ଝାରସୁଗୁଡ଼ା ୬।୮: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ହେବ । ବୁଧବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ରହିଛି । ମୁଖ୍ୟ ସାକ୍ଷୀ କୁହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କ ସାକ୍ଷ୍ୟ ଗ୍ରହଣ ହେବ ।
ଗତ ମାର୍ଚ୍ଚ ମାସରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣା ଦିନ ପୋଲିସର ବନ୍ଧୁକ ଛଡ଼ାଇଥିବା ବିଜେଡି କର୍ମୀ ସରୋଜ ସା' ଦେଇଥିବା ବୟାନ ଥାନା ଅଧିକାରୀଙ୍କୁ ବିବାଦ ଘେରକୁ ଟାଣି ଆଣିଥିଲା । ଘଟଣାସ୍ଥଳରେ ଅଭିଯୁକ୍ତ ଗୋପାଳ ଦାସ ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିବା ଦୃଶ୍ୟ ଭିଡିଓରେ ଉତ୍ତୋଳିତ ହୋଇଥିଲା । ଠିକ୍ ସେହି ସମୟରେ କିଛି ବ୍ୟକ୍ତିଙ୍କ ମୋବାଇଲରେ ଆଉ ଏକ ଦୃଶ୍ୟ ବି କଏଦ ହୋଇଥିଲା । ତତ୍କାଳୀନ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ଓ ଅନ୍ୟ ପୋଲିସ କର୍ମଚାରୀ ଗୋପାଳର କଲର ଧରି ତାକୁ କାବୁ କରିଥିବା ବେଳେ ସେହି ଭିଡ଼ ଭିତରୁ ଜଣେ ଯୁବକ ଆଉ ଏକ ବନ୍ଧୁକ ଧରି ବାହାରିବା ସହ ତାକୁ ପ୍ରଦର୍ଶନ କରି ବୁଲୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଉକ୍ତ ବନ୍ଧୁକ ସଂପର୍କରେ ପୋଲିସ ନିଜ ତଦନ୍ତ ରିପୋର୍ଟରେ କୌଣସି ତଥ୍ୟ ପ୍ରକାଶ କରିନଥିଲା । ପରେ ବିଜେଡି କର୍ମୀ ସରୋଜ ସା' ନିଜେ ତତ୍କାଳୀନ ଆଇଆଇସି କାଳେ ଗୁଳିମାଡ଼ କରିବେ ସେହି ଆଶଙ୍କାରେ ତାଙ୍କ ବନ୍ଧୁକ ଛଡ଼ାଇ ନେଇଥିଲେ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ହେଲେ ବନ୍ଧୁକ ଛଡ଼ାଯିବା ଘଟଣାରେ IICଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ବି ହୋଇନଥିଲା । ତାହାର ଉତ୍ତର ବି ଆଜିଯାଏଁ ରହସ୍ୟାବୃତ୍ତ ହୋଇରହିଛି ।
ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।
You Can Read:
ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ, ଆତ୍ମହତ୍ୟା ଉଦ୍ୟମ କରି ମେଡିକାଲରେ ଭର୍ତ୍ତି