ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କୁ ମିଳୁନି ଟୋକନ୍, ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ତେଜିଲା ରାଜନୀତି

NEWS7
omar-abdullah-slams-congress-aap-amid-election-results-in-delhi-says

ଭୁବନେଶ୍ଵର/ସୋନପୁର/ସମ୍ବଲପୁର: ସମ୍ବଲପୁରରେ ଧାନ କିଣାକୁ ନେଇ ସରଗରମ୍ ହୋଇଛି ରାଜନୀତି । ଗ୍ରାଉଣ୍ଡକୁ ଓହ୍ଲାଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ନେତା । ସେପଟେ ନିର୍ଦ୍ଧାରିତ ପରିମାଣ ଠାରୁ ସରକାର ଅଧିକ ଧାନ କିଣିବେ ନାହିଁ ବୋଲି ଯୋଗାଣମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ପ୍ରତିବାଦ କରିଛନ୍ତି ଚାଷୀ । କହିଛନ୍ତି ପ୍ରଥମେ ଯେତିକି ଚାଷୀ ପଞ୍ଜିକରଣ କରିଛନ୍ତି ସେମାନଙ୍କ ଧାନ ଆଗ କିଣନ୍ତୁ ସରକାର । ସମବାୟ ମନ୍ତ୍ରୀ କହିଛନ୍ତି ଧାନ ଉଠାଣ ନେଇ ଚାଷୀ ଆନ୍ଦୋଳନ ପଛରେ ବିରୋଧୀଙ୍କ ହାତ ଅଛି।

ମଣ୍ଡିରୁ ଉଠୁନି ଧାନ । ଚାଷୀଙ୍କୁ ମିଳୁନି ଟୋକନ୍ । ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ତେଜିଛି ରାଜନୀତି । ବଳକା ଧାନ ଚାଉଳ କରି ଖାଅ ନହେଲେ ଖୋଲା ବଜାରରେ ବିକି ଦିଅ ବୋଲି ଗତକାଲି ଯୋଗାଣ ମନ୍ତ୍ରୀ କହିବା ପରେ ଆଜି ସମ୍ବଲପୁରରେ ଦେଖିବାକୁ ମିଳିଛି ହାଇଭୋଲଟେଜ୍ ପ୍ରତିବାଦ । ଚାଷୀମାନେ ଘରୁ ଧାନ ଆଣି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ରାସ୍ତାରେ ମାଣ, ଦଣ୍ଡି ଧରି ବସିବା ସହ ଧାନ ବିକ୍ରି କରି ଅଭିନବ ପ୍ରତିବାଦ କରିଛନ୍ତି । ଚାଷୀ କହିଛନ୍ତି ଯେ, ବଳକା ଧାନ କିଣିବାକୁ କେହି ସରକାରଙ୍କୁ ବାଧ୍ୟ କରୁନାହାନ୍ତି । ଯେତିକି ଚାଷୀ ପଞ୍ଜିକରଣ କରିଛନ୍ତି ଆଗ ସେତିକି ଚାଷୀଙ୍କ ଧାନ କିଣନ୍ତୁ ସରକାର । ଯେଉଁ ଚାଷୀଙ୍କୁ ଟୋକନ୍ ମିଳିନି ସେମାନଙ୍କ ପାଖରେ କେବେ ଟୋକନ୍ ପହଞ୍ଚିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ସାମ୍ନାର ଚାଷୀଙ୍କ ଏଭଳି ଅଭିନବ ପ୍ରତିବାଦ ଭିତରେ ନେତାଙ୍କ ରାଜନୀତିର ଛୁଙ୍କ ମଧ୍ୟ ଦେଖିବାକୁ ମିଳିଛି । ଚାଷୀ ଆନ୍ଦୋଳନ ଭିତରେ ଏଣ୍ଟ୍ରି ମାରି ହଟହଟା ହୋଇଛନ୍ତି ଉଭୟ ଶାସକ ଓ ବିରୋଧୀ ନେତା । ପ୍ରଥମେ ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ପ୍ରତିବାଦ ସ୍ଥଳକୁ ଆସିଥିବା ବେଳେ ତାଙ୍କୁ ବିରୋଧ କରିଥିଲେ ଚାଷୀ । ଟୋକନ୍ ଅବ୍ୟବସ୍ଥା ବିଜେଡିର ଦାନ କହି ତାତ୍ସଲ୍ୟ କରିଥିଲେ । ତଥାପି ରୋହିତ ନିଜେ ଦଣ୍ଡି ଧରି ଧାନ ବିକ୍ରିରେ ସାମିଲ ହୋଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ସେପଟେ ପ୍ରତିବାଦ ସ୍ଥଳରେ ପହଞ୍ଚିଥିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । କହିଥିଲେ ଆଜି ଦ୍ବିତୀୟ ପର୍ଯ୍ୟାୟ ଟୋକନ୍ ଦିଆଯିବ । ୧୯ରେ ଆନ୍ଦୋଳନ ନକରିବାକୁ ଅପିଲ୍ କରିଥିଲେ ଜୟ ।

