ନୂଆଦିଲ୍ଲୀ: ଭାରତଠୁ ଏସିଆ କପରେ ଦ୍ଵିତୀୟ ପରାଜୟ ଏବେ ପାକିସ୍ତାନ ନିଜର ବିଫଳତା ଲୁଚାଇବାର ବାହାନା ଖୋଜୁଛି। ପୁଣି ଥରେ ପାକିସ୍ତାନ ଆଇସିସି ନିକଟରେ ଫେରାଦ ହୋଇଛି। ଏଥର ପାକିସ୍ତାନ କ୍ରିକେଟ୍ ବୋର୍ଡ ଫଖର ଜମାନଙ୍କ କ୍ୟାଚ୍‌ ଆଉଟ୍‌କୁ ନେଇ ଆଇସିସି ନିକଟରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ପିସିବିର କହିବା କଥା ଟିଭି ଅମ୍ପାୟର ରୁଚିରା ପଲ୍ଲିୟାଗୁରୁଗେ ଫଖର ଜମାନଙ୍କୁ ଭୁଲ୍ ଭାବେ ଆଉଟ୍ ଦେଇଛନ୍ତି। ଏହି ଘଟଣା ମ୍ୟାଚ୍‌ର ତୃତୀୟ ଓଭରରେ ଘଟିଥିଲା। ଭାରତୀୟ ଓ୍ଵିକେଟ୍ କିପର ସଞ୍ଜୁ ସାମସନ ଫଖର ଜମାନଙ୍କ କ୍ୟାଚ୍ ଧରିଥିଲେ। ତେବେ କ୍ୟାଚ୍ ଠିକ୍‌ରେ ଧରା ଯାଇଛି କି ନାହିଁ ତାର ଯାଞ୍ଚ ପାଇଁ ଥାର୍ଡ ଅମ୍ପାୟରଙ୍କ ସହାୟତା ନିଆଯାଇଥିଲା। ସେହି ସମୟରେ ଫଖର ଜମାନ ୮ ବଲରୁ ୧୫ ରନ କରି ଖେଳୁଥିଲେ ଏବଂ ପାକିସ୍ତାନ ବଡ ସ୍କୋର ଆଡ଼କୁ ବଢୁଥିଲା।

ରୁଚିରା କ୍ୟାଚ୍‌ର ଯାଞ୍ଚ ପାଇଁ ଦୁଇଟି ଏଙ୍ଗେଲ ଦେଖିଥିଲେ। ଗୋଟିଏରୁ ଏମିତି ଲାଗିଲା ଯେ ବଲ୍ ସାମସନଙ୍କ ଗ୍ଲୋଭ୍ସ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ମାଟିରେ ଲାଗିଥିଲା। ଅନ୍ୟଟିରେ ସ୍ପଷ୍ଟ ଭାବେ ଦେଖା ଯାଇଥିଲା ଯେ, ସାମସନ ବଲ୍‌କୁ ଠିକ୍ ଭାବେ ଧରିଛନ୍ତି। ଶେଷରେ ରୁଚିରା ଦ୍ଵିତୀୟ ଏଙ୍ଗେଲ ଆଧାରରେ ଫଖର ଜମାନଙ୍କୁ ଆଉଟ୍ ଘୋଷିତ କରିଥିଲେ। ପାକିସ୍ତାନୀ ଓପନର ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ବିତର୍କ ଦେଖିବାକୁ ମିଳିଛି।

ମ୍ୟାଚ୍ ପରେ ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଗା କହିଛନ୍ତି, ତାଙ୍କୁ ଲାଗୁଛି ଏହା ଆଉଟ୍ ନ ଥିଲା। ଯଦି ଫଖର ଜମାନ ଆଉଟ୍ ହୋଇ ନ ଥାନ୍ତେ ତେବେ ପାକିସ୍ତାନ ବୋଧହୁଏ ଅଧିକ ୨୦ ରନ କରି ପାରିଥାନ୍ତା। ତେବେ ସେ ଏହା ମଧ୍ୟ କହି ନାହାନ୍ତି ଯେ, ଅମ୍ପାୟର ସଂପୂର୍ଣ୍ଣ ଭୁଲ୍ ଥିଲେ।

ସଲମାନ କହିଛନ୍ତି, ଅମ୍ପାୟର ବି ଭୁଲ୍ କରି ପାରନ୍ତି। ମାତ୍ର ମୋତେ ଲାଗୁଛି ବଲ୍ ଓ୍ଵିକେଟ୍‌ କିପରଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ମାଟିରେ ବାଜିଥିଲା। ଯଦି ଫଖର ଜମାନ ପାଓ୍ଵାର ପ୍ଲେ ପର୍ଯ୍ୟନ୍ତ ରହିଯାଇଥାନ୍ତେ ତେବେ ବୋଧହୁ ଆମେ ୧୯୦ ରନ କରି ପାରିଥାନ୍ତୁ। ଏହି ମ୍ୟାଚ୍‌ରେ ଭାରତ  ପାକିସ୍ତାନକୁ ୬ ଓ୍ଵିକେଟ୍‌ରେ ହରାଇଛି। ​​​​​​​