ଭୁବନେଶ୍ୱର: ଗୁରୁବାର ବ୍ରିଟେନ୍ ଓ ଭାରତ ମଧ୍ୟରେ ବହୁ ପତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରିଟେନ ଗସ୍ତ ସମୟରେ ଦୁଇ ଦେଶର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଟ୍ରେଡ୍ ଡିଲ୍କୁ ନେଇ ଉଭୟ ଦେଶ ବେଶ୍ ଖୁସି ଅଛନ୍ତି। ବ୍ରେକ୍ଜିଟ୍ରୁ ଓହରିବା ପରେ ବ୍ରିଟେନ୍ର ଏହା ବଡ଼ ବିଜୟ ବୋଲି ୟୁକେବାସିନ୍ଦା କହୁଥିବା ବେଳେ ଭାରତ ପାଇଁ ଏକ ବଡ଼ ସୁଯୋଗର ଆଣିଛି। ଏଥିରେ ଭାରତ ବିପୁଳ ଲାଭବାନ ହେବ। ହେଲେ ଏହି ଟ୍ରେଡ୍ ଡିଲ୍ ଦ୍ୱାରା ଉଭୟ ଦେଶର ଜନତା କିଭଳି ଲାଭବାନ ହେବେ ? ସାଧାରଣ ଲୋକଙ୍କ ପାଇଁ କେଉଁ ସବୁ ଜିନିଷର ମୂଲ୍ୟ କମିଯିବ ? ପଢ଼ନ୍ତୁ ସବିଶେଷ ରିପୋର୍ଟ
ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ବ୍ରିଟେନ ପ୍ରତିପକ୍ଷ କିର୍ ଷ୍ଟାର୍ମରଙ୍କ ଉପସ୍ଥିତିରେ ଭାରତର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବ୍ରିଟେନ୍ର ବ୍ୟାପାର ମନ୍ତ୍ରୀ ଜୋନାଥନ ରେନୋଲ୍ଡ୍ସ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ରାଜିନାମାକୁ ଲାଗୁ କରିବା ପାଇଁ ଏବେ ବ୍ରିଟିଶ ସଂସଦର ମଞ୍ଜୁରି ଲୋଡ଼ାଯିବ । ତେବେ ଏଥିପାଇଁ ବର୍ଷେ ସମୟ ଲାଗିପାରେ ବୋଲି ଅନୁମାନ ରହିଥିବାବେଳେ ଭାରତର କେନ୍ଦ୍ରୀୟ କ୍ୟାବିନେଟ୍ରୁ ଏହାକୁ ମଞ୍ଜୁରି ମିଳିସାରିଛି ।
ଏହି ଚୁକ୍ତି ଅନୁସାରେ ଭାରତରୁ ବ୍ରିଟେନ୍କୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ସେଠାରେ ଆଦୌ ଟାରିଫ୍ ଲାଗିବ ନାହିଁ। ଅନ୍ୟପକ୍ଷରେ, ବ୍ରିଟେନ୍ରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ହାରାହାରି ଟାରିଫ୍ ୧୫%ରୁ ଖସି ୩% ହେବ। ଫଳରେ ଭାରତୀୟଙ୍କ ପାଇଁ ସେଠାକାର ସାମଗ୍ରୀ ଶସ୍ତା ହେବ । ୮୫% ସାମଗ୍ରୀ ୧୦ ବର୍ଷରେ ସମ୍ପୂର୍ଣ୍ଣ ରୂପେ ଟାରିଫ୍ମୁକ୍ତ ହେବ। ଏଥିରେ ଅନେକ ସାମଗ୍ରୀ ଶସ୍ତାରେ ଉପଲବ୍ଧ ହେବ। ବ୍ରିଟେନ୍ରୁ ଆମଦାନି ହେଉଥିବା ସ୍କଚ୍ ହ୍ୱିସ୍କି ଏବଂ ଜିନ୍ସ ଉପରେ ଭାରତର ଟାରିଫ୍ ୧୫୦%ରୁ ଖସି ୭୫% ହୋଇଯିବ। ପରେ ଚୁକ୍ତି ଅନୁସାରେ ଏହି ଟାରିଫ୍କୁ ୧୦ ବର୍ଷ ସୁଦ୍ଧା କମାଇ ୪୦%କୁ କମାଇ ଦିଆଯିବ।
