ନୂଆଦିଲ୍ଲୀ: ଅନ୍ଧାର ଆସିବା ମାତ୍ରେ ହୀନ ଉଦ୍ୟମ କରୁଛି ପାକିସ୍ତାନ । ଗୁରୁବାର ଭଳି ଶୁକ୍ରବାର ରାତିରେ ପୁଣି ଥରେ ଆକ୍ରମଣ କରିଛି । ସୀମାବର୍ତ୍ତୀ ସହରକୁ ଟାର୍ଗେଟ୍ କରି ଡ୍ରୋନ୍ ମାଡ଼ କରିଛି ପାକିସ୍ତାନ ସେନା । ହେଲେ ଭାରତ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ଫୁସ୍ କରିଦେଇଛି ।
ସୂଚନା ଅନୁଯାୟୀ, ପଞ୍ଜାବର ଫିରୋଜପୁର ଏକ ଖାଈ ଗାଁରେ ଡ୍ରୋନ୍ ହମଲା କରିଛି ପାକିସ୍ତାନ । ଏହି ଡ୍ରୋନ୍ ପଡ଼ିବା ଯୋଗୁଁ ଏକ ଘରେ ନିଆଁ ଲାଗିଯାଇଛି । ଏଥିରେ ପରିବାର ୩ଜଣ ନିଆଁରେ ପୋଡ଼ି ହୋଇଯାଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରତ୍ୟକ୍ଷଦର୍ଶିଙ୍କ ସୂଚନା ଅନୁଯାୟୀ, ପାକିସ୍ତାନ ୪ଟି ଡ୍ରୋନ୍ ମାଡ଼ କରିଥିଲା । ଏଥିରୁ ଦୁଇଟି ଡ୍ରୋନକୁ ଏୟାର ଡିଫେନ୍ସ ସିଷ୍ଟମ ମାରିଖସାଇଛି । ହେଲେ ଖାଈ ଗାଁର ଏହି ଘରେ ଲାଇଟ୍ ଜଳୁଥିବାରୁ ଡ୍ରୋନ୍ ମାଡ ହୋଇଥିଲା । ଫଳରେ ଘରେ ତୁରନ୍ତ ନିଆଁ ଲାଗିଯାଇଥିଲା ।
ସେହିପରି କରତାରପୁର କରିଡୋର ନିକଟରେ ମଧ୍ୟ ଡ୍ରୋନ୍ ଆଟାକ୍ କରିଛି ପାକିସ୍ତାନ । ସେଠାରେ ଭୀଷଣ ବିସ୍ଫୋରଣ ହୋଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ ଗୁରୁଦାସପୁର ଗତକାଲି ପ୍ରଶାସନ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଘୋଷଣା କରିଥିଲା । ଗୁରୁଦାସପୁର ଡି.ସି ଏହି ଆଦେଶ ଜାରି କରିଥିଲେ । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଅନ୍ଧାର କରାଯାଇଥିଲା । ଗୁରୁଦାସପୁର ପାକିସ୍ତାନ ସୀମାକୁ ଲାଗି କରି ରହିଥିବା ଜିଲ୍ଲା । ଆଶଙ୍କା କୁହାଯାଉଥିଲା, ପାକ୍ ସେନା କରତାରପୁର କରିଡରକୁ ଟାର୍ଗେଟ୍ କରିପାରେ, ଆଜି ଏହା ସତ ହୋଇଛି ।..