କଟକ: ରାଜ୍ୟରେ ଧରାପଡ଼ିଛନ୍ତି ୪୨୪ ଜଣ ନକଲି ଶିକ୍ଷକ। ନକଲି ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି। କିନ୍ତୁ ଏହି ସଂଖ୍ୟା ଏତିକି ନା ଆହୁରି ଅଧିକ ତାହା ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ । ଏମିତିରେ ଆସନ୍ତା ମାସ ୬ ତାରିଖ ସୁଦ୍ଧା ସବିଶେଷ ବିବରଣୀ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉକି, ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ ଥାଇବି ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାର ଅଭିଯୋଗ କରି ସଞ୍ଜୟ କୁମାର ମହାରଣା ୨୦୧୮ ମସିହାରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ଯାହାର ଶୁଣାଣି ସମୟରେ ଏହି ତଥ୍ୟ ରାଜ୍ୟ ସରକାର ଦେଇଥିବାବେଳେ, ହାଇକୋର୍ଟ ସବିଶେଷ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସରକାର ଦେଇଥିବା ସତ୍ୟପାଠରେ ଆହୁରି କୁହାଯାଇଛି, ୬ଟି ଜିଲ୍ଲାରେ ସ୍ଥିତି ଉଦବେଗଜନକ ରହିଛି। ବରଗଡ଼, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ତଦନ୍ତ ଚାଲିଛି, ଯାହା ଏବେବି ଶେଷ ହୋଇନାହିଁ।
ତେବେ ଏହାକୁ ନେଇ ମୁଖ୍ୟବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିବା ସହ ୨୦୧୮ ମସିହାରୁ ନକଲି ଶିକ୍ଷକ ଧରପଗଡ଼ କାର୍ଯ୍ୟ ଚାଲିଥିଲେବି, ଏଯାଏ କାହିଁକି ସରିନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏମିତିରେ ଆସନ୍ତା ୬ ତାରିଖ ସୁଦ୍ଧା ତଦନ୍ତର ଅଗ୍ରଗତି ଏବଂ ଧରାପଡ଼ିଥିବା ନକଲି ଶିକ୍ଷକମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହୋଇଛି, ସତ୍ୟପାଠ ଜରିଆରେ ଜଣାଇବା ପାଇଁ ରାଜ୍ୟ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।