News7 Logo

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ, କୋଟିଏ ପାର ହୋଇପାରେ ବୃକ୍ଷରୋପଣ ସଂଖ୍ୟା

NEWS7
Plants Saplings

ଭୁବନେଶ୍ବର ୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଭୁବନେଶ୍ବରର ଏକାମ୍ର କଲେଜ ପରିସରରେ ଆୟୋଜିତ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅଭିଯାନରେ ସାମିଲ ହୋଇ ପରିବେଶର ସୁରକ୍ଷା ସହ ୭୫ ଲକ୍ଷ ଚାରା ରୋପଣ ଲକ୍ଷ୍ୟ ହାସଲ ପାଇଁ ସମସ୍ତେ ଗଛଟିଏ ଲଗାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୭୫ ଲକ୍ଷ ଛୁଇଁଲା ବୃକ୍ଷ ରୋପଣ । ଦିନ ୧ଟା ୧୩ ମିନିଟ୍‌ରେ ଲକ୍ଷ୍ୟ ହାସଲ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୃକ୍ଷ ରୋପଣ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । କୋଟିଏ ପାର ହୋଇପାରେ ବୃକ୍ଷ ରୋପଣ ସଂଖ୍ୟା । ସେପ୍ଟେମ୍ବର ୩୦ ତାରିଖ ଯାଏଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ । ବୁଧବାର ବୃକ୍ଷ ରୋପଣରେ କୋରାପୁଟ ପ୍ରଥମ, କେନ୍ଦୁଝର ଦ୍ଵିତୀୟ, ମୟୁରଭଞ୍ଜ ତୃତୀୟ, ସୁନ୍ଦରଗଡ ଚତୁର୍ଥ, କଳାହାଣ୍ଡି ପଞ୍ଚମ ସ୍ଥାନ ଅଧିକାର କରିଛି ।

ଗତ ଥର ‘ଏକ୍ ପେଡ୍ ମା’ କେ ନାମ୍’ କାର୍ଯ୍ୟକ୍ରମରେ ସାଢେ ୬ କୋଟି ଗଛ ଲାଗିଥିଲା । ଏଥର ଓଡ଼ିଶାକୁ ଯେଉଁ ସାଢେ ୭ କୋଟି ଲକ୍ଷ୍ୟ ଦିଆଯାଇଛି, ତାକୁ ପୂରଣ କରିବ । ପୁଣି ଥରେ ବୃକ୍ଷ ରୋପଣ କରି ‘ମେରି ଲାଇଫ’ ପୋର୍ଟାଲରେ ସେଲ୍ଫି ଅପଲୋଡ଼ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି ।