ପହଲଗାମ ଗୁଳିକାଣ୍ଡ ତଦନ୍ତରେ ନୂଆ ଟ୍ୱିଷ୍ଟ, ଜାଣନ୍ତୁ କେତେ ବାଟରେ ପହଞ୍ଚିଛି NIA ଯାଞ୍ଚ

Published By : Prameya-News7 Bureau | May 02, 2025 IST

ଶ୍ରୀନଗର ୨।୫: ପହଲଗାମ ଗୁଳିକାଣ୍ଡ ଯାଞ୍ଚରେ ଏନଆଇଏ ଟିମ୍‌ ୨ ଏପ୍ରିଲ ଶୁକ୍ରବାର ବେସରନ ଉପତ୍ୟାକାରେ ପହଞ୍ଚିଥିଲା। ଅନ୍ୟପଟେ ଏନଆଇଏ ମହାନିର୍ଦ୍ଦେଶକ ଶୁକ୍ରବାର ତଦନ୍ତ ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥି ମଧ୍ୟରେ ସୂତ୍ରରୁ ଏହି ସୂଚନା ମିଳୁଛି ଯେ ଆତଙ୍କୀ କାଣ୍ଡରେ ଏପରି ଅନେକ ପ୍ରମାଣ ମିଳିଛି ଯାହା ବେସରନ ଘାଟି ଆକ୍ରମଣ ଘଟଣାରେ ପାକ୍ ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ଓ ଲସ୍କର-ଏ-ତୌୟବାର ହାତ ଥିବା ସନ୍ଦେହକୁ ମଜଭୁତ କରୁଛି। 

ଏବେ ଏନଆଇଏ ଯାଞ୍ଚରେ ନୂଆ ଟ୍ୱିଷ୍ଟ ଆସିଛି। ସୂତ୍ର ଅନୁସାରେ ଏନଆଇଏ ହାତରେ ଏପରି ପ୍ରମାଣ ଲାଗିଛି ଯେଉଁଥିରେ ଆତଙ୍କୀ କାଣ୍ଡରେ ସ୍ଥାନୀୟ ଖଚ୍ଚର ଓ ପୋନି ବାଲାଙ୍କ ଭୂମିକା ଥିବାର ସନ୍ଦେହ କରାଯାଉଛି। ଏନଆଇଏର ସନ୍ଦେହ ଏହି ଘୋଡା ଓ ଖଚ୍ଚର ବାଲା ଘଟଣାରେ ଆତଙ୍କବାଦୀଙ୍କୁ ସହାୟତା କରିଛନ୍ତି। ସୁତ୍ର ଅନୁସାରେ ଅଟକ ଥିବା ଘୋଡା ଓ ଖଚ୍ଚର ବାଲାଙ୍କ ମଧ୍ୟରେ ଏପରି କେତେଜଣ ଅଛନ୍ତି, ଯେଉଁମାନଙ୍କର ବୟାନରେ ତାଳମେଳ ରହୁନାହିଁ। 

ଏଣୁ ଯାଞ୍ଚ ଟିମର ସନ୍ଦେହ ଏବେ ଏମାନଙ୍କ ଆଡକୁ ଯାଇଛି। ସେମାନଙ୍କୁ ଏବେ ଗହନ ପଚରା ଉଚରା କରାଯାଉଛି। ଏନଆଇଏ ଟିମ୍‌ ଏବେ ସେମାନଙ୍କ ଫୋନ କଲ ଡିଟେଲ ଖୋଜୁଛି ଓ ସେମାନଙ୍କ ଲୋକେସନ ହିଷ୍ଟ୍ରି ମଧ୍ୟ ଯାଞ୍ଚ କରୁଛି। ଏନଆଇଏ ଟିମ୍ ମାମଲାରେ ସ୍ଥାନୀୟ ଘୋଡ଼ା ଓ ଖଚ୍ଚର ବାଲାଙ୍କ ସହିତ ୨,୮୦୦ ଲୋକଙ୍କୁ ପଚରା ଉଚରା କଲାଣି। ଆତଙ୍କବାଦୀଙ୍କ ଯିବା ଆସିବା ରୁଟ ଓ ବେସରନ ଉପତ୍ୟାକାରେ ସେମାନେ ପହଞ୍ଚିଲେ କିପରି ତାହା ଜାଣିବାକୁ ଏନଆଇଏ ଉଦ୍ୟମ କରୁଛି। 

ଏହି ଯାଞ୍ଚରେ ଏନଆଇଏ ଜାଣିବାକୁ ପାଇଛି ଆକ୍ରମଣରେ ସମ୍ପୃକ୍ତ ହାସିମ ମୁଲ୍ଲା ଓ ଅଲ୍ଲୀ ଭାଇ ପାକିସ୍ତାନର ବାସିନ୍ଦା, ଯେଉଁମାନେ ଗୁଳିକାଣ୍ଡ ବେଳେ ପାକିସ୍ତାନରେ ବସିଥିବା ସେମାନଙ୍କ ମୁନିବଙ୍କ ସହ ଲଗାତାର ସମ୍ପର୍କରେ ଥିଲେ। ସେତେବେଳେ ପାକିସ୍ତାନରୁ ସେମାନଙ୍କୁ ଗାଇଡ କରାଯାଉଥିଲା। ଯାଞ୍ଚ ଟିମ୍‌ ବେସରନ ଘାଟିରେ କାମ କରୁଥିବା ଫଟୋଗ୍ରାଫର, ଦୋକାନୀ, ଟୁରିଷ୍ଟ ଗାଇଡ, ଜିପଲାଇନ ୱାର୍କର୍ସ, ହୋଟେଲ ମାଲିକ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି। 

ସେହିପରି ଉପଲବ୍ଧ ସିସିଟିଭି ଫୁଟେଜର ଯାଞ୍ଚ ସହିତ ଆତଙ୍କବାଦୀ ବ୍ୟବହାର କରିଥିବା ସାଟେଲାଇଟ ଫୋନର ମଧ୍ୟ ଯାଞ୍ଚ ହେଉଛି। ଏବେ ସେହିସବୁ ସ୍ଥାନର ମଧ୍ୟ ଯାଞ୍ଚ ହେଉଛି ଯେଉଁ ସବୁ ସ୍ଥାନକୁ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ରେକି କରିଥିଲେ। ଏହା ଛଡା ଯାଞ୍ଚ ଟିମ୍ ମାନେ ନିଷିଦ୍ଧ ହୁର୍ରିୟତ ଓ ଜମାତ ଇସ୍ଲାମୀ ସମ୍ପର୍କିତ ଲୋକମାନଙ୍କ ଠିକଣାରେ ମଧ୍ୟ ଚଢଉ ଜାରି ରଖିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.