ଭୁବନେଶ୍ବର ୧୮।୪: ବିଜୁ ଜନତା ଦଳରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଅଭିନେତ୍ରୀ ବର୍ଷା ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସାଂସଦ ସସ୍ମିତ ପାତ୍ର ଦଳକୁ ସ୍ବାଗତ କରିଛନ୍ତି ।
ବିଜେଡିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେ କହିଛନ୍ତି, ‘ନିମ୍କି' ଫିଲ୍ମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କରିଥିଲି । ସିଏମ୍ କଥା କମ୍ କୁହନ୍ତି, କାମ ବେଶୀ କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ସରଳ ଭାବାମୂର୍ତ୍ତି ସମସ୍ତଙ୍କ ପାଇଁ ଆଦର୍ଶ । ବିଜେଡିରେ ସ୍ବାଗତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ।
ତେବେ ପୂର୍ବରୁ ଅନେକ ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ୨୦୧୯ ସାଧାରଣ ନିର୍ବାଚନ ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର କରିଥିଲେ । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଥିବା ଦେଖିବାକୁ ମଧ୍ୟ ମିଳିଥିଲା । ଏବେ କିନ୍ତୁ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ହେଲେ କିଛି ବର୍ଷ ହେବ ପାରିବାରିକ ବିବାଦ ଯୋଗୁଁ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସହ ଛାଡପତ୍ର ବିବାଦ ହାଇକୋର୍ଟରେ ପହଞ୍ଚିଥିଲା ।
ସୂଚନାଯୋଗ୍ୟ ଯେ, ୧୯୮୪ ମସିହା ଅଗଷ୍ଟ ୭ ତାରିଖରେ ବର୍ଷାଙ୍କ ଜନ୍ମ । ଜଣେ ଶିଶୁ କଳାକାର ଭାବେ ଓଲିଉଡ୍ରେ ଏଣ୍ଟ୍ରି ମାରିଥିଲେ ବର୍ଷା । ପରେ ପରେ ନିଜର ନିଖୁଣ ଅଭିନୟ ପାଇଁ ଆଗଧାଡିରେ ନାୟିକା ଭାବେ ବେଶ୍ ପରିଚିତ ହୋଇଥିଲେ । ଓଲିଉଡ୍ ସହ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ପରେ ଓଲିଉଡ୍ର ଷ୍ଟାର ନାୟକ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ପାରିବାରିକ ସମ୍ପର୍କ ଭଲରେ ଚାଲିନଥିଲା । ଏମିତିକି ଉଭୟଙ୍କ ପାରିବାରିକ ବିବାଦ କୋର୍ଟରେ ପହଞ୍ଚିଥିଲା । ଉଭୟଙ୍କ ଛାଡପତ୍ର ପାଇଁ ହାଇକୋର୍ଟ ଅନୁମତି ଦେଇସାରିଛନ୍ତି ।
You Can Read :
ଦିନ ସାଢେ ୧୧ଟା ସୁଦ୍ଧା ୪୦ ଛୁଇଁଲାଣି ପାରଦ, ଭୁବନେଶ୍ବର ଓ ବାଲେଶ୍ବରରେ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