ଓଲିଉଡ୍ ଅଭିନେତା ଉଦୟନ ଅପରାଜିତ ଗିରଫ, ଧାର ଟଙ୍କା ନେଇ ଫେରେଇନଥିଲେ

Published By : Prameya-News7 Bureau | July 26, 2025 IST

ଭୁବନେଶ୍ୱର ୨୬/୦୭: ଟଙ୍କା ଉଧାର ନେଲେ, ଫେରେିଲେନି । ଶେଷରେ ଗଲେ ଜେଲ୍ । ଭୁବନେଶ୍ବର ବଡଗଡ ଥାନାରେ ଅଭିଯୋଗ ପରେ ଓଡ଼ିଆ ଅଭିନେତାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । 'ବଦମାସ ଟୋକା' ଫିଲ୍ମର ହିରୋ ଉଦୟନ ଅପରାଜିତଙ୍କୁ ବାନ୍ଧିଛି ପୋଲିସ । ଅଭିଯୋଗ ଥିଲା ଉଧାର ଟଙ୍କା ନେଇ କରଜ ସୁଝି ନଥିଲେ । 

ସୂଚନା ଥାଉକି,  ଇସ୍ପାତ କାରଖାନାର ଉନ୍ନତି କରାଇବା ଆଳରେ ୩୧.୫ ଲକ୍ଷ ଟଙ୍କା ଉଧାର ନେଲେ । କିନ୍ତୁ ଟଙ୍କା ଫେରାଇଲେନି କି ଧରାଛୁଆଁ ଦେଲେନି । ଅଭିନେତା ଜଣଙ୍କ ହେଉଛନ୍ତି ୪୦ ବର୍ଷୀୟ ଉଦୟନ ଅପରାଜିତ । ତାଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳା ବଡ଼ମଙ୍ଗଳପୁର ଅଞ୍ଚଳରେ । ଉଦୟ ‘ବଦମାସ ଟୋକା’ ସହ ଅନ୍ୟ କିଛି  ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି ।  ସେ ମଧ୍ୟ କେତେକ ଛତିଶଗଡ଼ୀ ଓ କନ୍ନଡ଼  ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । 
ଏଥିସହ ସେ କଳାହାଣ୍ଡି ଜିଲ୍ଲାରେ ଏକ ବହୁଭାଷୀ ଚଳଚ୍ଚିତ୍ର  ନିର୍ମାଣ କରୁଥିଲେ । ସେଥିରେ ଉଦୟନ ମୁଖ୍ୟ ନାୟକ ଥିଲାବେଳେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଖ୍ୟାତନାମା ନିର୍ଦ୍ଦେଶକ ଉଦୟ ନିର୍ଦ୍ଦେଶନା ଦେଉଥିଲେ । କିନ୍ତୁ ତାହାର ନିର୍ମାଣ ଶେଷ ହୋଇପାରିନାହିଁ । ଏହି ଚଳଚ୍ଚିତ୍ର ପାଇଁ ସେ ବହୁ ବ୍ୟକ୍ତିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଉଧାର  ନେଇଥିଲେ । କିନ୍ତୁ ତାହାକୁ ପରିଶୋଧ କରିପାରି ନଥିବା ଜଣାପଡ଼ିଛି । ପୋଲିସ କହିବା ମୁତାବକ, ସରୋଜ କୁମାର ସାହୁ ବରମୁଣ୍ଡା ଅଞ୍ଚଳରେ ସପରିବାର ରୁହନ୍ତି । 

୨୦୨୧ ଅକ୍ଟୋବର ମାସରେ ଉଦୟ ତାଙ୍କୁ ଭେଟିଥିଲେ । ଏକ ଇସ୍ପାତ କାରଖାନାର ଉନ୍ନତୀକରଣ ଲାଗି ତାଙ୍କ ଠାରୁ ୩୧ ଲକ୍ଷ ୫୦ ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର  ସ୍ୱାକ୍ଷର ହୋଇଥିଲା । ଅଭିଯୋଗକାରୀ ବାରମ୍ବାର ଟଙ୍କା ମାଗିବାରୁ ଉଦୟ ତାଙ୍କୁ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏକ ଚେକ୍‌ ମଧ୍ୟ ଦେଇଥିଲେ । 

କିନ୍ତୁ  ଉକ୍ତ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ଅଭାବରୁ ତାହା ବାଉନ୍ସ ହୋଇଯାଇଥିଲା । ସରୋଜ ଏକାଧିକବାର ଉଦୟଙ୍କୁ ଯୋଗାଯୋଗ କରି  ଧାର ଟଙ୍କା ମାଗିବାରୁ ଉଦୟ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଅନ୍ୟ କୌଣସି ଉପାୟ ନପାଇ ସରୋଜ ଥାନାର ଦ୍ୱାରସ୍ଥ ହୋଇଥିଲେ । ଶେଷରେ ପୋଲିସ ଉଦୟଙ୍କୁ ବଡ଼ଗଡ଼ କେନାଲ ରୋଡ୍‌ ନିକଟରୁ ଧରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.