ଭୁବନେଶ୍ୱର: ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ଗୁରୁବାର ଓଡ଼ିଶା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାକୁ ନେଇ ରାଜ୍ୟ ପେଟ୍ରୋଲ ଡିଲର୍ ସଂଘ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ବନ୍ଦ ଯୋଗୁଁ ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ୧୨ ଘଣ୍ଟା ବନ୍ଦ ରହିବ । ଏନେଇ ସଂଘ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ପେଟ୍ରୋଲ ପମ୍ପ ବନ୍ଦ ରହିବ । ୩ ଡିପୋ ସହ ରାଜ୍ୟର ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ଓଡ଼ିଶା କଂଗ୍ରେସ ଗୁରୁବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଡାକରାକୁ ଆଠଟି ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ କଲେଜର ୨୦ ବର୍ଷୀୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ସୌମ୍ୟାଶ୍ରୀ ଜୁଲାଇ ୧୨ ତାରିଖରେ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଜୁଲାଇ ୧୪ରେ ରାତି ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସୌମ୍ୟାଶ୍ରୀ ବିଶି ତାଙ୍କ ବିଭାଗର ଏଚ୍ଓଡି ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ । ନ୍ୟାୟ ପାଇଁ ସମସ୍ତଙ୍କ ନିକଟରେ ଗୁହାରି କରିଥିଲେ । କିନ୍ତୁ ସବୁଠି ନିରାଶ ହେବା ପରେ ଆତ୍ମାହୁତି ପରି ଚରମ ନିଷ୍ପତ୍ତି ନେଇଥିଲେ । ସୌମ୍ୟାଶ୍ରୀଙ୍କ ନିଧନ ପରେ ରାଜନୀତି ଜୋର ଧରିଛି । ବୁଧବାର ବିଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ କରାଯିବା ସହ ବିଧାନସଭା ଘେରାଉ କରାଯାଇଥିଲା । ଏହି ସମୟରେ ପୋଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ହୋଇଥିଲା । ପୋଲିସ ୱାଟର କେନନ୍ ସାହାଯ୍ୟରେ ଆନ୍ଦୋଳନକାରୀଙ୍କୁ ହଟାଇଥିଲା ।