ସେହିଭଳି ବ୍ରିଟେନ୍ର ଲଗଜୁରୀ କାର୍ ଯେପରିକି ଜାଗୁଆର୍, ଲ୍ୟାଣ୍ଡ୍ ରୋଭର, ରୋଲ୍ସ ରଏସ୍ ଆଦି ଉପରେ ଲାଗୁଥିବା ୧୦୦% ଟାରିଫ୍। କୋଟା ସିଷ୍ଟମ୍ ଅଧୀନରେ ୧୦% ପର୍ଯ୍ୟନ୍ତ ଆସିଯିବ।ଫଳରେ ଏସବୁ କାର୍ଗୁଡ଼ିକ ଭାରତରେ ୨୦ରୁ ୩୦% ଶସ୍ତା ହେବ । ବ୍ରିଟେନ୍ରୁ ଆସୁଥିବା ସାଲ୍ମନ୍, ଚକୋଲେଟ୍, ବିସ୍କୁଟ ଏବଂ ସଫ୍ଟଡ୍ରିଙ୍କ୍ ଉପରେ ଟାରିଫ୍ କମିବ। ଫଳରେ ଏ ଉତ୍ପାଦଗୁଡ଼ିକ ଶସ୍ତା ହେବ। ୟୁକେର କସ୍ମେଟିକ୍ସ, ମେଡିକାଲ ଉପକରଣ ଏବଂ ଏରୋସ୍ପେସ୍ ଉପକରଣ ଉପରେ କମ୍ ଟାରିଫ୍ ଲାଗିବା ଦ୍ୱାରା ଏସବୁ ସାମଗ୍ରୀ ଶସ୍ତା ହେବ। ଟାରିଫ୍ ୧୫%ରୁ କମ୍ ହୋଇ ୩%କୁ ଆସିଯିବ । ସେହିଭଳି ବ୍ରିଟେନ୍ରୁ ଆସୁଥିବା ବ୍ରାଣ୍ଡେଡ୍ ପୋଷାକ, ଫ୍ୟାଶନ୍ ପ୍ରଡକ୍ଟ ଏବଂ ହୋମ୍ୱେର, ଫର୍ଣ୍ଣିଚର, ଇଲେକ୍ଟ୍ରୋନିକ୍ସ ବି କମ୍ ଦରରେ ପାଇପାରିବେ ଭାରତୀୟ।
ମୁକ୍ତ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ହେଲେ ଉଭୟ ଦେଶର ସାମଗ୍ରୀ ଉପରେ ଶୁଳ୍କ ହ୍ରାସ ପାଇବ। ଫଳରେ ଉଭୟ ଦେଶର ଜନତାଙ୍କୁ ପାର୍ଟନର ଦେଶର ସାମଗ୍ରୀ ପୂର୍ବ ଅପେକ୍ଷା ଶସ୍ତା ଦରରେ ମିଳିପାରିବ। ଆର୍ଥାତ୍ ଭାରତ ଲୋକେ ବ୍ରିଟେନରୁ ଆସୁଥିବା କିଛି ସାମଗ୍ରୀ କମ୍ ଦାମରେ କିଣିପାରିବେ ଓ ବ୍ରିଟେନ୍ ବାସିନ୍ଦା କିଛି ଭାରତୀୟ ସାମଗ୍ରୀ ଶସ୍ତା ଦରରେ ପାଇବେ। କେବଳ ଗ୍ରାହକଙ୍କୁ ଯେ ଶସ୍ତାରେ ସାମଗ୍ରୀ ମିଳିବ ତାହା ନୁହେଁ, ଏଥିରେ ଉଭୟ ଦେଶର ଇଣ୍ଡଷ୍ଟ୍ରୀକୁ ବଡ଼ ଫାଇଦା ହେବ। ଶିଳ୍ପ ବଢ଼ିବ, ନିଯୁକ୍ତି ସୃଷ୍ଟି ହେବ। ଫଳରେ ଅର୍ଥନୀତି ଗତି ପ୍ରଖର ହେବ।
ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ୱାରା ବୟନଠାରୁ ନେଇ ଭାରତର ଇଞ୍ଜିନିୟରିଂ, ମେଡିକାଲ ଏବଂ କେମିକାଲ ଭଳି କ୍ଷେତ୍ରକୁ ଫାଇଦା ହେବ। ୟୁକେରେ ଭାରତୀୟ ପୋଷାକ ଏବଂ ହୋମ୍ ଟେକ୍ସଟାଇଲ ଯେପରି ଚାଦର, ପରଦା ଉପରେ ୮ରୁ ୧୨% ଟିକସ ଲାଗୁଥିଲା। ଏବେ ତାହା ସମ୍ପୂର୍ଣ୍ଣ ଟାରିଫ୍ମୁକ୍ତ ହୋଇଯିବ। ଫଳରେ ବାଂଲାଦେଶ ଏବଂ ଭିଏତ୍ନାମ ଭଳି ଦେଶଗୁଡ଼ିକ ତୁଳନାରେ ଭାରତୀୟ ପୋଷାକ ସେଠାରେ ଅଧିକ ଶସ୍ତା ହେବ। ଖାଲି ଶସ୍ତା ହେବ ତାହା ନୁହେଁ, ଏହା ସେଠାରେ ଅନ୍ୟ ବିଦେଶୀ କମ୍ପାନିଙ୍କୁ ମଧ୍ୟ ଟକ୍କର ଦେଇପାରିବ। ତିରୁପୁର, ସୁରଟ ଏବଂ ଲୁଧିଆନା ଭଳି ରପ୍ତାନି ହବ୍ରେ ଆଗାମୀ ୩ ବର୍ଷରେ ୪୦% ପର୍ଯ୍ୟନ୍ତ ଅଭିବୃଦ୍ଧି ହେବ। ଭାରତରୁ ବ୍ରିଟେନ୍ ଯାଉଥିବା ଗହଣା ଏବଂ ଚମଡ଼ା ଉତ୍ପାଦ ଯେପରି ବ୍ୟାଗ୍, ଜୋତା ଉପରେ ଏବେ କୌଣସି ଟିକସ ଲାଗିବନାହିଁ। ଫଳରେ କ୍ଷୁଦ୍ର ବ୍ୟବସାୟ ତଥା ଏମ୍ଏସ୍ଏମ୍ଇ ଏବଂ ଲଗଜୁରୀ ବ୍ରାଣ୍ଡଗୁଡ଼ିକୁ ବଡ଼ ଫାଇଦା ମିଳିବ।ଏହାସହ ୟୁକେ ବାଟ ଦେଇ ୟୁରୋପରେ କାରବାର କରିବାରେ ଭାରତର ପତିଆରା ଆହୁରି ବଢ଼ିବ ।
ସେପଟେ ୟୁକେ ଭାରତୀୟ ମେଶିନେରୀ, ଇଞ୍ଜିନିୟରିଂ ଟୁଲ୍ସ ଏବଂ ଅଟୋ ପାର୍ଟସ ଉପରେ ଟିକସ ପ୍ରତ୍ୟାହାର କରିଛି। ଫଳରେ ଭାରତ, ୟୁକେ ଏବଂ ୟୁରୋପର ଇଣ୍ଡଷ୍ଟ୍ରିଆଲ ସପ୍ଲାଏ ଚେନ୍ ଆହୁରି ମଜଭୁତ ହେବ। ପୁଣେ, ଚେନ୍ନାଇ ଏବଂ ଗୁଡଗାଓଁ ଭଳି ଉତ୍ପାଦନ ହବ୍ଗୁଡ଼ିକୁ ଫାଇଦା ମିଳିବ। ଭାରତୀୟ ଫାର୍ମା କମ୍ପାନିଙ୍କୁ ୟୁକେରେ ଜେନେରିକ୍ ଔଷଧ ପାଇଁ ସହଜ ପଞ୍ଜୀକରଣ ପ୍ରକ୍ରିୟା ମିଳିବ। ଏହାଦ୍ୱାରା ଭାରତୀୟ ଔଷଧ ବ୍ରିଟେନ୍ର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଜରେ ପହଞ୍ଚିପାରିବ ଏବଂ ଔଷଧଗୁଡ଼ିକୁ ଶୀଘ୍ର ମଞ୍ଜୁରି ମିଳିବ। ଭାରତର ବାସୁମତି ଚାଉଳ, ସାମୁଦ୍ରିକ ଖାଦ୍ୟ ଉତ୍ପାଦ, ପ୍ରିମିୟମ ଚା’ ଏବଂ ମସଲା ଉପରେ ୟୁକେର ଆମଦାନି ଶୁଳ୍କ ହଟିଯିବ। ଫଳରେ ଆସାମ, ଗୁଜରାଟ, କେରଳ ଏବଂ ପଶ୍ଚିମବଙ୍ଗ ଭଳି ସ୍ଥାନଗୁଡ଼ିକର ରପ୍ତାନୀ କ୍ଷେତ୍ରକୁ ଫାଇଦା ହେବ। କୃଷି ରସାୟନ, ପ୍ଲାଷ୍ଟିକ୍ ଏବଂ ସ୍ୱତନ୍ତ୍ର ରସାୟନ ଉପରେ ଟିକସ କମ୍ ହେବା ଦ୍ୱାରା ଗୁଜରାଟ ଏବଂ ମହାରାଷ୍ଟ୍ର ଭଳି ପ୍ରମୁଖ ହବ୍ରୁ ରପ୍ତାନି ତ୍ୱରାନ୍ୱିତ ହେବ।
ଏହି ଚୁକ୍ତି ଦ୍ୱାରା ଭାରତର ୨୦୩୦ ସୁଦ୍ଧା ୟୁକେରେ ଏହାର କେମିକାଲ ରପ୍ତାନିକୁ ଦୁଇ ଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଏଫ୍ଟିଏ ଅକ୍ଷୟ ଶକ୍ତିରେ ଯୌଥ ଉଦ୍ୟୋଗର ବାଟ ଖୋଲିବ, ଯେଉଁଥିରେ ସୌର, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଇଲେକ୍ଟ୍ରିକ୍ ଯାନ(ଇଭି) ଭିତ୍ତିଭୂମି ସାମିଲ ରହିଛି। ୟୁକେ ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଅଧିକ ନିବେଶ କରିବ, ଯାହାଦ୍ୱାରା ନୂଆ ପ୍ରଯୁକ୍ତିକୁ ଉଭୟ ଦେଶ ଏକାଠି ହୋଇ ବିକାଶ କରିବେ।
