କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ, ୨ ଶହ ମେଡିକାଲ ସିଟ୍ ପାଇଁ କଲେ ଅନୁରୋଧ

Published By : Prameya-News7 Bureau | August 06, 2025 IST

ନୂଆଦିଲ୍ଲୀ ୦୬।୦୮ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସ୍ୱାସ୍ଥମନ୍ତ୍ରୀ । ତାଳଚେରରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ପାଇଁ ୧୦୦ ଏମ୍‌ବିବିଏସ୍‌ ସିଟ୍ ଏବଂ ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ସିଟ୍‌ରେ ନାମଲେଖା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏହି ଅନୁରୋଧ କରିଛନ୍ତି । 

ତେବେ ଏହି ଦୁଇ ଶହ ସିଟ୍‌ରେ ୨୦୨୫-୨୬  ଶିକ୍ଷାବର୍ଷରେ ନାମଲେଖା ପାଇଁ ଅନୁମତି ଦେବାକୁ ଡ. ମହାଲିଙ୍ଗ କହିଛନ୍ତି । ଏହି ଦୁଇ ମେଡିକାଲ କଲେଜ ନୂଆ କରି ପ୍ରତିଷ୍ଠା ହୋଇଛି । ଏହି ଦୁଇ ଅନୁଷ୍ଠାନର ଡିନ୍‌ ଓ ପ୍ରିନ୍ସିପାଲମାନେ ଅନୁମତିପତ୍ର ପାଇଁ ୧୮ ଜାନୁଆରୀ ୨୦୨୫ରେ ନ୍ୟାସନାଲ  ମେଡିକାଲ କମିଶନ (ଏନ୍‌ଏମ୍‌ସି) ପୋର୍ଟାଲରେ ଆବେଦନ କରିଥିଲେ । ଏନ୍‌ଏମ୍‌ସି ଟିମ୍‌ ୨୩ ଜୁନ  ୨୦୨୫ରେ ପବିତ୍ର ମୋହନ ପ୍ରଧାନ ମେଡିକାଲ  କଲେଜ ଓ ୨୮ ମେ ୨୦୨୫ରେ ସରକାରୀ ମେଡିକାଲ କଲେଜ ଫୁଲବାଣୀକୁ ପରିଦର୍ଶନ କରିଥିଲେ । ରାଜ୍ୟ  ସରକାର ଏହି ଦୁଇ ଅନୁଷ୍ଠାନ ପାଇଁ ଚିକିତ୍ସା ଓ ଶିକ୍ଷା କ୍ଷେତ୍ରରେ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି । ରାଜ୍ୟ  ବଜେଟ୍‌ରେ ଏଥିପାଇଁ ଆବଶ୍ୟକ ଅର୍ଥ ମଧ୍ୟ ବରାଦ ହୋଇଛି । ତେବେ ଅନୁମତି ପତ୍ର ମିଳିବା ପରେ  ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଆଉ ଦୁଇଟି କଲେଜ ଯୋଡି ହେବ । ୧୪ଟି ସରକାରୀ କଲେଜରୁ ବଢି ୧୬ ସରକାରୀ ମେଡିକାଲ କଲେଜ ହେବା ସହ ମୋଟ  ସିଟ୍‌ ବଢ଼ି ୧୮୦୦ ହେବ । ଏହି ଅବସରରେ ଡ.  ମହାଲିଙ୍ଗ ଶ୍ରୀ ନଡ୍ଡାଙ୍କ ସହ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଉନ୍ନତତର କରିବା ପାଇଁ ମଧ୍ୟ ଆଲୋଚନା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତୀଙ୍କୁ ଭେଟିବା ସମୟରେ  ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ,  କଟକ ସାଂସଦ ଭର୍ତ୍ତୃହରି ମହତାବ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.