ପହଲଗାମରେ ଆତଙ୍କବାଦୀ ଆକ୍ରମଣ; ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ CCS ବୈଠକ ଆରମ୍ଭ

Published By : Prameya-News7 Bureau | April 23, 2025 IST

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ଆକ୍ରୋଶ ରହିଛି । ୨୬ ଜଣ ନିରୀହ ଲୋକଙ୍କୁ ହରାଇ ସାରା ଦେଶ ଶୋକରେ ବୁଡ଼ି ରହିଛି । ଆତଙ୍କବାଦୀଙ୍କ ବିରୋଧରେ ଦୃଢ ପଦକ୍ଷେପ ପାଇଁ ସାରା ଦେଶରୁ ଦାବି ଉଠୁଛି । ଏହାରି ଭିତରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । 

ପ୍ରଧାନମନ୍ତ୍ରୀଙ୍କ ୭ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ସୁରକ୍ଷା ସମ୍ୱନ୍ଧିତ କ୍ୟାବିନେଟ୍ କମିଟି (ସିସିଏସ୍) ବୈଠକ ଆରମ୍ଭ ହୋଇଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ୍ ଶାହ, ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଉପସ୍ଥିତ ଅଛନ୍ତି । ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

ମଙ୍ଗଳବାର କାଶ୍ମୀର ଉପତ୍ୟକା ରକ୍ତ ରଞ୍ଜିତ ହୋଇଥିଲା । ଅପରାହ୍ଣ ପ୍ରାୟ ୩ଟାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗ କଥା ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ କାଶ୍ମୀର ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ତତ୍କାଳରେ ଶ୍ରୀନଗର ପହଞ୍ଚିଥିଲେ । ସେଠାରେ ସେ ସୁରକ୍ଷା ଏଜେନ୍ସିଗୁଡ଼ିକ ସହ ବୈଠକ କରି ସ୍ଥିତି ବୁଝିଥିଲେ । ବୁଧବାର ସକାଳରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିଥିଲେ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସାଉଦି ଗସ୍ତକୁ ଅଧାରୁ ସାରି ଦିଲ୍ଲୀ ଫେରିଥିଲେ । 

ସିସିଏସ୍ ବୈଠକରେ ଅମିତ୍ ଶାହ ପିଏମ୍ ମୋଦୀଙ୍କୁ ବିସ୍ତୃତ ରିପୋର୍ଟ ଦେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.