୯୯% ଭାରତୀୟ ସାମଗ୍ରୀ ୟୁକେରେ ଟାରିଫମୁକ୍ତ ହୋଇଯିବ। ଫଳରେ ଟେକ୍ସଟାଇଲ, ଚମଡ଼ା, ରତ୍ନ-ଆଭୁଷଣ, ସାମୁଦ୍ରିକ ଉତ୍ପାଦ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ଭଳି କ୍ଷେତ୍ରକୁ ଫାଇଦା ମିଳିବ । ବ୍ରିଟେନ୍କୁ ଭାରତର ରପ୍ତାନି ୨୦୩୦ ସୁଦ୍ଧା ୨୯ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ । ଟେକ୍ସଟାଇଲ ଏବଂ ଚମଡ଼ା ଭଳି ଶ୍ରମ-ଭିତ୍ତିକ କ୍ଷେତ୍ରରେ ନୂଆ ନିଯୁକ୍ତି ସୃଷ୍ଟି ହେବ । ଟେକ୍ସଟାଇଲ କ୍ଷେତ୍ରରେ ରୋଜଗାର ଦୁଇଗୁଣା ହୋଇପାରେ।
ମୁକ୍ତ ବାଣିଜ୍ୟ ଚୁକ୍ତିରେ ନେଇ ଖୁସୀ ବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ରାଜିନାମା କେବଳ ଏକ ଅର୍ଥନୈତିକ ରାଜିନାମା ନୁହେଁ ବରଂ ଦୁଇ ଦେଶର ମିଳିତ ସମୃଦ୍ଧି ପାଇଁ ଏକ ଯୋଜନା ବୋଲି ମୋଦୀ କହିଛନ୍ତି। ଗୋଟିଏ ପଟେ ଏହା ଭାରତର ବୟନସାମଗ୍ରୀ, ଚପଲ, ମୂଲ୍ୟବାନ ପ୍ରସ୍ତର ଓ ଗହଣା, ସାମୁଦ୍ରିକ ଖାଦ୍ୟ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ନିମନ୍ତେ ବ୍ରିଟେନରେ ବଜାର ସୁଯୋଗ ସୃଷ୍ଟି କରିବ। ଭାରତର କୃଷିଜାତ ସାମଗ୍ରୀ ଓ ପ୍ରକ୍ରିୟାକୃତ ଖାଦ୍ୟ ଶିଳ୍ପ ପାଇଁ ମଧ୍ୟ ଭାରତ ଲାଗି ବ୍ରିଟେନ ବଜାରରେ ନୂଆ ସୁଯୋଗ ଆଣିବ। ବିଶେଷତଃ ଭାରତୀୟ ଯୁବବର୍ଗ, କୃଷକ, ମତ୍ସ୍ୟଜୀବୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ରାଜିନାମା ଲାଭ ପହଞ୍ଚାଇବ। ଅନ୍ୟପକ୍ଷରେ ବ୍ରିଟେନରେ ନିର୍ମିତ ମେଡିକାଲ ଡିଭାଇସ ଭଳି ସାମଗ୍ରୀ ଭାରତରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଏହାଦ୍ବାରା ଭାରତୀୟ ଲୋକମାନେ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେହିପରି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଫଳ, ପରିବା, ମସଲା ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ ସାମଗ୍ରୀ ବିନା ଶୁଳ୍କରେ ବ୍ରିଟେନ ବଜାରରେ ଏଫ୍ଟିଏ ଦ୍ୱାରା ପହଞ୍ଚି ପାରିବ। ଭାରତରେ ଉତ୍ପାଦନ ହେଉଥିବା ବିଭିନ୍ନ ଶସ୍ୟ, ହଳଦୀ, ମରିଚ, ଗୁଜରାତି, ରେଡି-ଟୁ-ଇଟ୍ ଫୁଡ୍, ଆଚାର ଏବଂ ଡାଲି ଆଦି ସାମଗ୍ରୀ ବିନା ଶୁଳ୍କରେ ବ୍ରିଟେନକୁ ରପ୍ତାନି କରାଯାଇ ପାରିବ। କୃଷି ସାମଗ୍ରୀ ବ୍ୟତୀତ ମତ୍ସ୍ୟ ସାମଗ୍ରୀ କ୍ଷେତ୍ର ମଧ୍ୟ ଲାଭବାନ ହେବ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡ଼ୁର ବ୍ୟବସାୟୀମାନେ ଏହାଦ୍ୱାରା ବ୍ରିଟେନର ସାମୁଦ୍ରିକ ଖାଦ୍ୟ ବଜାରରେ ସହଜରେ ପ୍ରବେଶ କରିପାରିବେ। ସେହିଭଳି ମହାରାଷ୍ଟ୍ରର ଚାଷୀମାନେ ଅଙ୍ଗୁର ଓ ପିଆଜ, ଗୁଜରାଟର ଚାଷୀମାନେ ବାଦାମ ଓ କପା, ପଞ୍ଜାବ ଓ ହରିୟାଣାର ଚାଷୀମାନେ ବାସୁମତି ଚାଉଳ, କେରଳର ଚାଷୀମାନେ ମସଲା ଏବଂ ଉତ୍ତରପୂର୍ବ ରାଜ୍ୟର ଚାଷୀମାନେ ଫଳରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବ୍ରିଟେନକୁ ସହଜରେ ରପ୍ତାନି କରିପାରିବେ।
ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ମଧ୍ୟ ଭାରତ ସହ ଚୁକ୍ତି କରି ତାଙ୍କ ସରକାରର ବଡ଼ ସଫଳତା ବୋଲି କହିଛନ୍ତି। ସେ କହିଛନ୍ତି ମୁକ୍ତ ବାଣିଜ୍ୟ ଚୁକ୍ତି ଉଭୟ ଦେଶ ପାଇଁ ବିପୁଳ ଲାଭ ଆଣିବ, ମଜୁରୀ ବୃଦ୍ଧି କରିବ, ଜୀବନଧାରଣ ମାନ ବୃଦ୍ଧି କରିବ ଏବଂ କାମ କରୁଥିବା ଲୋକଙ୍କ ପକେଟକୁ ଅଧିକ ଟଙ୍କା ଯାଇପାରିବ। ଏହା ଚାକିରି ପାଇଁ ଭଲ, ବ୍ୟବସାୟ ପାଇଁ ଭଲ। ଶୁଳ୍କ ହ୍ରାସ କରିବ ଏବଂ ବାଣିଜ୍ୟକୁ ଶସ୍ତା, ସରଳ କରିବ।
ସବୁଠାରୁ ବଡ଼ କଥା ହେଲା ୟୁକେ ମିଡିଆ ଏହି ଚୁକ୍ତିକୁ ତାରିଫ କରିଛି। ୟୁକେର ପ୍ରାୟ ଅଧିକାଂଶ ଅଗ୍ରଣୀ ମିଡିଆ ଏହାକୁ ବ୍ରେକ୍ସିଟ ପରବର୍ତ୍ତୀ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ବୋଲି ଦର୍ଶାଇଛନ୍ତି। ଇୟୁରେ ଥିବା ବେଳେ ଭାରତ ସହିତ ଏଫ୍ଟିଏ ନେଇ ଦଶନ୍ଧୀ ଧରି ଆଲୋଚନା ହୋଇ ବି ବାରମ୍ବାର ଅଟକୁ ଥିଲା। ହେଲେ ୟୁକେ ୟୁରୋପୀୟ ସଂଘ (EU)ରୁ ବାହାରିବା ପରେ ବଡ଼ ସଫଳତା ମିଳିଛି ବୋଲି ୟୁକେ ମିଡିଆ ଖବର ଲେଖିଛି। ଏହା ଏକ ମୂଲ୍ୟବାନ ପ୍ରୟାସ, ଚୀନ ପରେ ଏକ ବଡ଼ ମାର୍କେଟ୍ ପାଇଁ ରାସ୍ତା ପ୍ରଶସ୍ତ କରିବ ବୋଲି ୟୁକେ ଗଣମାଧ୍ୟମଗୁଡ଼ିକ ଖବର ଲେଖିଛନ୍ତି।
