ଭୁବନେଶ୍ୱର: ଓଡ଼ିଶାରେ ଏବେ ଶିଳ୍ପାୟନର ବିବିଧତା ଆସିବ। ପାରମ୍ପରିକ ଖଣିଜ ଓ ଧାତବ ଶିଳ୍ପ ସମେତ ବୟନ ଶିଳ୍ପରେ ରାଜ୍ୟ ସମୃଦ୍ଧ ହେବ। ୨୦୩୦ ସୁଦ୍ଧା ଓଡ଼ିଶାକୁ ପୂର୍ବ ଭାରତର ବୟନ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟ ବୟନଶିଳ୍ପ କ୍ଷେତ୍ରରେ ନିବେଶ କରିବାକୁ ଆଗେଇ ଆସିଛନ୍ତି ବଡ଼ ବଡ଼ ପ୍ରତିଷ୍ଠିତ କମ୍ପାନୀ। କେବଳ ସେତିକି ନୁହେଁ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବା MSME କ୍ଷେତ୍ରକୁ ମଜଭୁତ କରିବା ଲାଗି ରାଜ୍ୟରେ ୩୦ ବହୁ ଉତ୍ପାଦ MSME ପାର୍କ ସ୍ଥାପନ କରାଯାଉଛି। ଏଥିମଧ୍ୟରୁ ୧୪ଟି MSME ପାର୍କ ଲାଗି ଜମି ଚିହ୍ନଟ ହୋଇଛି। ସେହିପରି ଲଜିଷ୍ଟିକ ପାର୍କ ସ୍ଥାପନା ଓ ବୟନ ପାର୍କ ସ୍ଥାପନା ଆଦି ପାଇଁ ନିବେଶ ହୋଇଛି।
ବୟନ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ରାଜ୍ୟ ସରକାର କମ୍ପାନୀଗୁଡ଼ିକୁ ଆହ୍ୱାନ ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ବୟନ କ୍ଷେତ୍ରରେ ୨୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। MAS ହୋଲ୍ଡିଂସ୍, ଶାହି, ପେଜ୍ ଇଣ୍ଡଷ୍ଟ୍ରିଜ୍, ABFRL. ଏପିକ୍ ଓ ତ୍ରିମେଟ୍ରୋ ଭଳି ସଂସ୍ଥା ନିଜର କାରଖାନା ସ୍ଥାପନ କରିବାକୁ ଆଗେଇ ଆସିଛନ୍ତି। ପ୍ରତିଷ୍ଠିତ କମ୍ପାନି ସ୍ପୋର୍ଟକିଙ୍ଗ ମଧ୍ୟ ଓଡ଼ିଶାରେ ନିଜର ୟୁନିଟ୍ ବସାଇବାକୁ ଘୋଷଣା କରିଛି। ଆସନ୍ତା ୫ ବର୍ଷରେ ୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।
ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି, ୨୦୩୦ ସୁଦ୍ଧା ଓଡ଼ିଶାକୁ ପୂର୍ବ ଭାରତର ବୟନ ରାଜଧାନୀ କରିବାକୁ ଆମର ଲକ୍ଷ୍ୟ।ଏଥିପାଇଁ ଏଠାରେ ଫାଇବର୍ଠାରୁ ଫ୍ୟାସନ୍ ପର୍ଯ୍ୟନ୍ତ ଏକ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାମୂଳକ ବ୍ୟବସ୍ଥା ଗଠନ କରାଯାଉଛି।
ବୟନ ଶିଳ୍ପର ବିକାଶ ଲାଗି କାଳିବେଟିରେ ୨୭୮ ଏକର ଓ ଆରଙ୍ଗରେ ୧୭୯ ଏକରର ଜମି ଉତ୍ସର୍ଗୀକୃତ ଜୋନ୍ ବିକାଶ କରିଛନ୍ତି। ଗଞ୍ଜାମରେ ପିଏମ୍ ମିତ୍ର ଟେକ୍ସଟାଇଲ୍ ପାର୍କକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ରାଜ୍ୟରେ କାର୍ଯ୍ୟକ୍ଷମ ବୟନ କାରଖାନାରେ ୪୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସେଥିରୁ ୭୦ ପ୍ରତିଶତ ନିଯୁକ୍ତି ମହିଳାମାନଙ୍କୁ ମିଳିଛି। ଲୋକଙ୍କୁ ବୟନ ଶିଳ୍ପରେ ଚାକିରି ଦେବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ଟେକ୍ସଟାଇଲ୍ ସ୍କିଲ୍ ମିସନ’ ଆରମ୍ଭ କରିଛନ୍ତି। ସେଥିରେ ଦେଢ଼ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ୫ଟି ଫାଇବର୍ ଟୁ ଫ୍ୟାସନ୍ କରିଡର୍ ମଧ୍ୟ ବିକାଶ କରୁଛନ୍ତି। ଓଡ଼ିଶା ବୟନ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍ ନୀତି ୨.୦ରେ ନିବେଶକମାନଙ୍କୁ ଆକର୍ଷଣ କରିବାକୁ ସବ୍ସିଡି ଓ ପ୍ରୋତ୍ସାହନ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।
ସେପଟେ ରାଜ୍ୟରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷେତ୍ରକୁ ଦୃଢ଼ୀକରଣ କରିବା ଲାଗି ରାଜ୍ୟରେ ୩୦ ବହୁ ଉତ୍ପାଦ ଏମ୍ଏସ୍ଏମ୍ଇ ପାର୍କ ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି। ଏଥିମଧ୍ୟରୁ ୧୪ଟି ଏମ୍ଏସ୍ଏମ୍ଇ ପାର୍କ ଲାଗି ଜମି ଚିହ୍ନଟ କରାଯାଇଛି।ସେହିଭଳି ଜଗତପୁର, ଖୋର୍ଦ୍ଧା ଏବଂ ମଞ୍ଚେଶ୍ୱର ଭଳି ପ୍ରମୁଖ ଶିଳ୍ପାଞ୍ଚଳର ଭିତ୍ତିଭୂମି ବିକାଶ କରିବାକୁ କାର୍ଯ୍ୟ ଜାରି ରହିଛି। ଏସବୁ ବିଭିନ୍ନ ପ୍ରକଳ୍ପରେ ୧୫୨.୩୦ କୋଟି ଟଙ୍କା ବିନିଯୋଗ କରାଯାଉଛି ବୋଲି ଶିଳ୍ପ ବିଭାଗ ପକ୍ଷରୁ ସୂଚନା ମିଳିଛି। ଶିଳ୍ପ ବିଭାଗ ଲାଗି ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୪-୨୫ରେ ୯୧୫ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥିମଧ୍ୟରୁ ପ୍ରାୟ ୯୫% ଅର୍ଥ ଭିତ୍ତିଭୂମି ବିକାଶ କାର୍ଯ୍ୟରେ ବିନିଯୋଗ କରାଯାଇଛି। ଲଜିଷ୍ଟିକ୍ସ ପାର୍କ ସ୍ଥାପନା, ଶ୍ରମିକ ହଷ୍ଟେଲ, ବୟନ ପାର୍କ, କମ୍ପାନି ଗୁଡ଼ିକର ବର୍ଜ୍ୟ ଜଳ ପରିଚାଳନା ଭଳି ବିଭିନ୍ନ ପ୍ରକଳ୍ପରେ ଏସବୁ ଅର୍ଥ ବିନିଯୋଗ କରାଯାଇଛି।
ଭୁବନେଶ୍ୱରରେ ସ୍ମାର୍ଟ ସଷ୍ଟେନେବୁଲ ସିଟି ବିକାଶ ଦିଗରେ ଅଗ୍ରସର ହୋଇଛି । ରାଜ୍ୟର ଗ୍ରୀନ ହାଇଡ୍ରୋଜେନ, ଇଏସ୍ଡିଏମ, ଟେକ୍ନିକାଲ ଟେକ୍ସଟାଇଲ ଏବଂ ସେମି କଣ୍ଡକ୍ଟର ଭଳି କ୍ଷେତ୍ରରେ ୧.୩୬ ଲକ୍ଷ କୋଟିର ୨୦ ଗ୍ରୀନ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ସେହିଭଳି ରାଜ୍ୟର ଷ୍ଟାର୍ଟଅପ୍ ଗୁଡ଼ିକୁ ୨୫.୪୮ କୋଟିର ପ୍ରୋତ୍ସାହନ ଦିଆଯାଇଛି। ଇନକ୍ୟୁବେସନ, ଉତ୍ପାଦ ବିକାଶ, ବଜାର ସୁବିଧା ଲାଗି ଷ୍ଟାର୍ଟଅପ୍ ଅଭିବୃଦ୍ଧି ପାଣ୍ଠିରୁ ୨୫ କୋଟିର ବ୍ୟବସ୍ଥା କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।