ଏସବୁ ଭିତରେ ସାମ୍ନାକୁ ଆସିଥିଲା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବାଇଟ୍ । ମନ୍ତ୍ରୀ କହିଥିଲେ ଧାନ ଉଠାଣ ନେଇ ଚାଷୀ କରୁଥିବା ଆନ୍ଦୋଳନ ପଛରେ ବିରୋଧୀଙ୍କ ହାତ ଅଛି । ବିରୋଧୀ ଦଳ ତିଳକୁ ତାଳ କରୁଛନ୍ତି । ସେମିତି ବଡ଼ ଆନ୍ଦୋଳନ କେଉଁଠି ନାହିଁ । ମୁଁ ସିଧାସଳଖ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇ ମନିଟରିଂ କରୁଛି । ବର୍ତ୍ତମାନ ୭ ଜିଲ୍ଲାରେ ମଣ୍ଡି ଖୋଲିଛି ।

ବରଗଡ଼ରେ ୬୪ହଜାର ୬୫୨ ମେଟ୍ରିକ୍ ଟନ୍, ବଲାଙ୍ଗିରରେ ୧୫୭ ମେଟ୍ରିକ୍ ଟନ୍, କଳାହାଣ୍ଡିରେ ୧୧ହଜାର ୪୮୬ ମେଟ୍ରିକ ଟନ, ନୂଆପଡ଼ାରେ ୭ହଜାର ୭୨୭ମେଟ୍ରିକ୍ ଟନ୍, ସମ୍ବଲପୁରରେ ୬୯ ହଜାର ୯୭୦ ମେଟ୍ରିକ ଟନ୍ ଓ ସୁନ୍ଦଗରଗଡ଼ରେ ୧୧ମେଟ୍ରିକ୍ ଟନ୍ ଧାନ ଉଠାଇଛି । କିଛି ସ୍ଥାନରେ ଟୋକନ୍ ପହଞ୍ଚି ନଥିବାରୁ ଆନ୍ଦୋଳନ ହେଉଛି । ସେସବୁ ଜାଗାରେ ଟୋକନ୍ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଟୋକନ୍ ପହଞ୍ଚିଲେ ସମସ୍ୟାର ସମାଧାନ ହୋଇଯିବ ।

ଗତକାଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶ ପରେ ଆଉ କିଛି ମିଲର୍ସ ଏଗ୍ରିମେଣ୍ଟ କରିଛନ୍ତି । ଯେଉଁମାନେ ଏଗ୍ରିମେଣ୍ଟ କରିନାହାନ୍ତି ସେମାନେ ବି ଏଗ୍ରିମେଣ୍ଟ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ l ୧୯ ତାରିଖରେ ସମ୍ବଲପୁରରେ ୬ଘଣ୍ଟିଆ ବନ୍ଦ ପାଳନ ପାଇଁ କୃଷକ ସଂଗଠନ ଡାକରା ଦେଇଥିବା ବେଳେ ଏହା ପୂର୍ବରୁ ଚାଷୀ ପାଖରେ ଟୋକନ୍ ପହଞ୍ଚାଇବାକୁ ତତ୍ପରତା ପ୍ରକାଶ କରିଛି ପ୍ରଶାସନ ।