ଆଙ୍କର () ସେପଟେ ଏସବୁ ଭିତରେ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଓଡ଼ିଶା ପାଇଁ ସୁଯୋଗର ବାଟ ଫିଟିଛି। ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଏବଂ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି କ୍ଷେତ୍ରକୁ ଏହି ବାଣିଜ୍ୟିକ ଚୁକ୍ତିରୁ ଲାଭ ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଭାରତ-ବ୍ରିଟେନ୍ ଏଫ୍ଟିଏ ଦ୍ୱାରା ଓଡ଼ିଶାରେ ଉତ୍ପାଦିତ ହେଉଥିବା ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ପାଇଁ ବ୍ରିଟେନର ଏକ ବଡ଼ ବଜାର ସୃଷ୍ଟି ହେବ। ପାରାଦୀପ ଏବଂ ବାଲେଶ୍ୱର ଭଳି ସ୍ଥାନରୁ ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ରପ୍ତାନି ବୃଦ୍ଧି ପାଇବ ଏବଂ ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ଓ ମତ୍ସ୍ୟପାଳନ ଉଦ୍ୟୋଗ ଲାଭାନ୍ୱିତ ହୋଇପାରିବ।
ୟୁକେ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଦେଶର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ପାଇଁ ବ୍ୟବସାୟର ଅପାର ସମ୍ଭାବନା ସୃଷ୍ଟି ହୋଇଛି। ଯେଉଁଥିରେ ଓଡ଼ିଶାର ସୁଯୋଗ ବି ରହିଛି। ଓଡ଼ିଶା ଏହାର ସାମୁଦ୍ରିକ ଖାଦ୍ୟ ଏବଂ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି କରି ଲାଭ ଉଠାଇ ପାରିବ। ଓଡ଼ିଶାରେ ରପ୍ତାନି ଆଧାରିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରପ୍ତାନିକାରୀମାନଙ୍କୁ ଭଲ ମୂଲ୍ୟ ମିଳିବ ଏବଂ ମତ୍ସ୍ୟଜୀବୀଙ୍କର ଆୟ ବୃଦ୍ଧି ପାଇବ। ରାଜ୍ୟ ତଥା ଦେଶର ଉପକୂଳ ଅର୍ଥବ୍ୟବସ୍ଥା ପାଇଁ ଅପାର ସମ୍ଭାବନା ସୃଷ୍ଟି ହେବ। ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗରେ ନିୟୋଜିତ ମହିଳାମାନେ ମଧ୍ୟ ଅଧିକ ରୋଜଗାରକ୍ଷମ ହୋଇପାରିବେ।
