ସ୍ୱତନ୍ତ୍ର ଆଇନ୍ ଦାବିରେ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ, ଷ୍ଟିଅରିଂ ଧରିବେନି ୨ଲକ୍ଷ ଡ୍ରାଇଭର

Published By : Prameya-News7 Bureau | July 08, 2025 IST

ଭୁବନେଶ୍ୱର : ସ୍ୱତନ୍ତ୍ର ଆଇନ୍‌ ଦାବିରେ ଓଡିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ବସ୍‌, ଟ୍ରକର ଷ୍ଟିଅରିଂ  ଧରିବେନି ୨ଲକ୍ଷ ଡ୍ରାଇଭର। ରାସ୍ତାରେ ଅଟୋରିକ୍ସା, କାର ଚଳାଚଳ  ବି ବନ୍ଦ ରହିବ । ୭ଦଫା ଦାବି ନେଇ  ଆନ୍ଦୋଳନକୁ  ଓହ୍ଲାଇଛି ଓଡିଶା ଡ୍ରାଇଭର ମହାସଂଘ । ଅନ୍ୟପଟେ ବୁଧବାର ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛି ଶ୍ରମିକ ସଂଗଠନ । ବାମପନ୍ଥୀ ଦଳ  ବି ଧର୍ମଘଟକୁ ସମର୍ଥନ ଜଣାଇଛି। ଫଳରେ ସାଧାରଣ ଜନତାଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି। 

ବିଭିନ୍ନ ସରକାରୀ  ଗାଡ଼ି, ସ୍କୁଲ ବସ, ଆମ୍ବୁଲାନ୍ସ, ଓମ୍‌ଫେଡ୍‌ କ୍ଷୀର ବୋହୁଥିବା ଅତ୍ୟାବଶ୍ୟକୀୟ ଗାଡ଼ିକୁ ଆନ୍ଦୋଳନରୁ ବାଦ୍‌   ଦିଆଯାଇଛି । ସବୁବର୍ଗର ଡ୍ରାଇଭର ଏହି ଆନ୍ଦୋଳନରେ  ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି । କିଛି ଜିଲ୍ଲାର ଚାଳକ ସଂଘ ଷ୍ଟିଅରିଂ ଛାଡ଼  ଆନ୍ଦୋଳନରେ ସାମିଲ୍‌ ହେବେ ନାହିଁ ବୋଲି  ରୋକ୍‌ଠୋକ ଶୁଣାଇଛନ୍ତି । ଫଳରେ ମହାସଂଘ ୨ ଫାଳ ହୋଇଯାଇଛି । ଓଡିଶା ସଡ଼କ ପରିବହନ ଶ୍ରମିକ  ମହାସଂଘ ମିଳିତ ମଞ୍ଚ ଏହି ଆନ୍ଦୋଳନକୁ ବିରୋଧ  କରିଛି। ସାଙ୍ଗଠନିକ ସମ୍ପାଦକ ସନ୍ତୋଷ ସାହୁ କହିଛନ୍ତି,  ରାଜ୍ୟରେ ୩୫ଟି ସଂଘ ଥିବା ବେଳେ ଗୋଟିଏ  ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି । ନିଜର ଆଧିପତ୍ୟ  ଜାହିର୍‌ ଓ ସ୍ୱାର୍ଥ ହାସଲ ପାଇଁ ଏହି ଆନ୍ଦୋଳନ  ଡାକରା ଦିଆଯାଇଛି । ସରକାରଙ୍କୁ ଅଡୁଆରେ  ପକାଇବାକୁ ଚକ୍ରାନ୍ତ ଚାଲିଛି । ସରକାର ସୁରକ୍ଷା ଦେଲେ, ଯାନବାହାନ ଚଳାଚଳ ସ୍ୱାଭାବିକ ହେବ । ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ ନେଇ ପୁଲିସକୁ ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବକୁ  ଟ୍ରକ ଓ ବସ୍‌ ମାଲିକ ସଂଘ ମାସେ ଧରି ବିରୋଧ କରିଆସୁଛି । ଉଭୟ ସଂଘ ଏହି ଷ୍ଟିଅରିଂ ଛାଡ଼   ଆନ୍ଦୋଳନକୁ ପରୋକ୍ଷରେ ସମର୍ଥନ ଜଣାଇଛି ।  

 ରାଜ୍ୟ ଟ୍ରକ  ମାଲିକ ମହାସଂଘ ସଭାପତି ପୁରଞ୍ଜନ ପାଢ଼ୀଙ୍କ କହିବା ମୁତାବକ, ରାଜ୍ୟର ଅଧିକାଂଶ ଡ୍ରାଇଭର  ଟ୍ରକ, ମିନି ଟ୍ରକ, ହାଇୱା ଚଳାଉଛନ୍ତି । ସେମାନଙ୍କ  ଆନ୍ଦୋଳନ ଯୋଗୁ ଟ୍ରକ ଚଳାଚଳ ଅସମ୍ଭବ । ଆମେ  ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ସମର୍ଥନ କରୁଛୁ ।


 ମହାସଂଘର ଦାବିଗୁଡ଼ିକ ହେଲା, ଓଡ଼ିଶା  ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ ୱାକର୍ସ  ୱେଲ୍‌ଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ  କରାଯାଉ । ୬୦ ବର୍ଷ ପରେ ପେନସନ, ଦୁର୍ଘଟଣାରେ  ମୃତକ ଡ୍ରାଇଭର ପରିବାରକୁ ୨୦ ଲକ୍ଷର ବୀମା  ରାଶି ମିଳୁ । ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ  ଦିଆଯାଉ । ପ୍ରତି ୧୦୦ କିମି ଦୂରତାରେ ଡ୍ରାଇଭରଙ୍କ  ପାଇଁ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ କରାଯାଉ ।  ଗାଡି଼ ଚଳାଇବାର ସମୟସୀମା ଧାର୍ଯ୍ୟ ହେଉ ।  ଡ୍ରାଇଭିଂ ଲାଇସେନ୍ସ ଦେୟ ୧୫ ହଜାର ଟଙ୍କାକୁ  କମ୍‌ କରାଯାଉ । ପ୍ରତି ଖଣି ଖାଦାନ ଓ କାରଖାନାରେ  ୭୦ ପ୍ରତିଶତ ଡ୍ରାଇଭରଙ୍କୁ କାମ ପାଇଁ ଅଗ୍ରାଧିକାର  ଦିଆଯାଉ । ସେପ୍ଟେମ୍ବର ୧ ତାରିଖକୁ ଜାତୀୟ  ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ । ଅନ୍ୟପକ୍ଷରେ ଷ୍ଟିଅରି ଛାଡ଼ ଆନ୍ଦୋଳନ ବେଳେ   ସରକାରୀ ବସ୍‌ ସେବାକୁ ଠପ୍‌ କରିବାକୁ ଡ୍ରାଇଭର   ମହାସଂଘ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଉଠିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.