ସିନ୍ଧୁ ନଦୀରେ ଆମର ପାଣି ଯିବ ନହେଲେ ବୋହିବ ରକ୍ତ, ଭାରତକୁ ବିଲାଓ୍ୱଲ ଭୁଟ୍ଟୋଙ୍କ ଧମକ

Published By : Prameya-News7 Bureau | April 26, 2025 IST

ନୂଆଦିଲ୍ଲୀ ୨୬/୦୪: ପହଲଗାମରେ ଆତଙ୍କୀ ହମଲା ପରେ ଭାରତ-ପାକ୍ ମଧ୍ୟରେ ତୀବ୍ର ହେବାରେ ଲାଗିଛି କୂଟନୈତିକ ସଂପର୍କ । ୨୮ ନୀରିହଙ୍କ ଜୀବନର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ । ଫଲରେ ଆରମ୍ଭ ହୋଇଛି ଦୁଇ ଦେଶ ମଧ୍ୟରେ ପ୍ରାକ୍ ଯୁଦ୍ଧ ପରିସ୍ଥିତି । ଭାରତ ଓ୍ୱାଟର ଷ୍ଟ୍ରାଇକ୍, ଡିଜିଟାଲ୍ ଷ୍ଟ୍ରାଇକ୍ କରିବା ପରେ ସବୁଠି ତେଜିଛି ପ୍ରତିବାଦ । 

ଖାସ୍ କରି ପାକିସ୍ତାନ ବି ଚୂପ୍ ବସିନି । ଏହାରି ଭିତରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଓ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ମୁଖ୍ୟ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ । ସେ ଭାରତକୁ ଟାର୍ଗେଟ କରି ଆକ୍ରମଣାତ୍ମକ ଓ ଉତ୍ତେଜନାମୂଳକ ବୟାନ ଦେଇ ପରିସ୍ଥିତିକୁ ଆହୁରି ଅଧିକ ଗମ୍ଭୀର କରିଛନ୍ତି । 

ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବିଲାୱାଲ ଭୁଟ୍ଟୋ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଭାରତକୁ ସିଧାସଳଖ ଧମକ ଦେଇଛନ୍ତି । ସେ କହିଛନ୍ତି, "ମୁଁ ସିନ୍ଧୁ ନଦୀ କୂଳରେ ଠିଆ ହୋଇ ଭାରତକୁ କହିବାକୁ ଚାହେଁ ଯେ ସିନ୍ଧୁ ଆମର ଓ ଏହା ଆମର ରହିବ। ଆମର ପାଣି ଏହି ନଦୀ ଦେଇ ପ୍ରବାହିତ ହେବ ନଚେତ୍ ସେମାନଙ୍କର ରକ୍ତ ଏଥିରେ ପ୍ରବାହିତ ହେବ। ଏହି ବିବୃତ୍ତିକୁ ଭାରତ ବିରୋଧରେ ହିଂସା ପାଇଁ ଏକ ଖୋଲା ଖୋଲି ଧମକ ଦେଇଛନ୍ତି । ବିଶେଷକରି ଏପରି ଏକ ସମୟରେ ଯେତେବେଳେ ପହଲଗାମ ଆକ୍ରମଣ ସମଗ୍ର ଦେଶକୁ ଦୁଃଖରେ ବୁଡାଇ ଦେଇଛି।

ଭାରତ ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତାରେ ୧୯୬୦ ମସିହାରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତି (IWT)ର ପୁନଃବିଚାର ପ୍ରକ୍ରିୟା ଆରମ୍ଭ କରିଛି । ଏହି ଚୁକ୍ତି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜଳ ବଣ୍ଟନ ସମ୍ପର୍କିତ ଏକ ଐତିହାସିକ ଚୁକ୍ତି ହୋଇଛି, ଯାହା ଦୁଇଟି ଯୁଦ୍ଧ ସମୟରେ ମଧ୍ୟ ଅକ୍ଷୁର୍ଣ୍ଣ ରହିଥିଲା। କିନ୍ତୁ କ୍ରମାଗତ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ପାକିସ୍ତାନର ଅସହଯୋଗ ଭୂମିକା ଯୋଗୁଁ ଭାରତ ଏବେ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। 

ପାକିସ୍ତାନୀ ନେତା ଭୁଟ୍ଟୋ ଦାବି କରିଥିଲେ ଯେ ଭାରତ "ସିନ୍ଧୁଙ୍କ ଉପରେ ଆକ୍ରମଣ" କରିଛି । ସେ କହିଥିଲେ ଯେ ଭାରତର ଜନସଂଖ୍ୟା ଆମଠାରୁ ଅଧିକ ହୋଇପାରେ, କିନ୍ତୁ ପାକିସ୍ତାନର ଲୋକମାନେ ସାହସୀ। ଆମେ ସୀମାରେ ଓ ପାକିସ୍ତାନ ଭିତରେ ମଧ୍ୟ ଲଢ଼ିବୁ। ଆମର ସ୍ୱର ଭାରତକୁ ଉଚିତ ଜବାବ ଦେବ। ଏହି ବିବୃତ୍ତିରୁ ସ୍ପଷ୍ଟ ଯେ ଆତଙ୍କବାଦକୁ ନିନ୍ଦା କରିବା ପରିବର୍ତ୍ତେ, ପାକିସ୍ତାନର ରାଜନୈତିକ ନେତୃତ୍ୱ ଆକ୍ରମଣାତ୍ମକ ଜାତୀୟତାବାଦକୁ ପ୍ରୋତ୍ସାହିତ କରୁଛନ୍ତି, ଯାହା ଯୋଗୁଁ କୂଟନୈତିକ ଆଲୋଚନାର ସମ୍ଭାବନା ଆହୁରି ହ୍ରାସ ପାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.