ସରକାର ଦେଲେବି ବୁଝୁନି ମନ ! ରକ୍ଷକ ସାଜିଛନ୍ତି ଭକ୍ଷକ, ୧୦ ମାସରେ ୧୭ ଲାଞ୍ଚୁଆ ପୁଲିସ୍ ଗିରଫ

NEWS7
odia-students-return-from-jammu-and-kashmir

ଭୁବନେଶ୍ୱର : ସଚେତନ, ଆକ୍ସନ, ଦରମା ବଢ଼ିବା ସତ୍ୱେ ବି ବାବୁଙ୍କ ଲୋଭ ଯାଉନି। ଦରମା ବାଦ ଗମନାଗମନ, ଫୋନ୍ ଓ ତଦନ୍ତ ବାବଦରେ ବି ସରକାର ଅଧିକ ଅର୍ଥ ଦେଉଛନ୍ତି। ଏତେ ପରେ ବି ଲୋକଙ୍କଠାରୁ ଲାଞ୍ଚ ମାଗି ଭିଜିଲାନ୍ସରେ ହାତରେ ଧରାପଡୁଛନ୍ତି ପୁଲିସ ବାବୁମାନେ। ଗତ ୧୦ ମାସରେ ଭିଜିଲାନ୍ସ ଅଧିକାରୀମାନେ ୧୭ ଜଣ ଲାଞ୍ଚୁଆ ପୁଲିସ୍ ଅଫିସରଙ୍କୁ ଗିରଫ କରି ଜେଲ ପଠାଇଛନ୍ତି। ରକ୍ଷକ ସାଜିଛନ୍ତି ଭକ୍ଷକ ।

ପୁଲିସ ଅଧିକାରୀମାନେ ଯେମିତି ଆର୍ଥିକ ସମସ୍ୟାରେ ପଡ଼ି ସାଧରଣ ଲୋକଙ୍କୁ ଜୁଲମ୍ କରି ଟଙ୍କା ନ ମାଗନ୍ତୁ, ସେଥିପାଇଁ ନୂଆ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ରାଜ୍ୟର ୬୮୫ଟି ଥାନାକୁ ଗାଡ଼ି, ୨ଟି ଡ୍ରାଇଭର ଓ ତେଲ ଦେଲେ ସରକାର। ପୁଲିସ ଅଫିସ୍ରଙ୍କୁ ଦୁଇ ଚକିଆ ଗାଡ଼ି ଦେଲେ। ପୁରୁଷଙ୍କୁ ବାଇକ୍ ଓ ମହିଳାଙ୍କୁ ସ୍କୁଟି ଦେଲେ। ତଥାପି ବର୍ଷ ବର୍ଷ ଧରି ପୁଲିସ ବାବୁମାନଙ୍କର ରହିଥିବା ଅଭ୍ୟାସରେ ପରିବର୍ତ୍ତନ ହେଉନାହିଁ। ଅଭିଯୋଗକାରୀଠାରୁ କିଭଳି ଟଙ୍କା ଝାଡ଼ିବାକୁ ହେବ ବିଭିନ୍ନ ଫର୍ମୁଲା ବାହାର କରୁଛନ୍ତି।

ଅଭିଯୁକ୍ତକୁ ଧରିବା ଲାଗି ଯିବାକୁ ଖର୍ଚ୍ଚର ବାହାନା କରନ୍ତି। ଏହାର ସମାଧାନ ଲାଗି ସରକାର ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତଦନ୍ତକାରୀ ଅଧିକାରୀଙ୍କୁ ଟଙ୍କା ଦେବାକୁ ନିଷ୍ପଭି ନେଲେ। ଦରମା ବ୍ୟତୀତ ଅଲଗା ଭାବେ ଟଙ୍କା ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କଲେ। ହତ୍ୟା ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ ୨୫ ହଜାର ଟଙ୍କା, ମାମଲାରେ ରାଜ୍ୟ ବାହାରକୁ ଗଲେ ୩୭ ହଜାର, ରାଜ୍ୟ ଭିତରେ ୧୮ ହଜାର ଟଙ୍କା ମିଳୁଛି। ସେହିପରି ଅପହରଣ ମାମଲାରେ ରାଜ୍ୟ ବାହାରକୁ ଗଲେ ୩୦ ହଜାର ଓ ରାଜ୍ୟ ଭିତରେ ୧୦ ହଜାର ଟଙ୍କା, ଅପମୃତ୍ୟୁ ମାମଲାରେ ୧୩ ହଜାର ଟଙ୍କା ମିଳୁଛି। ସାଇବର ମାମଲାରେ ଅପରାଧୀକୁ ଧରିବା ପାଇଁ ରାଜ୍ୟ ବାହାରକୁ ଗଲେ ୪୫ ହଜାର ଟଙ୍କା ଓ ରାଜ୍ୟ ଭିତରେ ୨୫ ହଜାର ଟଙ୍କା ଦିଆଯାଉଛି।

ଏପରିକି ଏନଡିପିଏସ୍ ମାମଲାରେ ରାଜ୍ୟ ବାହାରକୁ ଗଲେ ୩୫ ହାଜର ଟଙ୍କା ଓ ରାଜ୍ୟ ଭିତରେ ୧୫ ହଜାର ଟଙ୍କା ମିଳୁଛି। ଚୋରି, ଲୁଟ୍, ଡକାୟତି ଓ ସିନ୍ଧିଚୋରି ଭଳି ଘଟଣାରେ ତଦନ୍ତକାରୀ ଅଧିକାରୀଙ୍କୁ ମାମଲା ପିଛା ୧୭ ହଜାର ଟଙ୍କା ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ତିନିଟି ପର୍ଯ୍ୟାୟରେ ତଦନ୍ତକାରୀ ଅଧିକାରୀଙ୍କ ଆର୍ଥିକ ସହାୟତା ବାବଦରେ ଓଡ଼ିଶା ପୁଲିସ୍କୁ ଦେଢ଼ ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି। ତଥାପି ସାଧାରଣ ଲୋକଙ୍କଠାରୁ ଲାଞ୍ଚ ନେଇ ଗତ ୧୦ ମାସରେ ୧୭ଜଣ ପୁଲିସ୍ ଗିରଫ ହୋଇ ଜେଲ୍ ଯାଇଛନ୍ତି। ସବୁଠାରୁ ବଡ଼ କଥା ୧୭ ଜଣଙ୍କ ମଧ୍ୟରୁ ୭ ଜଣ ଏତଲାକାରୀ ଓ ଅଭିଯୁକ୍ତ ଉଭୟଙ୍କ ପାଖକୁ ଟଙ୍କା ନେଇ ଧରାପଡ଼ି ଜେଲ୍ ଯାଇଛନ୍ତି।