ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୂତ୍ରକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଫୋନ୍ ଯୋଗେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ କଥା ହୋଇ ସ୍ଥିତି ବୁଝିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି । ଆତଙ୍କୀ ସଂଗଠନ TRF ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ ଜଡ଼ିତ । ତେବେ ଆସନ୍ତୁ ଜାଣିବା କେବେ କେବେ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରାଯାଇଛି ।
ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ କେବେ କେବେ ହୋଇଛି ଆତଙ୍କବାଦୀ ଆକ୍ରମଣ ?
୨୦୨୪ ମଇ ୧୮: ରାଜସ୍ଥାନ ଜୟପୁରର ଏକ ଦମ୍ପତିଙ୍କୁ ଟାର୍ଗେଟ୍ କରି ଶ୍ରୀନଗରରେ ଆତଙ୍କବାଦୀମାନେ ଗୁଳି ଚଳାଇଲେ ।
୨୦୨୪ ଜୁନ୍ ୯ : ରିଆସୀ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଉପରେ ଅନ୍ଧାରରେ ଗୁଳିମାଡ଼ କରାଯାଇଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ନଅ ଜଣ ପ୍ରାଣ ହରାଇଥିଲେ ଏବଂ ୩୩ ଜଣ ଆହତ ହୋଇଥିଲେ ।
୨୦୦୫ ନଭେମ୍ବର ୧୪: ଶ୍ରୀନଗରର ଲାଲ ଚୌକ ଅଞ୍ଚଳର ଏକ ସିନେମା ହଲ୍ ନିକଟରେ ଆତ୍ମଘାତୀ ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍ ଯବାନଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣରେ ଜଣେ ଜାପାନୀ ପର୍ଯ୍ୟଟକଙ୍କ ସମେତ ୧୭ ଜଣ ଆହତ ହୋଇଛନ୍ତି ।
୨୦୦୦ ଅଗଷ୍ଟ ୧: କାଶ୍ମୀରର ଅନନ୍ତନାଗ ଜିଲ୍ଲା ଏବଂ ଜାମ୍ମୁ ଅଞ୍ଚଳର ଡୋଡା ଜିଲ୍ଲାରେ ଅମରନାଥ ଯାତ୍ରାରେ ଯାଉଥିବା ତୀର୍ଥଯାତ୍ରୀଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ । ଅଗଷ୍ଟ ୧ ତାରିଖରେ ହୋଇଥିବା ପାଞ୍ଚଟି ଆକ୍ରମଣରେ ପ୍ରାୟ ୧୦୦ ଜଣ ପ୍ରାଣ ହରାଇଥିଲେ । ଅଗଷ୍ଟ ୨ ତାରିଖରେ ପହଲଗାମର ନନୱାନ ବେସ୍ କ୍ୟାମ୍ପକୁ ଟାର୍ଗେଟ କରାଯାଇଥିଲା । ଏଥିରେ ୨୧ ଜଣ ତୀର୍ଥଯାତ୍ରୀ, ୭ ଜଣ ସ୍ଥାନୀୟ ଦୋକାନୀ ଏବଂ ୩ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା ।
୨୦୦୧ ଜୁଲାଇ ୨୦: ଅମରନାଥ ଗୁମ୍ଫା ମନ୍ଦିର ନିକଟରେ ଥିବା ତୀର୍ଥଯାତ୍ରୀଙ୍କ ଶିବିର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଆଠ ଜଣ ତୀର୍ଥଯାତ୍ରୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ୧୫ ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ତିନି ଜଣ ସ୍ଥାନୀୟ ସାଧାରଣ ନାଗରିକ ଏବଂ ଦୁଇ ଜଣ ସୁରକ୍ଷା ବାହିନୀ କର୍ମଚାରୀ ଥିଲେ ।
୧୯୯୫ ଜୁଲାଇ ୪: ପହଲଗାମର ଲିଡରୱାଟରେ ହରକତ-ଉଲ-ଅନସାର ନାମକ ଏକ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀମାନେ ଛଅ ଜଣ ବିଦେଶୀ ପର୍ଯ୍ୟଟକ ଏବଂ ଦୁଇଜଣ ଗାଇଡଙ୍କୁ ଅପହରଣ କରିଥିଲେ । ଅପହୃତ ପର୍ଯ୍ୟଟକମାନେ ଆମେରିକା, ବ୍ରିଟେନ, ନରୱେ ଏବଂ ଜର୍ମାନୀର ନାଗରିକ ଥିଲେ । ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା ।