ପାରାଦୀପରେ ମିଳିତ ସମରାଭ୍ୟାସ ସାଗର କବଚ-୨, ଭାଗ ନେଇଛନ୍ତି ୧୮ଟି ଟିମ୍

Published By : Prameya-News7 Bureau | September 25, 2024 IST

ପାରାଦୀପ ୨୫।୦୯ : ପାରାଦୀପରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ୍‌ ସାଗର କବଚ-୨ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ।

ଚଳିତ ବର୍ଷର ଦ୍ବିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇଦିନ ଧରି ଗଭିର ସମୁଦ୍ରରେ ଆରମ୍ଭ ହୋଇଯାଇଛି। ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୮ ରୁ ଉର୍ଦ୍ଧ୍ବ ବିଭାଗ। ଗଭୀର ସମୁଦ୍ରରେ ଇଣ୍ଡିଆନ ନ୍ୟାଭି, କୂଳରେ କୋଷ୍ଟଗାର୍ଡ, ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗ ପଇଁତରା ମାରିବା ସହିତ ଅନ୍ୟ ବିଭାଗ ଗୁଡିକ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି। 

ତେବେ ଏହି ୧୮ ରୁ ଉର୍ଦ୍ଧ୍ବ ବିଭାଗ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ସିଆଇଏସଏଫ, ମତ୍ସ୍ୟ ବିଭାଗ, ମେରାଇନ ପୋଲିସ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡିଶା ପୋଲିସ, ବନ ବିଭାଗ, ପାରାଦୀପ ବନ୍ଦର ପ୍ରଭୃତିକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି। ରେଡ ଟିମ ଆତଙ୍କବାଦୀଙ୍କ ରୂପରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ବ୍ଲୁ ଟିମ୍‌ ସ୍ଥଳଭାଗରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବେ। ବୁଧବାର ସକାଳୁ ଜଳପଥ ସମେତ ସ୍ଥଳପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.