ଓସ୍ୱାସ୍‌ରେ ଏଣିକି ସବୁ ସରକାରୀ ଅଫିସ୍, ପୁରୁଣା କାଳିଆ ନଥିପତ୍ର ଓ ଫାଇଲ ଚାଷରେ ପଡ଼ିବ ପୂର୍ଣ୍ଣଛେଦ

Published By : Prameya-News7 Bureau | July 30, 2025 IST

ଭୁବନେଶ୍ୱର ୩୦।୦୭ : ପୁରୁଣା କାଳିଆ ନଥିପତ୍ର ଓ ଫାଇଲ ଚାଷରେ ପଡ଼ିବ ପୂର୍ଣ୍ଣଛେଦ । ଅନଲାଇନରେ ଫାଇଲ କାମ ହେବ। ସମୟ ବଞ୍ଚିବା ସହ କେଉଁ ଫାଇଲର ସ୍ଥିତାବସ୍ଥା କ’ଣ ସହଜରେ ଜାଣି ହେବ। ସରକାରୀ ଅଧିକାରୀଙ୍କ କାମରେ ସ୍ୱଚ୍ଛତା ଆସିବ। ଧାର୍ଯ୍ୟ ସମୟରେ ଲୋକଙ୍କୁ ମିଳିବ ସରକାରୀ ସେବା । ଏହାକୁ ଧ୍ୟାନରେ ରଖି ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ରେ ‘ଓସ୍ୱାସ’(ଓଡ଼ିଶା ଷ୍ଟେଟ୍‌ ୱାର୍କଫ୍ଲୋ ଅଟୋମେସନ ସିଷ୍ଟମ)ରେ ଫାଇଲ ଓ ଚିଠି ପଠାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। 

ଜିଲ୍ଲା ମୁଖ୍ୟାଳୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ବେଳେ ଏବେ ସହରାଞ୍ଚଳ ଓ ଗ୍ରାମାଞ୍ଚରେ ଥିବା ସରକାରୀ ଅଫିସରେ ଏହା କାର୍ଯ୍ୟକାରୀ ହେବ। ସରକାରଙ୍କ ବିଭିନ୍ନ ବିଭାଗର ଫାଇଲ ଅନୁଧ୍ୟାନ କାମ ‘କୃତ୍ରିମ ବୁଦ୍ଧିମତା’(ଏଆଇ) ଜରିଆରେ ହେବ। ଶାସନ ଓ ପ୍ରଶାସନରେ ସ୍ୱଚ୍ଛତା ଆଣିବା ସହ ଲୋକଙ୍କ ଭାଗିଦାରିତା ବଢ଼ାଇବାକୁ ‘ଆମ ଶାସନ’ ପୋର୍ଟାଲର ବିକାଶ କରିବ ଓଡ଼ିଶା କଂପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌)। ରାଜ୍ୟର ସବୁ ଥାନା, ବନ ବିଭାଗର କାର୍ଯ୍ୟାଳୟ ସହ ଅବକାରୀ କାର୍ଯ୍ୟାଳୟରେ ସିସିଟିଭି ଲାଗିବ। ଏ ସମସ୍ତ କାର୍ଯ୍ୟାଳୟର ଭିଡିଓକୁ ଏକତ୍ରୀକରଣ କରିବା ସହ ଅନୁଧ୍ୟାନ କରାଯିବ। ଶାସନକୁ ଅଧିକ ଲୋକାଭିମୁଖୀ କରିବା ସହ ଲୋକଙ୍କ ଦୁଆର ମୁହଁକୁ ପ୍ରଶାସନକୁ ନେବାକୁ ବୈଷୟିକ ଜ୍ଞାନକୌଶଳର ଅଧିକ ବ୍ୟବହାର କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ସରକାର। ଲୋକସେବା ଭବନ ଓ ନିର୍ଦ୍ଦେଶାଳୟରେ ଯେଭଳି ‘ଓସ୍ୱାସ’ରେ ଫାଇଲ ପ୍ରେରଣ କାମ ହେଉଛି ତାହା ଏବେ ମହାନଗର ନିଗମ, ପୌରାଞ୍ଚଳ ଓ ଏନଏନସିରୁ ଆରମ୍ଭ କରି ବ୍ଲକ, ତହସିଲ, ଆରଆଇ ଅଫିସ, ଥାନାରେ ମଧ୍ୟ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ତୃଣମୂଳସ୍ତରର କୌଣସି ଫାଇଲକୁ ଲୋକସେବା ଭବନରୁ ମଧ୍ୟ ଅନୁଧ୍ୟାନ କରିହେବ। ସରକାରୀ ଚିଠି ଓ ଫାଇଲର ଧିମା ଗତିରେ ଉନ୍ନତି ଆସିବ । ପ୍ରଶାସନିକ ପ୍ରକ୍ରିୟା ଅଧିକ ସଶକ୍ତ ଓ ଦକ୍ଷ ହେବ । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଏ ବ୍ୟବସ୍ଥା ସାରା ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ସଚିବମାନଙ୍କ ବୈଠକରେ ନିଷ୍ପତ୍ତି ହୋଇଛି । ବିଭାଗର ଫାଇଲ ସ୍ଥିତିକୁ ଅନୁଧ୍ୟାନ କରିବାକୁ ମେଟା ସହ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ପରିଚାଳିତ ସିଏମ୍‌ଜିଆଇ (ସେଣ୍ଟର ଫର ମଡର୍ନାଇଜିଙ୍ଗ ଇନିସିଏଟିଭ୍‌) ସେଲ୍‌ ସହଭାଗିତାରେ ‘ଏଆଇ’ ଜ୍ଞାନକୌଶଳକୁ ବ୍ୟବହାର କରାଯିବ । ଅନଲାଇନରେ ଫାଇଲ ତଥ୍ୟର ସୁରକ୍ଷାକୁ ମଧ୍ୟ ଅଗ୍ରାଧିକାର ମିଳିବ। ‘ଭିଜନ ଓଡ଼ିଶା ୨୦୩୬/୨୦୫୭’ ପାଇଁ ସରକାର ଯେଉଁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ତାହାକୁ ମଧ୍ୟ ନିୟମିତ ଭାବେ ଅନୁଧ୍ୟାନ କରିବେ ସରକାର। ଧାର୍ଯ୍ୟ ସମୟରେ ବିଭାଗଗୁଡ଼ିକ ଲକ୍ଷ୍ୟ ହାସଲ କରୁଛନ୍ତି ନା ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ଅଫିସ ତଦାରଖ କରିବ । ରାଜ୍ୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା, କାର୍ଯ୍ୟକ୍ରମ, ଭିତ୍ତିଭୂମି ପ୍ରକଳ୍ପର ପୂର୍ଣ୍ଣାଙ୍ଗ ବିବରଣୀକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ନିୟମିତ ଭାବେ ଅନୁଧ୍ୟାନ କରିବ। ଏଥିପାଇଁ ସିଏମ୍‌ ଡ୍ୟାସବୋର୍ଡକୁ ଅଧିକ ବିକଶିତ କରିବାକୁ ‘ଓକାକ୍‌’କୁ ନିର୍ଦ୍ଦେଶ ଜାରି ହୋଇଛି। ସରକାର ଶାସନରେ ସ୍ୱଚ୍ଛତାକୁ ବେଶ୍‌ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ‘ଆମ ଶାସନ’ ପୋର୍ଟାଲ ବିକଶିତ କରୁଛି ଓକାକ୍‌। ଏହି ପୋର୍ଟାଲ ଜରିଆରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣ ନିଜର ମତ ରଖିପାରିବେ। କେଉଁଠି ଅସୁବିଧାର ସମ୍ମୁଖୀନ ହେଉଥିଲେ କିମ୍ବା ହଇରାଣ ହୋଇ ସରକାରୀ ଯୋଜନାର ସୁଫଳ ପାଉନଥିଲେ ସିଧାସଳଖ ପୋର୍ଟାଲରେ ଅଭିଯୋଗ କରିପାରିବେ । ଏହାଦ୍ୱାରା ପ୍ରଶାସକ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ ହେବ। ରାଜ୍ୟବାସୀଙ୍କ ଅଭିଯୋଗ ଶୁଣାଣିକୁ ସରକାର ଅଗ୍ରାଧିକାର ଦେଉଥିଲା ବେଳେ ଜନଶୁଣାଣୀ ପୋର୍ଟାଲରେ ଅଭିଯୋଗର ସ୍ଥିତାବସ୍ଥା ଜାଣିବାକୁ ନୂଆ ବ୍ୟବସ୍ଥା ରଖିବାକୁ ନିଷ୍ପତ୍ତି ହୋଇଛି । ଏହାକୁ ରାଜଧାନୀରୁ ସିଧାସଳଖ ଟ୍ରାକ୍‌ କରିହେବ । ଆମାଜନ୍‌, ଫ୍ଲିପକାର୍ଟରେ ଥିବା ରିଅଲ ଟାଇମ ଟ୍ରାକିଂ ଭଳି ବ୍ୟବସ୍ଥା ଏଣିକି ହେବ । ଯେଉଁ ଅଭିଯୋଗର ଶୁଣାଣି ହେଲା ତା’ର ସମାଧାନ ହେଲା ନାହିଁ ସେ ସ୍ଥିତି ସଂପର୍କରେ ସିଧାସଳଖ ଲୋକସେବା ଭବନ ଅବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଟ୍ରାକ୍‌ କରିହେବ । ଲୋକଙ୍କୁ ସୁଶାସନ ସହ ବିକଶିତ ଓଡ଼ିଶା ଗଢ଼ିବାକୁ ସରକାର ଆଧୁନିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ପାଇଁ ଅଣ୍ଟା ଭିଡ଼ିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.