ପୂର୍ବରୁ ଭାରତରୁ ବ୍ରିଟେନକୁ ଚିଙ୍ଗୁଡ଼ି ଭଳି ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ରପ୍ତାନି ହେଉଥିଲା। ଅଧିକ ଶୁଳ୍କ କାରଣରୁ ବ୍ରିଟେନର ୫.୪ ବିଲିୟନ ଆମେରିକୀୟ ଡଲାର ସାମୁଦ୍ରିକ ଉତ୍ପାଦରେ ରପ୍ତାନିରେ ଭାରତର ଅଂଶଧନ ମାତ୍ର ୨.୫% ଥିଲା। ୨୦୨୪-୨୫ରେ ଭାରତରୁ ୧୦୪.୪୩ ନିୟୁତ ଡଲାର ସାମୁଦ୍ରିକ ଉତ୍ପାଦ ରପ୍ତାନି ହୋଇଥିବା ବେଳେ ଏଥିରେ ଚିଙ୍ଗୁଡ଼ିର ଭାଗ ୭୭% ରହିଛି। ପୂର୍ବରୁ ଭାରତରୁ ରପ୍ତାନି ହେଉଥିବା ଚିଙ୍ଗୁଡ଼ି ଉପରେ ୪.୨%ରୁ ୮.୫% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେଉଥିଲା।
ସେହିପରି ପ୍ରୋସେସଡ୍ ଫୁଡ୍ ଉପରେ ଶୁଳ୍କ ପରିମାଣ ୨୧.୫%ରେ ପର୍ଯ୍ୟନ୍ତ ବୃଦ୍ଧି ପାଉଥିଲା। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବିସ୍ତୃତ ବାଣିଜ୍ୟିକ ରାଜିନାମା ପରେ ଭାରତର ୯୯% ସାମୁଦ୍ରିକ ଉତ୍ପାଦକୁ ବ୍ରିଟେନ୍ ବଜାରେ ନିଃଶୁକ୍ଲ କାରବାର ପାଇଁ ସୁବିଧା ମିଳିବ। ଫଳରେ ଦେଶର ସାମୁଦ୍ରିକ ରପ୍ତାନି ଓ କାରବାର ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି। ଏହା ଦ୍ୱାରା ଓଡ଼ିଶା ସମେତ ସବୁ ଉପକୂଳବର୍ତ୍ତୀ ରାଜ୍ୟ ବିଶେଷ ଲାଭ ପାଇବେ।
ମିଡିଆ ରିପୋର୍ଟ ଅନୁସାରେ, ଓଡ଼ିଶା ସିଫୁଡ୍ ଉତ୍ପାଦନରେ ଭାରତରେ ଚତୁର୍ଥ ରାଜ୍ୟ। ବର୍ତ୍ତମାନ ରାଜ୍ୟର ସିଫୁଡ୍ ମାର୍କେଟର ଆକାର ୪୫୬୦ କୋଟି ବା ୫୫୮ ମିଲିୟନ ଡଲାର ରହିଛି। ହେଲେ ସରକାର ଏହାକୁ ୨୦ ହଜାର କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୨୪ ଆର୍ଥିକ ବର୍ଷରେ ଓଡ଼ିଶାରୁ ପ୍ରାୟ ୯୨ ହଜାର ମେଟ୍ରିକ୍ ଟନ୍ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହୋଇଥିଲା। ଯେଉଁଥିରେ ୯୦% କେବଳ ଚିଙ୍ଗୁଡ଼ି ରହିଛି। ବର୍ତ୍ତମାନ ଓଡ଼ିଶାରୁ ୫ଟି ମହାଦେଶକୁ ସିଫୁଡ୍ ରପ୍ତାନି ହେଉଛି। ଯେଉଁଥିରେ ଜାପାନ, ଆମେରିକା, ଇୟୁ ଏବଂ ଦକ୍ଷିଣ ପୂର୍ବ ଏସୀୟ ଦେଶ ଯଥା, ଥାଇଲ୍ୟାଣ୍ଡ ଏବଂ ଭିଏତନାମ ରହିଛନ୍ତି। ଏବେ ବ୍ରିଟେନ୍କୁ ମଧ୍ୟ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରି ଓଡ଼ିଶା ଲାଭବାନ ହୋଇପାରିବ।