LIVE TV

‘କର ବା ମର’ ମୁକାବିଲାରେ ଶ୍ରୀଲଙ୍କାକୁ ହରାଇଲା ପାକିସ୍ତାନ, ଫାଇନାଲ୍ ଆଶା ଉଜ୍ଜୀବିତ

NEWS7
PAK vs SL

ଆବୁଧାବି: ସୁପର ୪ର ‘କର ବା ମର’ ମୁକାବିଲାରେ ବାଜି ମାରିଲା ପାକିସ୍ତାନ। ହୁସେନ ତଲତଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ମହମ୍ମଦ ନଓ୍ଵାଜଙ୍କ ବ୍ୟାଟିଂ ଦଳ ଶ୍ରୀଲଙ୍କାକୁ ୫ ଓ୍ଵିକେଟ୍‌ରେ ହରାଇ ଫାଇନାଲ୍ ପାଇଁ ଆଶା ଉଜ୍ଜୀବିତ ରଖିଛି। ପରାଜୟ ସହ ଶ୍ରୀଲଙ୍କାର ଫାଇନାଲ୍ ଯିବା ପ୍ରାୟତଃ ଅସମ୍ଭବ ଲାଗୁଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା କାମିନ୍ଦୁ ମେଣ୍ଡିସଙ୍କ ୫୦ ରନ ବଳରେ ୮ ଓ୍ଵିକେଟ୍ ହରାଇ ୧୩୩ ରନ କରି ପାରିଥିଲା। ଜବାବରେ ପାକିସ୍ତାନ ମହମ୍ମଦ ନଓ୍ଵାଜଙ୍କ ଦମଦାର ୩୮ ରନ ଓ ହୁସେନ ତଲତଙ୍କ ୩୨ ରନ ବଳରେ ୧୮ ଓଭରରେ ୫ ଓ୍ଵିକେଟ୍ ହରାଇ ମ୍ୟାଚକୁ ଜିତି ନେଇଛି। ବୋଲିଂରେ ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୩ , ହୁସେନ ତଲତ ଓ ହାରିସ ରଉଫ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପାକିସ୍ତାନର ଦୁଇ ଓପନର ସାହିବଜାଦା ଫରହାନ ଓ ଫଖର ଜମାନ ଭଲ ଆରମ୍ଭ ଦେଇଥିଲେ। ଉଭୟ ଓପନିଂରେ ୪୫ ରନ ଯୋଡ଼ିଥିଲେ।  ସାହିବଜାଦା ଫରହାନ ୨୪ ରନର ଦ୍ରୁତ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ପାକିସ୍ତାନ କ୍ରମାଗତ ୩ ଓ୍ଵିକେଟ୍ ହରାଇବାରୁ ଚାପର ବଶବର୍ତ୍ତୀ ହୋଇଥିଲା। ଫଖର ୧୭ ରନଙ୍କ ପରେ ମଧ୍ୟକ୍ରମରେ ସାବ ଆୟୁବ(୨ ରନ) ଓ ଅଧିନାୟକ ସଲମାନ ଆଗା(୫) ନିରାଶ କରିଥିଲେ। ମହମ୍ମଦ ହାରିସ ୧୩ ରନ କରି ବିଦାୟ ନେଇଥିଲେ।

୮୦ ରନରେ ୫ ଓ୍ଵିକେଟ୍ ହରାଇ ଚାପରେ ଥିବା ପାକିସ୍ତାନର ଇନିଂସ ସମ୍ଭାଳିଥିଲେ ହୁସେନ ତଲତ ଓ ମହମ୍ମଦ ନଓ୍ବାଜ। ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ବିଜୟୀ କରାଇବାରେ ମହତ୍ଵପୂର୍ଣ୍ଣ ପାଳି ଖେଳିଛନ୍ତି। ହୁସେନ ତଲତ ୩୨ ରନ  ଓ ମହମ୍ମଦ ନଓ୍ଵାଜ ୩୮ ରନରେ ଅପରାଜିତ ଥିଲେ। ଉଭୟ ଅବିଭାଜିତ ଷଷ୍ଠ ଓ୍ଵିକେଟରେ ୫୮ ରନ ଯୋଡ଼ି ଦଳକୁ ୫ ଓ୍ଵିକେଟରେ ଜିତାଇଛନ୍ତି। ବିଜୟ ସହ ପାକିସ୍ତାନ ପଏଣ୍ଟ ଖୋଲିବା ସହ ଫାଇନାଲକୁ ପାଦେ ଆଗେଇଛି।

ଏହା ପୂର୍ବରୁ ଶ୍ରୀଲଙ୍କା ୮ ଓ୍ଵିକେଟ୍ ହରାଇ ୧୩୩ ରନ କରିଥିଲା। ଦଳ ପାକିସ୍ତାନ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲା। କାମିନ୍ଦୁ ମେଣ୍ଡିସ ସର୍ବାଧିକ ୫୦ ରନର ଇନିଂସ ଖେଳିଥିଲେ। ଅଧିନାୟକ ଚରିଥ ଅସଲଙ୍କା ୨୦ ରନ କରିଥିଲେ। ବାକି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନ ଥିଲେ। ଫଳରେ ଦଲ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା।