ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବେଳେ ଚୀନ ଭାରତରୁ ଗୁପ୍ତ ସୂଚନା ଚୋରାଇ ପାକିସ୍ତାନକୁ ଦେଉଥିଲା ବୋଲି ଯେଉଁ ଖବର ପ୍ରକାଶ ପାଉଥିଲା ଏହାକୁ ସ୍ପଷ୍ଟ କରିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ୍। ଗୁରୁବାର ମିଡିଆକୁ ପ୍ରତିକ୍ରିୟା ଦେଇ ଖ୍ୱାଜା ଆସିଫ କହିଛନ୍ତି ଯେ ଅପରେସନ ସିନ୍ଦୂର ଏବଂ ଏହାପରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁ ଚୀନ୍ ଭାରତ ବିଷୟରେ ଇସଲାମାବାଦ ସହିତ ସମସ୍ତ ଗୁପ୍ତଚର ସୂଚନା ଶେୟାର କରୁଥିଲା। ଏବଂ ଏହା ସାଧାରଣ କଥା ବୋଲି ଖ୍ୱାଜା ଅସିଫ କହିଛନ୍ତି।
ଆରବ ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତକାରରେ ଆସିଫ୍ କହିଛନ୍ତି ଯେ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକ ପାଇଁ ଉପଗ୍ରହ କିମ୍ବା ଅନ୍ୟାନ୍ୟ ଉପାୟରେ ସଂଗୃହୀତ ଗୁପ୍ତ ସୂଚନା ଆଦାନପ୍ରଦାନ କରିବା ଏକ ସାଧାରଣ କଥା। ତା ଛଡ଼ା ଚୀନର ବି ଭାରତ ସହିତ ବିବାଦ ରହିଛି। ଏନେଇ ଖ୍ୱାଜା ଅସିଫ କହିଛନ୍ତି ଆଜିକାଲି, ପରସ୍ପର ସହ ଘନିଷ୍ଟ ସମ୍ପର୍କ ଥିବା ଦେଶଗୁଡ଼ିକ ଗୁପ୍ତଚର ସୂଚନା ଆଦାନପ୍ରଦାନ କରନ୍ତି। ଯଦି ଆମେ ଆମ ପାଖରେ ଥିବା କୌଣସି ସୂଚନା ଆଦାନପ୍ରଦାନ କରୁ, ତେବେ ଏହା ବହୁତ ସ୍ୱାଭାବିକ କଥା। କାରଣ ଚୀନର ବି ଭାରତ ସହିତ ବିବାଦ ରହିଛି।” ତେବେ ଭାରତ ସହିତ ଛୋଟିଆ ସଂଘର୍ଷ ପରେ ପାକିସ୍ତାନ ସବୁବେଳେ ହାଇ ଆଲର୍ଟରେ ରହିଛି। ଆମେ ଆମର ସୁରକ୍ଷାରେ ଢିଲା କରି ନାହୁଁ। ମାସେରୁ ଅଧିକ ସମୟ ହେବ ଆମେ ସତର୍କତା ଅବଲମ୍ବନ କରି ଆସୁଛୁ ବୋଲି ଅସିଫ କହିଛନ୍ତି।
ସୂଚନା ଥାଉକି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନରେ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହାପରେ ପାକିସ୍ତାନ ମଧ୍ୟ ଭାରତ ଉପରେ ଆକ୍ରମଣ କରିଥିଲା। ହେଲେ ପାକିସ୍ତାନର ଅନୁରୋଧ କ୍ରମେ ଭାରତ ଅସ୍ତ୍ରବିରତୀ ପାଇଁ ରାଜି ହୋଇଥିଲା। ହେଲେ ଏବେ ବି ଦୁଇ ଦେଶ ମଧ୍ୟରେ ସମସ୍ତ ପ୍ରକାର ସମ୍ପର୍କ ବନ୍ଦ ରହିଛି। ପାକିସ୍ତାନ ଭାରତ ପାଇଁ ଆକାଶ ମାର୍ଗ ବନ୍ଦ କରିଥିବା ବେଳେ ଭାରତ ସିନ୍ଦୂ ନଦୀ ଜଳ ଚୁକ୍ତି ରଦ୍ଦ କରିଛି। ତେବେ ପାକିସ୍ତାନ କିନ୍ତୁ ଏନେଇ ଭାରତ ସହିତ ବାରମ୍ବାର ଆଲୋଚନା କରିବାକୁ ଚାହୁଁଛି। ହେଲେ ଭାରତ ରୋକଠୋକ୍ କହିଛି ଆଲୋଚନା ହେବ ତ ପିଓକେ ଫେରାଇବା ବାବଦରେ ଓ ଆତଙ୍କବାଦ ରୋକିବା ବାବଦରେ। ନହେଲେ ହୋଇପାରିବ ନାହିଁ।