ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଜାନୁଆରୀ ୧୯ରୁ ଜାରି ଥିବା ଯୁଦ୍ଧବିରତି ଭାଙ୍ଗିଛି । ମଙ୍ଗଳବାର ସକାଳୁ ଇସ୍ରାଏଲ ଆକ୍ରମଣରେ ଗାଜା ଥରିଛି । ପ୍ରାୟ ୧୨ ଘଣ୍ଟା ଧରି ଇସ୍ରାଏଲ ଏୟାରଷ୍ଟ୍ରାଇକ୍ରେ ଅନ୍ୟୁନ ୪୧୩ ଜଣଙ୍କ ମୃତ୍ୟୁ ଘଟିଛି । ଶତାଧିକ ଆହତ ହୋଇଛନ୍ତି । ଆକ୍ରମଣ ଯୋଜନା କରୁଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏହି ଏୟାରଷ୍ଟ୍ରାଇକ୍ କରିଥିବା ଇସ୍ରାଏଲ କହିଛି । ଏଥିସହ ପାଲେଷ୍ଟିନୀୟଙ୍କୁ ପୂର୍ବ ଗାଜା ଖାଲି କରିବାକୁ ଇସ୍ରାଏଲ ସେନା ସେଠାରେ ଆଦେଶ ଜାରି କରିଛି ।
ଏୟାରଷ୍ଟ୍ରାଇକରେ ହମାସ୍ ସରକାରର ମୁଖ୍ୟ ନିହତ ହୋଇଥିବା ହମାସ୍ ପକ୍ଷରୁ କୁହାଯାଇଛି । ଜାନୁଆରୀ ୧୯ରେ ବହୁକଷ୍ଟରେ ହୋଇଥିବା ଯୁଦ୍ଧବିରତି ସର୍ତ୍ତକୁ ଇସ୍ରାଏଲ ଉଲ୍ଲଂଘନ କରିଛି । ନେତନ୍ୟାହୁ ପୁଣି ଯୁଦ୍ଧ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଇସ୍ରାଏଲ ବନ୍ଧକଙ୍କ ପାଇଁ ମୃତ୍ୟୁଦଣ୍ଡ ଭଳି । ବାକି ୨୪ ପଣବନ୍ଦୀଙ୍କ ବଞ୍ଚିରହିବା ଏବେ କଷ୍ଟକର ବୋଲି ହମାସ୍ କହିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, ହମାସ୍ ସହ ଯୁଦ୍ଧବିରତି ପ୍ରସଙ୍ଗରେ ଆଲୋଚନା ଆଗକୁ ବଢ଼ିପାରି ନ ଥିଲା ।
ବାରମ୍ବାର ଚେତାବନୀ ସତ୍ତେ୍ୱ ପଣବନ୍ଦୀଙ୍କୁ ହମାସ୍ ଛାଡ଼ିନାହିଁ । ଏବେ ବଳପୂର୍ବକ ନିଜ ନାଗରିକଙ୍କୁ ମୁକୁଳାଇବା ଲାଗି ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ଇସ୍ରାଏଲ ହମାସ୍ ବିରୋଧରେ ଆହୁରି ଅଧିକ ଶକ୍ତିଶାଳୀ ସାମରିକ ବଳ ପ୍ରୟୋଗ କରିବ ବୋଲି ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି । ଇସ୍ରାଏଲ ଏବଂ ହମାସ୍ ଭିତରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ମାର୍ଚ୍ଚ ୧ରେ ଶେଷ ହୋଇଥିଲା ।
ପ୍ରଥମ ପର୍ଯ୍ୟାୟରେ ୩୩ ପଣବନ୍ଦୀଙ୍କୁ ହମାସ୍ ଛାଡ଼ିଥିଲା । ଏଥିରେ ୮ ମୃତଦେହ ଥିଲା । ବଦଳରେ ଇସ୍ରାଏଲ ୨ ହଜାର ପାଲେଷ୍ଟିନୀୟ କଏଦୀଙ୍କୁ ମୁକ୍ତ କରିଥିଲା । ଦ୍ୱିତୀୟ ପର୍ଯ୍ୟାୟ ଯୁଦ୍ଧବିରତି ପାଇଁ ଆଲୋଚନା ଆଗକୁ ଯାଇପାରି ନାହିଁ । ଏହି ପର୍ଯ୍ୟାୟରେ ହମାସ୍ ପ୍ରାୟ ୬୦ ପଣବନ୍ଦୀଙ୍କୁ ମୁକ୍ତ କରିଥା’ନ୍ତା । ଏଥିସହ ହମାସ୍-ଇସ୍ରାଏଲ ଯୁଦ୍ଧ ଶେଷ ଲାଗି ଆଲୋଚନା ହୋଇଥାନ୍ତା । ହମାସ ନିକଟରେ ଏବେ ୨୪ ଜୀବନ୍ତ ପଣବନ୍ଦୀ ଏବଂ ୩୫ ବନ୍ଧକଙ୍କ ଶବ ରହିଛି ।
୨୦୨୩ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ହମାସ୍-ଇସ୍ରାଏଲ ଯୁଦ୍ଧରେ ପ୍ରାୟ ୯୦% ଗାଜା ବର୍ବାଦ ହୋଇସାରିଛି । ଅକ୍ଟୋବର ୭ରେ ପ୍ରଥମେ ହମାସ୍ ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରାୟ ୧୨ ଶହ ଲୋକଙ୍କୁ ହତ୍ୟା କରିଥିଲା, ୨୫୦ରୁ ଊଦ୍ଧ୍ୱର୍ ଜଣଙ୍କୁ ଅପହରଣ କରିନେଇଥିଲା । ଜବାବରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରି ରଖିଛି । ଇସ୍ରାଏଲ ଆକ୍ରମଣରେ ଗାଜାରେ ୪୬ ହଜାରରୁ ଊଦ୍ଧ୍ୱର୍ ଜଣଙ୍କ ମୃତ୍ୟୁ ଘଟିଲାଣି ।