ୍ରସ୍ତୁତି ଓ ଜାତୀୟ ସୁରକ୍ଷା ପ୍ରତି ଅତୁଟ ସଂକଳ୍ପର ଏକ ଉଲ୍ଲେଖନୀୟ ଉଦାହରଣ।

ପି-୭୫ ସ୍କର୍ପିନ ପ୍ରକଳ୍ପର ଷଷ୍ଠ ତଥା ଶେଷ ବୁଡ଼ା ଜାହାଜ ହେଉଛି ଆଇଏନଏସ ୱାଘଷିର। ଏହାକୁ ୨୦୨୫ ଜାନୁୟାରୀରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା। ନୌସେନା ଅଧିକାରୀଙ୍କ ଅନୁସାରେ ଏହା ବିଶ୍ୱର ସବୁଠୁ ଶାନ୍ତ ଓ ବହୁ ଉଦ୍ଦେଶୀୟ ଡିଜେଲ-ଇଲେକ୍ଟ୍ରିକ ବୁଡ଼ା ଜାହାଜ ମଧ୍ୟର ଅନ୍ୟତମ। ଏହାକୁ ଅନେକ ପ୍ରକାରର ମିସନକୁ ସଫଳ କରିବା ପାଇଁ ନିର୍ମାଣ କରାଯାଇଛି। ଏହା ସମୁଦ୍ର ପୃଷ୍ଠରେ ଶତ୍ରୁ ସହ ଲଢେଇ, ବୁଡ଼ା ଜାହାଜ ରୋଧୀ ଅଭିଯାନ, ଗୁଇନ୍ଦା ସୂଚନା ସଂଗ୍ରହ, କ୍ଷେତ୍ର ଉପରେ ନଜର ଓ ସ୍ୱତନ୍ତ୍ର ଅଭିଯାନ ଆଦିରେ ସାମିଲ ହୋଇ ପାରିବ। ଏହା ୱେର ଗାଇଡେଡ ଟାର୍ପିଡୋ, ପୋତୋ ରୋଧି ମିଜାଇଲ ଓ ଉନ୍ନତ ସୋନାର ପ୍ରାଣାଳୀରେ ସଜ୍ଜିତ ।